ମହାନଦୀ ଆନ୍ଦୋଳନରେ ଶିକ୍ଷକ

ଭୁବନେଶ୍ବର : ଷାଠିଏ ହଜାରରୁ ଅଧିକ ସଦସ୍ୟ ଥିବା ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ ଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଆନ୍ଦୋଳନକୁ ଏହା ବଳ ଯୋଗାଇବ ବୋଲି ଆବାହକ ସୁଦର୍ଶନ ଦାସ କହିଛନ୍ତି ।

ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମିଳିତ ମଞ୍ଚର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଆନ୍ଦୋଳନକୁ ସମର୍ଥନ କରୁଥିବା ଘୋଷଣା କରିଥିଲେ । ମଞ୍ଚର ଆବାହକ ଗୋଲକ ନାୟକ କହିଥିଲେ ଯେ ତାଙ୍କ ସଂଗଠନ ସହିତ ୧୦ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ସାମିଲ ଅଛନ୍ତି ।

ଏହାଦ୍ବାରା ଆଗାମୀ ଦିନରେ କର୍ମଚାରୀ, ଶିକ୍ଷକଙ୍କ ସହିତ ଛାତ୍ରଛାତ୍ରୀମାନେ ମଧ୍ୟ ମହାନଦୀ ଆନ୍ଦୋଳନରେ ସାମିଲ ହୋଇ ପାରିବେ ଓ ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବ । ଶ୍ରୀ ନାୟକ କହିଥିଲେ ଯେ ଅଣମୌସୁମୀ ସମୟରେ ଜଳର ସଙ୍କଟ ଦେଖାଦେବାବେଳେ ମୌସୁମୀ ସମୟରେ ଅକସ୍ମାତ ବନ୍ୟାର ଆଶଙ୍କା ମଧ୍ୟ ଛତିଶଗଡଗର ବ୍ୟାରେଜ ନିର୍ମାଣ ଯୋଗୁଁ ସୃଷ୍ଟି ହୋଇଛି । ଏହି ସଙ୍କଟରୁ ମହାନଦୀର ସୁରକ୍ଷାପାଇଁ ସକଳ ସ୍ତରରେ ପ୍ରୟାସ ହେବା ଆବଶ୍ୟକ । ତାହାକୁ ଦୃଷ୍ଟିରେ ରଖି ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ମିଳିତ ମଞ୍ଚ ମହାନଦୀ ବଞ୍ଚାଅ ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ସ୍କୁଲ କଲେଜର ପିଲାମାନଙ୍କ ଭିତରେ ମହାନଦୀ ସୁରକ୍ଷା ପ୍ରସଙ୍ଗକୁ ବ୍ୟାପକ ଭାବରେ ଆଲୋଚନା କରିବା ସହିତ ଏହାର ସୁରକ୍ଷା ଦିଗରେ ହେଉଥିବା ପ୍ରୟାସରେ ସେମାନଙ୍କୁ ଯୋଡିବା ହେଉଛି ଆଜି ଦିନରେ ସବୁଠୁ ବଡ ଆବଶ୍ୟକତା ।

କାରଣ ମହାନଦୀର ବର୍ତ୍ତମାନର ସ୍ଥିତି ଆଗାମୀ ପୀଢୀ ପାଇଁ ବିଷମୟ ପରିସ୍ଥିତି ସୃଷ୍ଟି କରିବ ଏବଂ ସେଥିପାଇଁ ବର୍ତ୍ତମାନର ଛାତ୍ର ସମାଜ ସଚେତନ ହେବା ସହିତ ବିଭିନ୍ନ ପ୍ରୟାସରେ ସାମିଲ ହେବା ଜରୁରୀ ବୋଲି ଶ୍ରୀ ଦାଶ କହିଛନ୍ତି । ଏହି ଆନ୍ଦୋଳନରେ ପୂର୍ବରୁ ଆଇନ୍‍ଜୀବୀ ଓ ବ୍ୟବସାୟୀମାନେ ସାମିଲ ହୋଇଥିବାବେଳେ ଏବେ ଶିକ୍ଷକ ଓ କର୍ମଚାରୀଙ୍କ ସମର୍ଥନ ଏହାକୁ ଆଗକୁ ନେବାରେ ସକ୍ଷମ ହେବବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × five =