ବିଜେଡିର ଆଭିମୁଖ୍ୟ ଉପରେ ନଜର

ନିର୍ବାଚନରୁ ଦୂରେଇ ରହିବ ବିଜେଡି!

ଭୁବନେଶ୍ବର () ରାଜ୍ୟସଭା ଉପସଭାପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ଆସନ୍ତାକାଲି ଉପସଭାପତି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ହେବ । 9 ତାରିଖ (ଗୁରୁବାର) ନିର୍ବାଚନ । ମତଦାନର ଗୋଟିଏ ଦିନ ପୂର୍ବରୁ ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ନୀତିଶ ଉପସଭାପତି ଆସନ ପାଇଁ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କ ପାଇଁ ନବୀନଙ୍କ ସମର୍ଥନ ଲୋଡିଛନ୍ତି । ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ ଅମିତ ଶାହା ଓ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ନବୀନଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ରାଜନୈତିକ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ଲୋକସଭା ପରି ରାଜ୍ୟସଭାରେ ମଧ୍ୟ ବିଜେଡି ନିର୍ବାଚନରେ ଭାଗ ନେବ ନାହିଁ ।

ଜେଡିୟୁ ସାଂସଦ ହରିବଂଶ ନାରାୟଣ ଏନଡିଏ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ବିଜେଡି ପୂରୁଣା ଋଣ ସୁଝାଇବାକୁ ଯାଇ ତାଙ୍କୁ ସମର୍ଥନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ପ୍ରାର୍ଥୀ ପି.ଏ. ସାଙ୍ଗମାଙ୍କୁ 2012ରେ ଜେଡିୟୁ ସମର୍ଥନ କରିଥିଲା । ସେତେବେଳେ ବିଜେଡି ଏନଡିଏରୁ ଓହରି ବିଜେପି ସହ ରାଜ୍ୟରେ ମେଣ୍ଟ ଭାଙ୍ଗିଥିଲେ ବି ନୀତିଶ ନବୀନଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବାରୁ ସେହି ଋଣ ସୁଝିବାକୁ ନବୀନ ମଧ୍ୟ ନୀତିଶଙ୍କ ଋଣ ସୁଝିବାକୁ ହରିଂବଶଙ୍କୁ ସମର୍ଥନ କରିପାରେ ।

246 ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ଗୋଟିଏ ଆସନ ଖାଲିଥିବା ବେଳେ ଉପସଭାପତି ଆସନ ପାଇଁ ମ୍ୟାଜିକ ନମ୍ବର ରହିଛି 123 । ସଂଖ୍ୟା ଦୃଷ୍ଟିରୁ ମ୍ୟାଜିକ ନମ୍ବରଠାରୁ ବହୁ ଦୂରରେ ରହିଛି ଏନଡିଏ । ଏଆଇଏଡିଏମକେର 13 ସାଂସଦଙ୍କ ସମର୍ଥନ ପାଇଲେ ମଧ୍ୟ ଏନଡିଏ 123 ସଂଖ୍ୟା ଚୁଇଁ ପାରୁନି । ଏଆଇଏଡିଏମକେର ସମର୍ଥନ ପରେ ଏନଡିଏ ହାତରେ 115 ସାଂସଦଙ୍କ ସମର୍ଥନ ରହୁଛି । ଏହିଦୃଷ୍ଟିରୁ ବିଜେଡିର 9 ସାଂସଦଙ୍କ ସମର୍ଥନ ଗୁରୁତ୍ବପୂର୍ଣ୍ଣ । ସେପଟେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନରେ ଆଲୋଚନା କରି 6 ସାଂସଦଙ୍କ ସମର୍ଥନ ଦେଇଥିବା ଚର୍ଚ୍ଚା ହେଉଛି । ବିଜେଡି ସମଦୂରତା କଥା କହୁଥିବାରୁ ଉପସଭାପତି ନିର୍ବାଚନରୁ ଦଳ ଦୂରେଇ ରହିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଆଜି ନୀତିଶ ନବୀନଙ୍କ ସହ କଥା ହେଉଥିବାରୁ ଦଳର ଆଭିମୁଖ୍ୟ କଣ ରହିବ ସେ ସଂପର୍କରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର  ।

ସେପଟେ 113 ସସଦ୍ୟଙ୍କ ସମର୍ଥନରେ ୟୁପିଏ ମଧ୍ୟ ନବୀନଙ୍କ ସମର୍ଥନକୁ ଅନେଇଛି । ଏଥିପାଇଁ ୟୁପିଏ ଏନସିପି ନେତା ଶରଦ ପାୱାରଙ୍କୁ ଦାୟିତ୍ବ ଦେଇଛି । 2009ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ସମୟରେ ବିଜୟ ମହାପାତ୍ରଙ୍କ ଅନିଚ୍ଛା ସତ୍ତ୍ବେ ଶରଦ ପାୱାର ବିଜେଡିକୁ ନିଜର ଦୁଇ ବିଧାୟକଙ୍କ ସମର୍ଥନ ଦେଇଥିଲେ । ତେଣୁ ଥର ମଧ୍ୟ ଶତଦ ପାୱାର ରାଜ୍ୟସଭା ଉପନିର୍ବାଚନରେ ସେ ସହାୟତାର ପ୍ରତିଦାନ ମାଗିପାରନ୍ତି । ସେ ଯାହାବି ହେଉନା କାହିଁକି ନବୀନ ଏହି ନିର୍ବାଚନରେ କିଙ୍ଗ ମେକର ଭୁମିକା ତୁଲାଇବାକୁ ଯାଉଛନ୍ତି । ସେ କାହାକୁ ସମର୍ଥନ କରନ୍ତୁ ବା ନିର୍ବାଚନରୁ ଦୁରେଇ ରୁହନ୍ତୁ ସେ ହିଁ କିଙ୍ଗ ମେକର ହେବ ।

Share

Leave a Reply

Your email address will not be published. Required fields are marked *

five × 3 =