ସଚିବଙ୍କ ନିର୍ଦ୍ଦେଶକୁ ଫୁ

ଭୁବନେଶ୍ବର () : ଚଳିତବର୍ଷର ନୈରାଶ୍ୟଜନକ ମାଟ୍ରିକ ପରୀକ୍ଷାଫଳକୁ ନେଇ ତୁମ୍ବିତୋଫାନ କରିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଓ ଶାସନ ସଚିବଙ୍କ କଡା ଚେତାବନୀ ବିଦ୍ୟାଳୟ ଖୋଲିବା ବେଳକୁ ଏକ ପ୍ରକାର ଉଭେଇ ଯାଇଛି । ପରୀକ୍ଷାଫଳ ଖରାପ କରିଥିବା ବିଦ୍ୟାଳୟ ଓ ଏହାର ଶିକ୍ଷକଙ୍କ କଥା ସମସ୍ତେ ଭୁଲି ଗଲେଣି । ଖୋଦ୍‍ ରାଜଧାନୀରେ ପରୀକ୍ଷାଫଳ ଖରାପ କରିଥିବା ବିଦ୍ୟାଳୟ ଗୁଡିକର ବି ସମୀକ୍ଷା ହେଲାନାହିଁ ।

ଗତବର୍ଷ ତୁଳନାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳ ହାର ହ୍ରାସ ପାଇଥିଲା । ଅନେକ ବିଦ୍ୟାଳୟରେ ଫଳ ଶୂନ ହୋଇଥିଲା । ଘରୋଇ ବିଦ୍ୟାଳୟ ତୁଳନାରେ ସରକାରୀ ବିଦ୍ୟାଳୟ ଗୁଡିକର ନୈରାଶ୍ୟଜନକ ପ୍ରଦର୍ଶନ ଦେଖି ଗଣମାଧ୍ୟମ ସାମ୍ନାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କଡା ଚେତାବନୀ ଦେଇଥିଲେ । ଫଳ ଖରାପକରିଥିବା ବିଦ୍ୟାଳୟର ଶିକ୍ଷକମାନଙ୍କୁ କୈଫତ ତଲବ କରାଯିବ ବୋଲି କହିଥିଲେ । ହେଲେ ଏବେ ବିଦ୍ୟାଳୟ ଖୋଲିଲା ବେଳକୁ ଚେତାବନୀ ପାଣିଫୋଟକା  ଭଳି ମିଳେଇ ଗଲାଣି ।

ଖୋଦ୍‍ ରାଜଧାନୀରେ ଥିବା ସରକାରୀ ହାଇସ୍କୁଲ ଗୁଡିକରୁ ଜଣେ ହେଲେ ପିଲା ଏ ପ୍ଲସ ସ୍ଥାନରେ ରହିପାରିଲେ ନାହିଁ । ଅନ୍ୟ ପକ୍ଷରେ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉନ୍ନତ ପ୍ରଦର୍ଶନ କଲେ । ପରୀକ୍ଷା ଫଳ ପ୍ରକାଶ ପାଇ ଛୁଟିପରେ ବିଦ୍ୟାଳୟ ଖୋଲିଥିଲେ ବି କାହିଁକି ସରକାରୀ ବିଦ୍ୟାଳୟ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ କଲେ ସେ ଦିଗରେ କେହି କିଛି ଆଉ କହୁନାହାନ୍ତି । ସଚିବ ତ ଦୂରରକଥା ଜିଲ୍ଲା ଶିକ୍ଷା ଅଧିକାରୀ ବି ସମୀକ୍ଷା କରୁନାହାନ୍ତି ।

ରାଜଧାନୀର ସରକାରୀ ହାଇସ୍କୁଲ ଗୁଡିକରେ ମୋଟା ଅଙ୍କର ବେତନ ପାଉଥିବା ପ୍ରଶିକ୍ଷଣପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀ ଥିବାବେଳେ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ଅନେକ ଅଭିଭାବକଙ୍କୁ ହତାଶ କରିଛି । ଏହି ଶିକ୍ଷକମାନେ କିଭଳି ପାଠ ପଢାଇଲେ ଯେ ପିଲାଏ ଏଭଳି ଖରାପ ପ୍ରଦର୍ଶନ କଲେ ତାହାକୁ ନେଇ ଚର୍ଚ୍ଚା ଚାଲିଛି । ଏହିସବୁ ହାଇସ୍କୁଲ ଗୁଡିକରେ ଜଣେ ଜଣେ ଶିକ୍ଷୟତ୍ରୀ ୧୫ରୁ ୨୦ ବର୍ଷ ଧରି ଥିବାବେଳେ ସେମାନଙ୍କର ଆଦୌ ବଦଳି ହେଉନାହିଁ । ଫଳରେ ସେମାନେ ଆଉ ପାଠପଢାରେ ମନ ଦେଉନଥିବା ଅଭିଯୋଗ ହେଉଛି ।

ସରକାର ଏଥିପ୍ରତି ଦୃଷ୍ଟି ନଦେବାରୁ ରାଜଧାନୀରେ ଶିକ୍ଷାଦାନ କ୍ଷେତ୍ରରେ ସୁଧାର ଆସିବାନେଇ ଏବେ ସନ୍ଦେହ ପ୍ରକାଶ ପାଇଲାଣି । ଅଧିକାଂଶ ଅଭିଭାବକ ଆଉ ସେମାନଙ୍କ ପିଲାଙ୍କୁ ସରକାରୀ ବିଦ୍ୟାଳୟକୁ ଛାଡିବାକୁ ନାରାଜ । ମୋଟା  ଅଙ୍କର ଦରମା ନେଉଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ କାହିଁକି ପାଠ ପଢାଉ ନାହାନ୍ତି ଶିକ୍ଷା ବିଭାଗର ଅଧିକାରୀମାନେ ସେ ସଂକ୍ରାନ୍ତରେ ଉତ୍ତର ରଖିବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି । ଯଦି ଖୋଦ୍‍ ରାଜଧାନୀରେ ଅବସ୍ଥା ଏଭଳି ତେବେ ଗାଁ ଗହଳରେ କିଭଳି ପାଠପଢା ହେଉଥିବ ତାହା ସହଜରେ ଅନୁମେୟ ।

Share

Leave a Reply

Your email address will not be published. Required fields are marked *

four × five =