ଯୁବପିଢୀ ମତ୍ସ୍ୟଚାଷ ପ୍ରତି ଆଗ୍ରହୀ ହେବାକୁ ଅରୁଣଙ୍କ ପରାମର୍ଶ

ଭୁବନେଶ୍ବର () ରାଜ୍ୟରେ ମାଛ ଚାଷ କ୍ଷେତ୍ରରେ ବ୍ୟାପକ ରୋଜଗାର ସୁଯୋଗ ରହିଛି । ଯୁବକ ଯୁବତୀମାନେ ଚାକିରି ପଛରେ ନ ଗୋଡ଼େଇ ଏ ଦିଗରେ ଆଗ୍ରହୀ ହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ୬୬ତମ ସମବାୟ ସପ୍ତାହ ପାଳନ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ. ସାହୁ କହିଛନ୍ତି ଯେ ଓଡ଼ିଶାକୁ ମାଛ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ପାଇଁ ୨୦୧୫ରେ ରାଜ୍ୟ ସରକାର ମତ୍ସ୍ୟନୀତି ପ୍ରଣୟନ କରିଛନ୍ତି ।

୨୦୦୦ ମସିହାରେ ରାଜ୍ୟରେ ମାତ୍ର ୨.୫ ଲକ୍ଷ ମେଟ୍ରିକ ଟନ ମାଛ ଉତ୍ପାଦନ ହେଉଥିବା ବେଳେ ବର୍ତ୍ତମାନ ତାହା ୭ ଲକ୍ଷ ୯୮ ହଜାର ମେଟ୍ରିକ ଟନରେ ପହଞ୍ଚିଛି । ସେହିପରି ଓଡ଼ିଶାରୁ ଏବେ ବାର୍ଷିକ ୩୧୦୦ କୋଟି ଟଙ୍କାର ମାଛ ରପ୍ତାନି କରାଯାଉଛି । ରାଜ୍ୟରେ ୬୫ ହଜାର ପଞ୍ଚାୟତ ପୋଖରୀ ଥିବା ବେଳେ ଏଥିରୁ ୨୦ ପ୍ରତିଶତ ପୋଖରୀକୁ ମାଛ ଚାଷ ପାଇଁ ମହିଳା ଗୋଷ୍ଠୀକୁ ଦେବାକୁ ସରକାର ସ୍ଥିର କରିଛନ୍ତି । ରାଜ୍ୟରେ ୧୪ ଲକ୍ଷ ଲୋକ ମାଛ ଚାଷ ସହ ଜଡ଼ିତ ଥିବା ବେଳେ ପୁଷ୍ଟିକର ଖାଦ୍ୟ ଆବଶ୍ୟକତା ପୂରଣରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି ।

ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ ମତ୍ସ୍ୟ ସମବାୟ ସଂସ୍ଥାଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ ଆସିଛି । ଏ କ୍ଷେତ୍ରରେ ମହିଳା ଓ ଯୁବକମାନଙ୍କୁ ଅଧିକ ଭାବେ ଜଡ଼ିତ କରାଯାଇପାରିଲେ ସମବାୟ ଆନ୍ଦୋଳନ ଅଧିକ ଆଗକୁ ଯିବ । ଫିସଫେଡର ଅଧ୍ୟକ୍ଷ ଟି. ପ୍ରସାଦ ରାଓ ଦୋରା ଦାୟିତ୍ବ ନେବା ପରଠାରୁ ରାଜ୍ୟରେ ମତ୍ସ୍ୟଜୀବିମାନଙ୍କ ଜୀବନ ଜୀବିକାରେ ବ୍ୟାପକ ପରିବର୍ତ୍ତନ ଆସିଥିବା ସେ କହିଥିଲେ ।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଶାସନ ସଚିବ ଆର. ରଘୁପ୍ରସାଦ କହିଥିଲେ ଯେ ଗତ ୫ ବର୍ଷ ମଧ୍ୟରେ ଓଡ଼ିଶାରେ ମାଛ ଉତ୍ପାଦନ ୬୦ରୁ ୭୦ ପ୍ରତିଶତ ବୃଦ୍ଧି ପାଇଛି । ଆଗାମୀ ୪ ବର୍ଷ ମଧ୍ୟରେ ରାଜ୍ୟରେ ମାଛ ଉତ୍ପାଦନ ୧୦ ଲକ୍ଷ ମେଟ୍ରିକ୍‍ ଟନ୍‍ରେ ପହଞ୍ଚାଇବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟରୁ ୫ ଲକ୍ଷ ମେଟ୍ରିକ୍‍ ଟନ୍‍ ମଧୁର ଜଳ ମାଛ ଉତ୍ପାଦନ ହେଉଥିବା ବେଳେ ଏ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପଞ୍ଚମ ସ୍ଥାନରେ ରହିଛି ।

ରାଜ୍ୟ ସରକାର ୫୨୨ଟି ସମବାୟ ସଂସ୍ଥାକୁ ୧୦ କୋଟି ୩୦ ଲକ୍ଷ ଟଙ୍କା ପ୍ରଦାନ କରିଥିବା ବେଳେ ଏବେ ମତ୍ସ୍ୟଚାଷୀମାନଙ୍କ ଲାଗି ୬ କୋଟି ୩୦ ଲକ୍ଷ ଟଙ୍କା ଦିଆଯାଇଛି । ଏହି ଅର୍ଥରେ ସେମାନେ ଜାଲ, ବରଫ ବାକ୍ସ ଆଦି ଖରିଦ କରିବେ । ଆଗାମୀ ଦିନରେ ରାଜ୍ୟରେ ୧୦୦ଟି ଅତ୍ୟାଧୁନିକ ମାଛ ବିକ୍ରି କେନ୍ଦ୍ର ଖୋଲାଯିବ ବୋଲି ଶ୍ରୀ ରଘୁପ୍ରସାଦ ସୂଚନା ଦେଇଥିଲେ ।

ଫିସଫେଡର ପରିଚାଳନା ନିର୍ଦ୍ଦେଶକ ବିମଳ ମିଶ୍ର କହିଥିଲେ ଯେ ରାଜ୍ୟରେ ୧୧୭୦ଟି ସମବାୟ ସଂସ୍ଥା ଥିବା ବେଳେ ସେଥିରୁ ୭୩୨ଟି କାର୍ଯ୍ୟ କରୁଛି । ଦୁଗ୍ଧ ସମବାୟ ସଂସ୍ଥାଗୁଡ଼ିକ ଆଗକୁ ବଢ଼ିଥିବା ବେଳେ ମଧ୍ୟସ୍ଥିଙ୍କ ଯୋଗୁ ମତ୍ସ୍ୟ ସମବାୟଗୁଡ଼ିକ ଆଗକୁ ବଢ଼ିପାରୁନାହିଁ । ତେଣୁ ଏହି ମଧ୍ୟସ୍ଥିଙ୍କୁ ହଟାଇବା ସହିତ ମତ୍ସ୍ୟ ସମବାୟ ସଂସ୍ଥାର ଅଧିକାରୀମାନଙ୍କୁ ଅନ୍ୟ ରାଜ୍ୟକୁ ପଠାଇ ସେଠାକାର ମଡେଲ ଅନୁଧ୍ୟାନ କରିବାକୁ ସେ ମତ ଦେଇଥିଲେ । ଏହି ଅବସରରେ ମୃତ୍ୟୁବରଣ କରିଥିବା ମତ୍ସ୍ୟଜୀବି ପରିବାରର ଉତ୍ତରାଧିକାରୀଙ୍କୁ ୨ ଲକ୍ଷ ଟଙ୍କାର ବୀମା ସହାୟତା ରାଶି ଚେକ୍‍ ଆକାରରେ ପ୍ରଦାନ କରାଯାଇଥିବା ବେଳେ ମତ୍ସ୍ୟଜୀବି ପରିବାରର ୩ ଜଣ ମେଧାବୀ ଛାତ୍ରୀମାନଙ୍କୁ କନ୍ୟାରତ୍ନ ଯୋଜନାରେ ଉଚ୍ଚଶିକ୍ଷା ଲାଗି ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

seventeen − 5 =