ଗଂଜାମ ଜିଲ୍ଲାପାଳଙ୍କ ‘ମୋ ଗେହ୍ଲା ଝିଅ’

ଭୁବନେଶ୍ବର () ପିଲାମାନେ ଭଗବାନଙ୍କ ଆର୍ଶିବାଦ ବୋଲି କୁହାଯାଏ । କିନ୍ତୁ ଆମ ସମାଜରେ ଏବେ ବି ଝିଅଙ୍କୁ ନେଇ ରହିଛି ସାମାଜିକ ବୈଷମ୍ୟ । ଘରେ ପୁଅଟିଏ ଜନ୍ମ ହେଲେ ଯେତିକି ଆନନ୍ଦ ଉଲ୍ଲାସ ଦେଖାଦେଇଥାଏ, ଝିଅଟିଏ ଜନ୍ମ ହେଲେ ସେତିକି ବିଷାଦ ଖେଳିଯାଏ । ଏଭଳିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ କନ୍ୟାରତ୍ନ ଯୋଜନା ଦ୍ବାରା ଅନୁପ୍ରାଣିତ ହୋଇ ଗଞ୍ଜାମ ଜିଲ୍ଲାପାଳ ଆରମ୍ଭ କରିଛନ୍ତି ଏକ ଅଭିନବ ଯୋଜନା । ଏହି ଯୋଜନାରେ ଝିଅ ଜନ୍ମକୁ ନେଇ ରହିଥିବା ସାମାଜିକ ବୈଷମ୍ୟ ଦୂର ସାଙ୍ଗକୁ ଜିଲ୍ଲାରେ ପୁଅ-ଝିଅଙ୍କ ଜନ୍ମହାର ବୃଦ୍ଧିର ଲକ୍ଷ୍ୟ ରଖାଯାଇଛି ।

ବିଜୁ କନ୍ୟାରତ୍ନ ଯୋଜନା ଅଧିନରେ ଗଂଜାମର ଯୁବ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆରମ୍ଭ କରିଛନ୍ତି ମୋ ଗେହ୍ଲା ଝିଅ ଯୋଜନା । ଯଦିଓ ପୁଅ ଏବଂ ଝିଅ ଉଭୟ ପରିବାର ପାଇଁ ଗର୍ବ ଓ ଗୌରବ ଆଣୁଥିଲେ ବି କାହିଁକି ସେମାନଙ୍କ ମଧ୍ୟରେ ବାଛବିଚାର କରାଯାଉଛି । ବର୍ତ୍ତମାନର ଆଧୁନିକ ସମାଜରେ ମଧ୍ୟ ପାରିବାରିକ ମାନସିକ ସେହି ସ୍ଥିତିରେ ରହିଛି । ପୁଅଙ୍କ ଜନ୍ମଦିନକୁ ଧୁମଧାମରେ ପାଳନ କରାଯାଉଥିବା ବେଳେ ଝିଅଙ୍କ ଜନ୍ମଦିନ ପାଳନ ହେଉନି । ଲୋକଙ୍କ ମଧ୍ୟରେ ରହିଥିବା ଏହି ମାନସିକତାର ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ଯୁବ ଜିଲ୍ଲାପାଳ ବିଜୟ ଅମୃତ ।

ମୋ ଗେହ୍ଲା ଝିଅ ଯୋଜନା ସଂପର୍କରେ ସୂଚନା ଦେବାକୁ ଯାଇ ସେ କହିଥିଲେ ଯେ, ଏହି ଯୋଜନାରେ କନ୍ୟା ଶିଶୁଙ୍କ ଜନ୍ମଦିନକୁ ପ୍ରଶାସନିକ ସ୍ତରରେ ଧୁମଧାମରେ ପାଳନ କରାଯିବ । ଏହି ଜନ୍ମଦିନ ଉତ୍ସବ ଜରିଆରେ ପରିବାର, ସମାଜ, ରାଜ୍ୟ ଓ ଦେଶ ପାଇଁ ଝିଅ ଶିଶୁଙ୍କ ଗୁରୁତ୍ବ ଓ ଆବଶ୍ୟକତା ସଂପର୍କରେ ବର୍ତ୍ତା ଦିଆଯିବ । ଏଣିକି ଝିଅ ଶିଶୁଙ୍କ ଘରକୁ ଫୁଲ ଓ ରଙ୍ଗୋଲିରେ ସଜାଯିବ । ରାସ୍ତାରେ ମିଠା ବଣ୍ଟାଯିବ । ଏଥିରେ ଜିଲ୍ଲା ଓ ବ୍ଲକ ସ୍ତରର ଅଧିକାରୀ, ଅଙ୍ଗୱାଡି କର୍ମୀ ଓ ସ୍କୁଲ ପିଲାମାନେ ସାମିଲ ହେବେ ବୋଲି ସେ କହିଛନ୍ତି ।

ଜିଲ୍ଲା ପ୍ରଶାସନ ଝିଅ ଶିଶୁଟିର ବାପା ମାଙ୍କୁ ସମ୍ମାନିତ କରିବେ । ଏଥିସହିତ ଜିଲ୍ଲା ଓ ବ୍ଲକ ସ୍ତରର ଅଫିସରମାନେ ହଜାରେ ଟଙ୍କା ଝିଅ ନାଁରେ ସୁକନ୍ୟା ସମ୍ବୃଦ୍ଧି ଯୋଜନାରେ ଜମା କରିବେ । ଶିଶୁଟିର ସ୍ବାସ୍ଥାବସ୍ଥାର ନିୟମିତ ପରୀକ୍ଷା ସହ ଜନ୍ମ ମାତ୍ରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଶିଶୁଟିର ଘରକୁ ଯାଇ ତାଙ୍କୁ ଏକ ମେଡିକାଲ କିଟ ଯୋଗାଇଦେବେ । ପ୍ରାଥମିକ ସ୍ତରରେ ଏହି ଯୋଜନା ପ୍ରତି ମାସରେ ବ୍ଲକ ଓ ପଂଚାୟତ ସ୍ତରରେ ଆୟୋଜିତ କରାଯିବ ବୋଲି ଗଂଜାମ ଜିଲ୍ଲାପାଳ କହିଛନ୍ତି ।

ଗଂଜାମ ଜିଲ୍ଲାପାଳଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ବିଶ୍ବବିଦ୍ୟାଳୟର ସାମାଜ ବିଜ୍ଞାନ ପ୍ରଫେସରମାନେ ପ୍ରଶଂସା କରିଛନ୍ତି । ସେମାନେ କହିଛନ୍ତି ଯେ, ସମାଜ ପାଇଁ କନ୍ୟା ଶିଶୁଙ୍କ ଭୂମୀକା ଗୁରୁତ୍ବପୂର୍ଣ୍ଣ । ପ୍ରତ୍ୟେକ ପୁରୁଷଙ୍କ ପାଇଁ ଜଣେ ମା, ଭଉଣୀ ଓ ପତ୍ନୀଙ୍କ ସ୍ଥାନକୁ ପୂରଣ କରିଥାନ୍ତି ଝିଅମାନେ । ଝିଅମାନେ ହେଉଛନ୍ତି ଶକ୍ତିର ପ୍ରତିକ । ଏଭଳି ପଦକ୍ଷେପକୁ ଅନ୍ୟ ଜିଲ୍ଲାଗୁଡିକ ଆପଣେଇବା ଉଚିତ ବୋଲି ସେମାନେ ମତ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen + 11 =