ଓଡିଶା ପାଇଁ ଅକ୍ଟୋବର ମାସ ଅଶୁଭ

ଭୁବନେଶ୍ବର () ଓଡିଶା ପାଇଁ ପାର୍ବଣ ମାସ ଅକ୍ଟୋବର ଟି ଅଶୁଭ  । କ୍ରମାଗତ ଭାବେ ପ୍ରାୟ ପ୍ରତି ବର୍ଷ ପୂଜାର ଉତ୍ସାହ, ଉଦ୍ଦିପାନାକୁ ବନ୍ୟା, ବାତ୍ୟାର ଆଶଙ୍କା ଉଡାଇ ନେଉଛି । ପ୍ରତିବର୍ଷ ଅକ୍ଟୋବର ମାସରେ ବଙ୍ଗୋପସାଗରରେ ଛୋଟ ବଡ଼ ବାତ୍ୟା ସୃଷ୍ଟି ହେଉଛି । ୧୯୯୯ ମସିହାର ମହାବାତ୍ୟା ହେଉ ବା ୨୦୧୪ ମସିହାରେ ହୁଡ୍‌ହୁଡ୍‌  । ମନେ ପଡିଲେ ଅକ୍ଟୋବର ମାସରେ ଉପକୂଳ ଓଡିଶାବାସୀଙ୍କ ମନରେ ଭୟଙ୍କର ଭୟ ସଂଚାର ହେଉଛି । ଏବର୍ଷ ମଧ୍ୟ ଠିକ ଅକ୍ଟୋବର ମାସରେ ପୂଜାର ମହୋଲ ଜମି ଆସିଥିବା ବେଳେ ଉପକୂଳରେ ମାଡ ହେବ ତିତଲି । ଯେତିକି ଆଶଙ୍କା କରାଯାଉଛି, ତିତଲି ଯଦି ସେହିପରି ଭୟଙ୍କର ହୁଏ ତେବେ ପୁଣି ଥରେ ଉପକୂଳ ଓଡିଶାର ଅର୍ଥନୀତି ଭାଙ୍ଗିଯିବ ।

୧୭୩୭ ମସିହା ଅକ୍ଟୋବର ୭ରୁ ୧୨ ତାରିଖ ମଧ୍ୟରେ ହୋଇଥିବା ମହାବାତ୍ୟା ହେଉ ବା ୯୪ବର୍ଷ ପରେ ୧୮୩୧ ମସିହା ଅକ୍ଟୋବର ୩୧ତାରିଖର ବାତ୍ୟା ସବୁ ଅକ୍ଟୋବରରେ ହୋଇଛି। ଏହାର ୩୩ବର୍ଷ ପରେ ପୁଣି ସେହି ଅକ୍ଟୋବର ମାସ ୨ରୁ ୫ ତାରିଖ ମଧ୍ୟରେ ବାତ୍ୟା ଆସିଥିଲା ଓଡ଼ିଶାକୁ । ୧୯୪୨ ମସିହା ଅକ୍ଟୋବର ୧୪ରୁ ୧୬ ତାରିଖରେ ବାତ୍ୟା ହୋଇଥିଲା ଓଡ଼ିଶାରେ । ସେହିପରି ୧୯୬୭ ମସିହା ଅକ୍ଟୋବର ୮ରୁ ୧୧, ୧୯୭୧ ମସିହା ଅକ୍ଟୋବର ୨୬ରୁ ୩୦ତାରିଖରେ ମଧ୍ୟରେ ଓଡ଼ିଶା ଉପକୂଳରେ ମାଡ଼ ହୋଇଥିଲା ବାତ୍ୟା । ଏହାପରେ 1864, 1885, 1967, 1990ରେ ବାତ୍ୟାରେ ବହୁଳ ପରିମାଣରେ ପ୍ରଭାବିତ ହୋଇଥିଲା  । ୧୯୯୯ ମସିହାରେ ହୋଇଥିବା ମହାବାତ୍ୟା ଓଡ଼ିଶାକୁ ଦୋହଲାଇ ଦେଇଥିଲା । ଅକ୍ଟୋବର ମାସ ୨୫ରୁ ୩୧ତାରିଖ ଭିତରେ ଏହି ମହାବାତ୍ୟା ଓଡ଼ିଶାକୁ ଏକପ୍ରକାର ଦୋହଲାଇ ଦେଇଥିଲା । ଏହି ମହାବାତ୍ୟାରେ ୧୦ ହଜାର ଲୋକ ପ୍ରାଣ ହରାଇଥିଲେ । ୨୦୧୩ ମସିହା ଅକ୍ଟୋବର ମାସ ୧୨-୧୫ତାରିଖରେ ଆସିଥିଲା ବାତ୍ୟା ‘ଫାଇଲିନ୍’ । ପବନର ବେଗ ଥିଲା ଘଣ୍ଟାକୁ ୨୦୦ କି‌ଲୋମିଟର । ୨୦୧୪ ମସିହା ୧୩ ଅକ୍ଟୋବରରେ ଓଡ଼ିଶାକୁ ଡରାଇଥିଲା ବାତ୍ୟା ‘ହୁଡ୍‌ହୁଡ୍‌’, ଏବେ ‘ତିତଲି’। ଲୋକେ ବି କହୁଛନ୍ତି ଅକ୍ଟୋବର ମାସଟି ଅଶୁଭ।

କିନ୍ତୁ ଅକ୍ଟୋବରରେ ହିଁ କାହିଁକି ହୋଇଥାଏ ବାତ୍ୟା । କାରଣ ଏହି ମାସର ସୂର୍ଯ୍ୟ ଉତ୍ତର ଦକ୍ଷିଣ ଗୋଲାର୍ଦ୍ଧକୁ ବିଶୁଭ ରେଖା ଦେଇ ଗତି କରିଥାନ୍ତି । ଯାହାଫଳରେ ସମୁଦ୍ର ଜଳ ଅତ୍ୟନ୍ତ ଗରମ ହୋଇଯାଏ ଏବଂ ବାଷ୍ପୀଭୁତ ହେବାରେ ଲାଗିଥାଏ। ଯେହେତୁ ଜଳୀୟ ବାଷ୍ପ ବାୟୁ ଠାରୁ ହାଲୁକା ହେଇଥାଏ, ଏଭଳି ଅନେକ ବାତ୍ୟା ପରିସ୍ଥିତି ସୃଷ୍ଟି ହୁଏ । ପାଣିପାଗ ବିଜ୍ଞାନୀଙ୍କ ପାଇଁ ଏହା ଏକ ଭୌଗୋଳିକ କାରଣ । କିନ୍ତୁ ଧର୍ମୀୟ ଭାବନା ରଖୁଥିବା ଓଡିଶାବାସୀଙ୍କ ପାଇଁ ଅକ୍ଟୋବର ମାସଟି ଅଶୁଭ ।

Share

Leave a Reply

Your email address will not be published. Required fields are marked *

two × one =