ରାଜ୍ୟରେ ବଢ଼ିବ ତାପମାତ୍ରା

ସମ୍ଭାବ୍ୟ ବାତ୍ୟା ‘ଅସାନି’ ଆନ୍ଧ୍ର ଉପକୂଳକୁ ଛୁଇଁବା ପରେ ଆହୁରି ଦୁର୍ବଳ ହେବାରେ ଲାଗିଛି । ଫଳରେ ଓଡିଶା ଉପରୁ ଭୟର ବାତାବରଣ ଦୂରେଇ ଯାଇଛି । ତେବେ ଆଜି କାଁ ଭାଁ ବର୍ଷା କେତେକ ସ୍ଥାନରେ ହୋଇପାରେ ।

ତେବେ ଏବେ ବାତ୍ୟା ଯିବା ପରେ ଏବେ ପୁଣି ରାଜ୍ୟକୁ ଲେଉଟାଣି ଦେବ ତାତି । ପୁଣି ବଢିବ ତାପମାତ୍ରା । ଖରା ବଢ଼ିବା ସହ ତାପମାତ୍ରା କ୍ରମଶଃ ବଢ଼ିବ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ବି ବଢ଼ିବ ।

ଆନ୍ଧ୍ର ଉପକୂଳ ଛୁଇଁବା ଆଗରୁ ହିଁ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତ ରୂପ ନେଇଯାଇଥିଲା । ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହା ପ୍ରଭାବରେ ଆନ୍ଧ୍ରରେ ଲଗାଣ ବର୍ଷା ହୋଇଥିବାବେଳେ ୫୫-୭୫ କିମି ବେଗରେ ପବନ ବି ହୋଇଛି । ହେଲେ ଓଡ଼ିଶାଠାରୁ ଢେର ଦୂରରେ ଥିବାରୁ ରାଜ୍ୟର ଏହାର ପ୍ରଭାବ ପରିଲକ୍ଷିତ ହୋଇନାହିଁ ।

ପାଣିପାଗ ବିଭାଗ ବିଭାଗ କହିଛି, ମଛଲିପଟନମ ଓ ନରସପୁର ଭିତରେ ଏହା ସ୍ଥଳଭାଗରେ ପ୍ରବେଶ କରିବା ପରେ ଉତ୍ତର-ଉତ୍ତର ପୂର୍ବରେ ସମୁଦ୍ର ଆଡ଼କୁ ଗତି କରୁଛି । ଗୁରୁବାର ସକାଳକୁ ଆହୁରି ଦୁର୍ବଳ ହୋଇ ଅବପାତ ଅବସ୍ଥାରେ ସମୁଦ୍ରରେ ଥିବ । ସେତେବେଳେ ଓଡ଼ିଶା ଉପକୂଳଠାରୁ ଆହୁରି ଦୂରେଇଯିବ ।

ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଗୁରୁବାର ବର୍ଷା ହୋଇପାରେ । ମାତ୍ର ବଡ଼ ବର୍ଷା ସମ୍ଭାବନା ନାହିଁ । ଓଡ଼ିଶା ଉପକୂଳ ସମୁଦ୍ରରେ ୪୦-୫୦ କିମି ବେଗରେ ପବନ ବହିପାରେ । ସମୁଦ୍ର ଅଶାନ୍ତ ରହୁଛି । ତେଣୁ ୧୨ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଭିତରକୁ ପ୍ରବେଶ ମନା କରାଯାଇଛି । ଗୋପାଳପୁର ପାଇଁ ୩ ନମ୍ବର ଓ ଅନ୍ୟ ବନ୍ଦର ଲାଗି ୨ ନମ୍ବର ବିପଦ ସଙ୍କେତ ବଳବତ୍ତର ରହିଛି ।

ପାଣିପାଗ ବିଜ୍ଞାନୀଙ୍କ ଆକଳନ କହିବାନୁସାରେ, ବର୍ତ୍ତମାନ ଉତ୍ତର-ପଶ୍ଚିମ ଭାରତରେ ପୁଣି ତାତି ବଢ଼ିବା ସହ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଗଲାଣି । ବାତ୍ୟା ପ୍ରଭାବ ଯୋଗୁ ରାଜ୍ୟରେ ପାରଦ ଖସିଯାଇଥିଲା । ଏବେ ଖରା ବଢ଼ିବା ସହ ତାତି ବଢ଼ିବ । ଆସନ୍ତା ୩-୪ ଦିନ ଭିତରେ ପାରଦ ପୁଣି ୪୦ ଡିଗ୍ରୀ ଛୁଇଁପାରେ ।

ବୁଧବାର ଦିନବେଳା ବାରିପଦାରେ ୫୦ ମିଲିମିଟର ବର୍ଷା ହୋଇଥିବାବେଳେ କୋରାପୁଟରେ ୧୨ ମିମି ବର୍ଷା ହୋଇଥିଲା । ବାକି ସବୁଠି ପାଗ ଶୁଖିଲା ଥିଲା ।

Share

Leave a Reply

Your email address will not be published. Required fields are marked *

sixteen − 14 =