୨୪ ଘଣ୍ଟାରେ ବଦଳିଗଲା ଦାମଙ୍କ ନୈତିକତା

ଅଭିଯୋଗକୁ ହସି ଉଡାଇ ଦେଲେ ନବୀନ

ଭୁବନେଶ୍ୱର () ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ବିଜେଡିରୁ ବିଦା ହେଲା ପରେ ଏବେ ନୀତି ନୈତିକତାର କଥା ଉଠାଇଛନ୍ତି । ଏଭଳିକି ୨୪ ଘଣ୍ଟା ନପୂରୁଣୁ ଦାମ ବାବୁ ନିଜ ବୟାନ ବଦଳାଇଛନ୍ତି । ୨୪ ଘଣ୍ଟା ପୂର୍ବରୁ ଅର୍ଥାତ ବିଜେଡିରୁ ବହିଷ୍କୃତ ହେବା ପୂର୍ବରୁ ସେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ । କିନ୍ତୁ ଦଳ ବିରୋଧୀ କାର୍ଯ୍ୟ ଏବଂ ବିଶୃଙ୍ଖଳା ପାଇଁ ବହିଷ୍କୃତ ହେବା ପରେ ହଠାତ ନବୀନ ପ୍ରତି ତାଙ୍କ ମତ ବଦଳାଇ ଦେଲେ । ସେପଟେ ନବୀନ ମଧ୍ୟ ଦାମଙ୍କ ଅଭିଯୋଗକୁ ହସରେ ଉଡାଇ ଦେଇଛନ୍ତି ।

ଦିଲ୍ଲୀରୁ ଫେରି ନବୀନ ଦାମଙ୍କ ବହିଷ୍କାର ସଂପର୍କରେ ଦଳର ମତ ସ୍ପଷ୍ଟ କରିଛନ୍ତି । ଦାମ ରାଉତ ଜଣେ ବରିଷ୍ଠ ନେତା ହୋଇଥିଲେ ମଧ୍ୟ ସେ ବାରମ୍ବାର ଦଳର ଶୃଙ୍ଖଳା ଭଙ୍ଗ କରିବା ସହ ଗଣମାଧ୍ୟମ ଓ ସାଧାରଣରେ ଦାୟୀତ୍ୱହୀନ ମନ୍ତବ୍ୟ ଦେଉଥିଲେ । ଯେଉଁଥିପାଇଁ ତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ନବୀନ ସ୍ପଷ୍ଟ କରିଛନ୍ତି । ଏଥିସହିତ ଦାମ ତାଙ୍କ ପ୍ରତି ଏବଂ ବିଜେଡି ପରିଚାଳନା ନେଇ ଉଠାଇଥିବା ଅଭିଯୋଗକୁ ହାସ୍ୟାସ୍ପଦ ବୋଲି ମଧ୍ୟ କହିଛନ୍ତି । ଦାମ ରାଉତ ଗତ ଚାରିଦିନ ହେଲା ଯେଉଁସବୁ ଦୁର୍ନୀତି ପ୍ରସଙ୍ଗ ଉଠାଉଥିଲେ ସେସବୁକୁ ମୁଖ୍ୟମନ୍ତ୍ରୀ ଭିତ୍ତିହୀନ ବୋଲି କହିଛନ୍ତି ।

ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ରାଉତ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଆଟାକ କରିଛନ୍ତି । ନବୀନ ପଟ୍ଟନାୟକଙ୍କ କିଛି ନୀତି ନୈତିକତା ନାହିଁ । ସେ ପରିସ୍ଥିତି ଦେଖି ନିଜର ନୀତି ବଦଳାନ୍ତି । ବିଜେଡିର ସମ୍ବିଧାନ ବୋଲି କିଛି ନାହିଁ । ଏପିରିକି ବିଜେଡିରେ କୌଣସି ନିଷ୍ପତ୍ତି ଆଲୋଚନା ମାଧ୍ୟମରେ ହୁଏ ନାହିଁ । ବିଜେଡି କିଛି ନିର୍ଦ୍ଧିଷ୍ଟ ନେତାଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ସେ ବିଜେପି କିମ୍ବା କଂଗ୍ରେସକୁ ଯିବେ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି । ବର୍ତ୍ତମାନ ସେ ରାଜ୍ୟର ବିଭିନ୍ନ ଅଂଚଳ ବୁଲିବେ ଏବଂ ଲୋକେ ଯାହା ଚାହିଁବେ ସେହି ଅନୁସାରେ ସେ ନିଜର ରାଜନୈତିକ ନିଷ୍ପତ୍ତି ନେବେ । ରାଜନୀତିରେ ନିଜକୁ ପ୍ରତିପାଦିତ କରିବାକୁ ସେ ସ୍ୱାଧୀନ ଭାବେ ଛିଡା ହେବେ ବୋଲି କହିଛନ୍ତି ।

ଦାମ ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ଆଜି ତାଙ୍କୁ ସମବେଦନା ଜଣାଇବାକୁ ତାଙ୍କ ବାସଭବନରେ ପହଁଚିଥିଲେ ଦଳରୁ ଆଉ ଜଣେ ଅଲୋଡା ନେତା ବୈଜୟନ୍ତ ପଣ୍ଡା । ସେ ଦାମଙ୍କ ମାନସିକ ସମବେଦନା ଜଣାଥିବା କହିଛନ୍ତି । ଏପିରିକି ଦାମ ରାଉତଙ୍କ ପ୍ରତି ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ସେ ନାପସନ୍ଦ କରିଛନ୍ତି । ସେପଟେ କିନ୍ତୁ ବିଜେଡି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଦାମଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଟାନ ବ୍ୟତିତ ନବୀନ ପାଖରେ ଆଉ କିଛି ବିକଳ୍ପ ନଥିଲା ବୋଲି କହିଛନ୍ତି । ବିଗତ କିଛି ଦିନ ଧରି ଦାମ ରାଉତ ବିଜେଡିରେ ଥାଇ ଯେଉଁ ଭୂମୀକାରେ ଅବତୀର୍ଣ୍ଣ ହୋଇଥିଲେ, ସେଭଳି ସ୍ଥିତିରେ ଦଳପତି ପାଖରେ ବହିଷ୍କାର ବ୍ୟତିତ ଆଉ କିଛି ବାଟ ନଥିଲା । ଦାମ ବାବୁ ଏବେ ଯେଉଁ ସବୁ ପ୍ରସଙ୍ଗ ଉଠାଉଛନ୍ତି ତାହା ସେ ଦଳୀୟ ଫୋରମରେ ଉଠାଇବାର ଆବଶ୍ୟକତା ଥିଲା । ଦଳୀୟ ଫୋରମରେ ତାଙ୍କ ଉଦବେଗକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇନଥିଲେ ସେ ବିକଳ୍ପ ପନ୍ଥା ଆପଣେଇଥାନ୍ତେ ।

Share

Leave a Reply

Your email address will not be published. Required fields are marked *

four × five =