ଆଇଜିଏଚ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କଂଗ୍ରେସର ଚିଠି 

ଭୁବନେଶ୍ବର : ରାଉରକେଲାରେ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ ଲାଗି କଂଗ୍ରେସ ପତ୍ର ଲେଖିଛି । ପ୍ରଧାନମନ୍ତ୍ରୀ ସମୟ ଦେଲେ ଏ ସଂକ୍ରାନ୍ତରେ ଆଲୋଚନା ସହିତ ଆଦାୟ ହୋଇଥିବା ୨୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ପ୍ରଦାନ କରାଯିବ ।

ବିରୋଧିଦଳ ନେତା ନରସିଂହ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଏହି ସୂଚନା ଦେଇଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ ୨୦୧୫ ମସିହା ଏପ୍ରିଲ୍‍ ପହିଲାରେ ପ୍ରଧାନମନ୍ତ୍ରୀ ରାଉରକେଲା ଗସ୍ତରେ ଆସିଥିବାବେଳେ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ପ୍ରତିଷ୍ଠା ନେଇ ପ୍ରତିଶ୍ରୁତି ଦେଇଥିଲେ ।

ହେଲେ ତିନିବର୍ଷ ପରେ ଏ ଦିଗରେ କୌଣସି କାର୍ଯ୍ୟ ହେଲାନାହିଁ । ବିଳମ୍ବ ପ୍ରତିବାଦରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାପାଇଁ ନୂଆଦିଲ୍ଲୀ ପଦଯାତ୍ରା କରିଥିବା ସୁନ୍ଦରଗଡର ମୁକ୍ତିକାନ୍ତ ବିଶ୍ବାଳଙ୍କୁ ପ୍ରଧାନମନ୍ତ୍ରୀ ତ ଦେଖା ଦେଉନାହାନ୍ତି ଓଲଟା ପୁଲିସ୍‍ ତାଙ୍କୁ ଯନ୍ତର ମନ୍ତରରେ ଧାରଣାର ବି ସୁଯୋଗ ଦେଇନାହିଁ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବି ତାଙ୍କୁ ଭର୍ତ୍ସନା କଲେ ।

ଏହିସବୁ ପ୍ରସଙ୍ଗରେ ଆଲୋଚନା ଲାଗି ପ୍ରଧାନମନ୍ତ୍ରୀଙ୍କୁ ସମୟ ମଗାଯାଇଛି । ସମୟ ମିଳିଲେ ରାଜ୍ୟ କଂଗ୍ରେସ ବିଧାୟକଙ୍କ ସମେତ ସାଂସଦ ରଞ୍ଜିବ ବିଶ୍ବାଳ ପ୍ରଧାମନ୍ତ୍ରୀଙ୍କୁ ସାକ୍ଷାତ କରିବେ । ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ରାଉରକେଲାର ଆଇଜିଏଚ୍‍ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ହୋଇନପାରିବା ଉଭୟ ସୁନ୍ଦରଗଡ ଓ ଓଡିଶାବାସୀଙ୍କ କ୍ଷତିକାରକ । ଭାରତ ଭଳି ଗଣତାନ୍ତ୍ରିକ ଦେଶର ପ୍ରଧାନମନ୍ତ୍ରୀ ଏଭଳି ମିଥ୍ୟା ପ୍ରତିଶ୍ରୁତି ଦେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ମିଶ୍ର କହିବା ସହିତ ଏହା ଗଣତନ୍ତ୍ରକୁ ଧ୍ବଂସ ଓ ଫାଶୀବାଦ ଆଡକୁ ନେଇଯିବ ବୋଲି ମତ ଦେଇଛନ୍ତି ।

ରାଉରକେଲା ସୁପର ସ୍ପେିଶିଆଲିଷ୍ଟ ହସ୍ପିଟାଲ ନିର୍ମାଣ ପାଇଁ ସହାୟତା ଦେବାକୁ କଂଗ୍ରେସ ସଭାପତି ରାହୁଳ ଗାନ୍ଧୀ ଆହ୍ବାନ ଦେବାପରେ ଏବେ ୨୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମିଳି ସାରିଲାଣି । ଏହି ଅର୍ଥକୁ ଟୋକନ ଭାବେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯିବ । କେନ୍ଦ୍ର ସରକାରଙ୍କ ବିନା ସହାୟତାରେ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ନିର୍ମାଣ ସମ୍ଭବ ନଥିବାରୁ ତୁରନ୍ତ ଏହାର କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

13 + twenty =