ସ୍କୁଲ ଆସୁନାହାଁନ୍ତି 5ହଜାରରୁ ଅଧିକ ପିଲା

ବାରିପଦା, (ନିପ୍ର): ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ବିଭିନ୍ନ ସ୍କୁଲରେ ନାମ ଲେଖାଇଥିଲେ ମଧ୍ୟ ୫ ହଜାରରୁ ଉର୍ଦ୍ଧ୍ବ ପିଲା ପାଠ ପଢିବାକୁ ଆସୁନାହାନ୍ତି । ଜିଲାର ଦୁର୍ଗମ, ଅବହେଳିତ ଅଞ୍ଚଳରେ ଅନେକ ଶିଶୁ ଏଯାଏ ସ୍କୁଲ ମାଟି ମାଡି ନାହାନ୍ତି। ଗରୀବ ପରିବାରର ପିଲାମାନେ କାମ ଧନ୍ଦା କରି ମା’ବାପାଙ୍କୁ ସାହା ହେଉଛନ୍ତି।

ଜିଲାରୁ ଶିଶୁ ଶ୍ରମିକ ପ୍ରଥା ଲୋପ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ୨୦୧୩ ମସିହା ଏପ୍ରିଲ ୧ ତାରିଖରୁ ‘ମୁଁ ବି ପଢ଼ିବି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ହେଲେ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିବା ତତ୍କଳୀନ ଜିଳାପାଳଙ୍କର ଅନ୍ୟତ୍ର ବଦଳି ହେବାରୁ ଏହି ଅଭିଯାନ ଅଧାରୁ ବନ୍ଦ ରହିଥିଲା। ବର୍ତ୍ତମାନ ରାଜ୍ୟ ସରକାର ପାଠ ପଢୁ ନ ଥିବା ପିଲାଙ୍କୁ ଚିହ୍ନଟ କରି ସ୍କୁଲରେ ନାମ ଲେଖାଇବା ପାଇଁ ପୁନର୍ବାର ପଦକ୍ଷେପ ନେଇଛନ୍ତି। ଫଳସ୍ବରୂପ ଆସନ୍ତା ୨୦ ତାରିଖ ସୁଦ୍ଧା ଜିଲାର ସ୍କୁଲ ବାହାରେ ରହୁଥିବା ତଥା ନାମ ଲେଖାଇ ସ୍କୁଲ ଆସୁ ନ ଥିବା ପିଲାଙ୍କୁ ଚିହ୍ନଟ କାର୍ଯ୍ୟ ଶେଷ କରିବାକୁ ଏକ ସ୍ବତନ୍ତ୍ର କାର୍ଯ୍ୟ ଖସଡା ପ୍ରସ୍ତୁତ ହୋଇଛି। ତଦନୁଯାୟୀ, ଆସନ୍ତା ୧୮ ତାରିଖରେ ଜିଲାର ସମସ୍ତ ପଞ୍ଚାୟତରେ ବୈଠକ ବସି ଶିକ୍ଷାନୁଷ୍ଠାନ ବାହାରେ ଥିବା ଛାତ୍ରୀଛାତ୍ରଙ୍କୁ ପାଠ ପଢିବା ଲାଗି ପ୍ରରୋଚିତ କରିବା ସକାଶେ ଅଭିଯାନ ହାତକୁ ନିଆଯାଇଛି।

ଓଡିଶା ପ୍ରାଇମେରୀ ଏଜୁକେସନ ପ୍ରୋଗ୍ରାମ ଅଥରିଟିର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୁପେନ୍ଦ୍ର ଏସ. ପୁନିଆ ଗତ ଜୁନରେ ଏ ନେଇ ସମସ୍ତ ଜିଲାର ଜିଲାପାଳ, ଜିଲା ଶିକ୍ଷା ଅଧିକାରୀ ଓ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଜିଲାପାଳ ବିନିତ ଭରଦ୍ୱାଜଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏନେଇ ଏକ ବୈଠକ ବସିଥିଲା। ଜିଲା ପୋଲିସ ବିଭାଗ, ସ୍ବାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ଶ୍ରମ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀମାନଙ୍କ ସହିତ ଜିଲାର ସମସ୍ତ ବ୍ଳକ ଏଜୁକେସନ ଅଧିକାରୀମାନେ ଏଥିରେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ। ଆସନ୍ତା ୧୫ ତାରିଖ ସୁଦ୍ଧା ଜିଲା ଶ୍ରମ ବିଭାଗ ପକ୍ଷରୁ ଜିଲାର ବିଭିନ୍ନ ହୋଟେଲ, ଗ୍ୟାରେଜ, ଢ଼ାବା, ରେଷ୍ଟୁରାଣ୍ଟ ତଥା ବିଭିନ୍ନ ଶିଳ୍ପାନୁଷ୍ଠାନରେ କାର୍ଯ୍ୟ କରୁଥିବା ଶିଶୁ ଶ୍ରମିକଙ୍କୁ ଚିହ୍ନଟ କରାଯିବାକୁ ସ୍ଥିର କରାଯାଇଛି।

ଏଥିସହିତ ଜିଲାର ସମସ୍ତ ଠିକାଦାରମାନଙ୍କୁ କୌଣସି କାମରେ ଶିଶୁ ଶ୍ରମିକଙ୍କୁ ନିଯୋଜିତ ନ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ। ଆସନ୍ତା ୧୮ ତାରିଖରେ ଜିଲାର ସମସ୍ତ ପଞ୍ଚାୟତରେ ବସୁଥିବା ସ୍ବତନ୍ତ୍ର ବୈଠକରେ ସ୍ଥାନୀୟ ସରପଞ୍ଚମାନେ ଅଧ୍ୟକ୍ଷତା କରିବେ । ସେମାନେ ପଞ୍ଚାୟତର ସ୍କୁଲ ଆସୁ ନ ଥିବା ପିଲାଙ୍କ ରିପୋର୍ଟ ତିଆରି କରିବେ। ସ୍ଥାନୀୟ ଅଞ୍ଚଳର ଅଙ୍ଗନଓ୍ବାଡି କର୍ମୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସିଆରସିସିମାନେ ଏଥିରେ ସରପଞ୍ଚଙ୍କ ସହିତ ରହି ଚିହ୍ନଟ କାର୍ଯ୍ୟ କରିବେ। ଏକ ବେସରକାରୀ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ମୁତାବକ ଜିଲାରେ ନାମ ଲେଖାଇ ବିଦ୍ୟାଳୟ ଆସୁ ନ ଥିବା ପିଲାଙ୍କ ସଂଖ୍ୟା ପ୍ରାୟ ୫ ହଜାରରୁ ଉର୍ଦ୍ଧ୍ବ ହେବ ବୋଲି ରିପୋର୍ଟ ଦେଇଛି। ୨୦୧୭ ମାର୍ଚ୍ଚରୁ ‘ମୁଁ ବି ପଢ଼ିବି’ କାର୍ଯ୍ୟକ୍ରମ ବନ୍ଦ ହୋଇ ଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

Share

Leave a Reply

Your email address will not be published. Required fields are marked *

19 + ten =