ରାଜ୍ୟର ଦକ୍ଷତା ବିକାଶରେ ସାମିଲ ହେବ ଟାଟା

  • ନରାଜରେ ପ୍ରତିରକ୍ଷା କ୍ଲଷ୍ଟର ପ୍ରସ୍ତାବ

  • କଳିଙ୍ଗନଗରର ଦ୍ୱିତୀୟ ସଂପ୍ରସାରଣ

  • ପୂର୍ଣ୍ଣ ଉତ୍ପାଦନକ୍ଷମ ହେବ ଭୂଷଣ

ଭୁବନେଶ୍ବର () ଟାଟା କଳିଙ୍ଗନଗର ପ୍ରକଳ୍ପର ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବ । ଦ୍ବିତୀୟ ସମ୍ପ୍ରସାରଣରେ ୨୫ହଜାର କୋଟି ଟଙ୍କା ବିନିଯୋଗ କରି ପ୍ରକଳ୍ପର ଉତ୍ପାଦନ କ୍ଷମତା ବାର୍ଷିକ ୬ ନିୟୁତ ଟନରୁ ୮ ନିୟୁତ ଟନକୁ ବୃଦ୍ଧି କରାଯିବ । ଏଥିସହିତ ନିକଟରେ ଟାଟା ଅଧିଗ୍ରହଣ କରିଥିବା ଅନୁଗୁଳର ଭୂଷଣ କମ୍ପାନୀର ମଧ୍ୟ ସମ୍ପ୍ରସାରଣ କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ଅବସରରେ ଟାଟା ସନର ଅଧକ୍ଷ ନାଟରଜନ ଚନ୍ଦ୍ରଶେଖରନ ସୂଚନା ଦେଇଛନ୍ତି ।

ଭୂଷଣ କାରଖାନାର ଉତ୍ପାଦନ କ୍ଷମତା ୫.୬ ନିୟୁତ ଟନ ଥିବାବେଳେ ଏବେ ୩ ନିୟୁତ ଟନ ଉତ୍ପାଦନ ହେଉଛି । ଏହାକୁ ପୂର୍ଣ୍ଣ ଉତ୍ପାଦନକ୍ଷମ କରିବାକୁ ପ୍ରସ୍ତାବ ରହିଛି । ଏହି ସମ୍ପ୍ରସାରଣରେ ୩୫ ହଜାର କୋଟି ଟଙ୍କା ବିନିଯୋଗ ହେବ ।

ଟାଟା ସନର ୬ ଜଣିଆ ପ୍ରତିନିଧି ମଣ୍ଡାଳି ସହ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଟାଟାକୁ କଳିଙ୍ଗନଗର ଠାରେ ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରୀ ପ୍ରତିଷ୍ଠା ପାଇଁ ପରାମର୍ଶ ଦେଇଛନ୍ତି । ସେହିପରି ନରାଜ ନିକଟରେ ଟାଟା ପାୱାର ୮୭୧ ଏକର ଜମି ଅଧିଗ୍ରହଣ କରିଛି । ସେଠାରେ ଏକ ପ୍ରତିରକ୍ଷା ଯନ୍ତ୍ରାଂଶ ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଗୋପାଳପୁର ଠାରେ ଥିବା ଟାଟା ଏସଇଜେଡରେ ଅଧିକ ଉତ୍ପାଦନ ଭିତ୍ତିକ ଶିଳ୍ପକୁ ପ୍ରୋତ୍ସାହିତ କରିବା ସହ ଟାଟା ମୋଟର୍ସ, ଟାଟା କେମିକାଳସ, ଭୋଲଟାଜ ଓ ଥାଇସେନକ୍ରୁପ ପକ୍ଷରୁ ରାଜ୍ୟର କିଛି ସରକାରୀ ଆଇଟିଆଇରେ ଓାର୍କସପ ପ୍ରତିଷ୍ଠା କରିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।

ଏଥିସହ ରାଜ୍ୟ ସରକାର ପ୍ରତିଷ୍ଠା କରୁଥିବା ଦକ୍ଷତା ବିକାଶ କେନ୍ଦ୍ରରେ ଟାଟା ସହଭାଗୀ ହୋଇ ଏକ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ପ୍ରତିଷ୍ଠା କରୁବାକୁ ନବୀନ ପ୍ରସ୍ତାବ ଦେଇଛନ୍ତି । ଗଂଜାମ ଜିଲ୍ଳା ସୀତାପଲ୍ଲୀ ଠାରେ ଏକ ୫୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ବି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଅଣୁ ଶିଳ୍ପଦ୍ୱୋଗୀଙ୍କୁ ଟାଟା ସ୍ପନସର କରିବାକୁ ମୁଖ୍ୟମନ୍ତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି । ଟାଟା ଗ୍ରୁପ ରାଜ୍ୟର ବିଭିନ୍ନ ସରକାରୀ ଇଂଜିନିୟରିଂ କଲେଜ, ଆଇଟିଆଇ ଓ ପଲିଟେକ୍ନିକରେ କ୍ୟାମ୍ପସ ନିଯୁକ୍ତି କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ରାଜ୍ୟର ବହୁ ତାଲିମପ୍ରାପ୍ତ ଯୁବକ ଯୁବତୀ ଉତ୍ତମ ନିଯୁକ୍ତିର ସୁଯୋଗ ପାଇପାରିବେ । ମୁଖ୍ୟମନ୍ତ୍ରୀଙ୍କ ସବୁ ପ୍ରସ୍ତାବକୁ ଟାଟା ଗ୍ରୁପ ସକରାତ୍ମକ ଭାବେ ବିଚାର କରିବେ ବୋଲି ଚନ୍ଦ୍ରଶେଖରନ ଆଶ୍ବାସନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

20 + 2 =