ବରଗଡ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଭିଡିଓ କନଫରେନସିଂ ଜରିଆରେ ବରଗଡ ପୌରଞ୍ଚଳ ପାଇଁ ଦୈନନ୍ଦିନ 19.50 ମିଲିୟନ ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହାଦ୍ବାରା ଆଗାମୀ 15 ବର୍ଷ ପାଇଁ ବରଗଡର ପାନୀୟ ଜଳ ଆବଶ୍ୟକତା ପୂରଣ ହୋଇପାରିବ । ବର୍ତ୍ତମାନ ବରଗଡରେ ଦୈନିକ ମୁଣ୍ଡପିଛା 49 ଲିଟର ପାଣି ଯୋଗାଣ ହେଉଥିବା ବେଳେ ଜାତୀୟ ହାର ସହ ସମତୁଲ 135 ଲିଟର ପାଣି ଯୋଗାଣ ହେବ ।

ଏହି ପ୍ରକଳ୍ପ ପାଇଁ 37.23 କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ସହରର 1.10 ଲକ୍ଷ ଲୋକ ଉପକୃତ ହେବେ । ବରଗଡ ପଶ୍ଚିମ କେନାଲରୁ ପାଣି ନେଇ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଏଥିପାଇଁ 4.15 ମିଲିୟନ ଲିଟର କ୍ଷମତା ବିଶିଷ୍ଟ 4ଟି ଜଳାଶ୍ରୟ ଓ 1.85 ମିଲିୟନ ବିଶିଷ୍ଟ ଦୁଇଟି ଜଳାଶୟ ମଧ୍ୟ କରାଯାଇଛି ।

ରାଜ୍ୟ ସରକାରଙ୍କ ବସୁଧା ଯୋଜନାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଏହି ପ୍ରକଳ୍ପର ନାଁ ହେଉଛି – ବରଗଡ ମୁନିସିପାଲିଟିର ପାନୀୟ ଜଳ ଆବଶ୍ୟକତା ପୂରଣ । ବର୍ତ୍ତମାନ ବରଗଡ ସହରର ପାନୀୟ ଜଳ ଆବଶ୍ୟକତା ଦୈନିକ 14.82 ମିଲିୟନ ଲିଟର ଥିବା ବେଳେ ଦିନକୁ ମାତ୍ର 4.5 ମିଲିୟନ ଲିଟର ପାଣି ଯୋଗାଣ ହେଉଥିଲା । ଏହି ପ୍ରକଳ୍ପ ଦ୍ବାରା ବରଗଡର ପାନୀୟ ଜଳ ସମସ୍ୟାର ସଂପୂର୍ଣ୍ଣ ସମାଧାନ ହୋଇପାରିବ ।

ଏହି କାର୍ଯ୍ୟକ୍ରମରେ ବରଗଡରେ ମନ୍ତ୍ରୀ ନିରଂଜନ ପୂଜାରୀ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରଭାସ ସିଂହ, ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିବା ବେଳେ ସଚିବାଳୟରେ ଉନ୍ନୟନ କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

15 + 17 =