କାଳିଆରେ କ୍ରିଷନ ଇଫେକ୍ଟ : ଚାଷୀ ଖୁସ୍, ମୁଖ୍ୟମନ୍ତ୍ରୀ ବି ଖୁସ୍

ଭୁବନେଶ୍ବର () ଯୁବ ଆଇଏଏସ ଅଫିସର କ୍ରିଷନ କୁମାର ପୁଣି ଥରେ ନିଜ ଦକ୍ଷତା ଏବଂ ପ୍ରତିବଦ୍ଧତାର ପ୍ରମାଣ ଦେଇଛନ୍ତି । ବିଭିନ୍ନ କାରଣରୁ ଅଭାବ ଅନାଟନ ମଧ୍ୟରେ ରହୁଥିବା ଚାଷୀଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରିବାକୁ ରାଜ୍ୟ ସରକାର କାଳିଆ ଯୋଜନାର ପରିକଳ୍ପନା କରିଥିଲେ । ଏହି ଯୋଜନା କାର୍ଯ୍ୟକାରିତାର ପୂରା ଉତ୍ତରଦାୟିତ୍ବ ରହିଥିଲା କ୍ରିଷନଙ୍କ ଉପରେ । ଗତ 25 ତାରିଖରେ 12ଲକ୍ଷ 45 ହଜାରରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ 5000 ଟଙ୍କା ଲେଖାଏଁ ସହାୟତା ରାଶି ଜମା ହେବା ଏହି ଯୋଜନା ସଫଳତାର ବଳିଷ୍ଠ ନମୂନା ।

ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବିରୋଧୀ ବାରମ୍ବାର ଋଣଛାଡ ଦାବି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନା ଆରମ୍ଭ କଲେ । ଏହି ଯୋଜନାରେ ଚାଷୀଙ୍କୁ 5ଟି କୃଷି ଋତୁରେ 5ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ । ଏଥିସହିତ କୃଷି ଶ୍ରମିକଙ୍କୁ ଜୀବନଜୀବିକା ସହୟତା ଏବଂ 50 ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡର ମଧ୍ୟ ବ୍ୟବସ୍ଥା ରହିଛି । ଏହି ଯୋଜନାରେ ଭୂମୀହୀନ ଏବଂ କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ଗୁରୁତ୍ବ ଦିଆଯାଇଛି । ଏବେ ଏହି ଯୋଜନାକୁ ଅନ୍ୟ ରାଜ୍ୟ ଏପରିକି କେନ୍ଦ୍ର ସରକାର ମଧ୍ୟ ଅନୁକରଣ କରି ସମାନ ଢାଞ୍ଚାରେ ନିଜସ୍ବ ଯୋଜନା ପ୍ରସ୍ତୁତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏକ ସମୟରେ ଦେଶବ୍ୟାପୀ ରାଜନୈତିକ ଭାଷଣବାଜୀରେ କୃଷିଋଣ ଛାଡ ଦାବି ଉଠୁଥିବା ବେଳେ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଆର୍ଥିକ ସହାୟତା ପ୍ରଦାନର ସଫଳ କାର୍ଯ୍ୟକାରିତା ଥିଲା ସବୁଠାରୁ ବଡ ପ୍ରଶ୍ନ ।

ମୁଖ୍ୟମନ୍ତ୍ରୀ କେଉଁ ବ୍ୟକ୍ତିଙ୍କୁ କେଉଁ ଉତ୍ତରଦାୟିତ୍ବ ଦେବେ ତାହା ଭଲଭାବେ ପରଖିଛନ୍ତି । ତେଣୁ ଏହି ଯୋଜନା ଘୋଷଣା ହେବା ମାତ୍ରେ କ୍ରିଷନ କୁମାର, ଯିଏକି ଗୁରୁତ୍ବପୂର୍ଣ୍ଣ ଓ କ୍ରିଟିକାଲ ଘଟଣାକୁ ସଫଳତାର ସହ ସମ୍ଭାଳିନେବାର ଦକ୍ଷତା ରଖନ୍ତୁ, ତାଙ୍କୁ ସମବାୟ ବିଭାଗର ସଚିବ ଭାବେ ଦାୟିତ୍ବ ଦିଆଗଲା । ଯେହେତୁ ଏହି ଯୋଜନା ମୂଳତଃ କୃଷି ବିଭାଗ ଦ୍ବାରା କାର୍ଯ୍ୟକାରୀ ହେବ ଏବଂ ସମବାୟ ବିଭାଗ ଏହାର ଆଇଇସି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବ, ସେହି ଦୃଷ୍ଟିରୁ କ୍ରିଷନଙ୍କୁ କୃଷି ବିଭାଗର ସ୍ବତନ୍ତ୍ର ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ଦିଆଗଲା ।

ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କାଳିଆ ଭଳି ବୃହତ ଯୋଜନାକୁ କାର୍ଯ୍ୟକାରୀ କରିବା ଏବଂ ସଠିକ ହିତାଧିକାରୀ ଚିହ୍ନଟ କରିବା ଏକ କଷ୍ଟସାଧ୍ୟ ଟାକ୍ସ ଥିଲା । ତେଣୁ କ୍ରିଷନ ନିଜ ବିଶ୍ବସ୍ତ ଅଫିସର ବଲବନ୍ତ ସିଂହଙ୍କୁ ସାଙ୍ଗରେ ରଖିଥିଲେ । ବଲବନ୍ତ ଏବେ ଓଡିଶା ଆଗ୍ରିକଲଚର ମାର୍କେଟିଂ ବୋର୍ଡର ସଦସ୍ୟ ସଚିବ ଅଛନ୍ତି । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ନିୟମିତ ଯୋଗାଯୋଗରେ ତାଲିକା ପ୍ରସ୍ତୁତିକୁ ନିୟମିତ ମନିଟର କରୁଥିଲେ ବଲବନ୍ତ । ମାଲକାନଗିରିର ମୋଟୁ, ଗଜପତି ଜିଲ୍ଲାର ରାୟଗଡା, ବରଗଡ ଜିଲ୍ଲାର ଗାଇସିଲେଟ ଭଳି ଅଞ୍ଚଳରେ ଦୁର୍ବଳ ଇଣ୍ଟରନେଟ ବ୍ୟବସ୍ଥା ସତ୍ତ୍ବେ ଜିଲ୍ଲାପାଳମାନେ ତାଲିକା ପ୍ରସ୍ତୁତ କରିଛନ୍ତି ।

ତେବେ ଯାହା ହେଉନା କାହିଁକି, କ୍ରିଷନ କୁମାର ଓ ତାଙ୍କ ଟିମ, ଟିମ ୱାର୍କର ବଳିଷ୍ଠ ଉଦାହାରଣ ସୃଷ୍ଟି କରି ପ୍ରଥମ ପର୍ଯ୍ୟାୟ କାଳିଆ ଯୋଜନାରେ 12ଲକ୍ଷ 45ହଜାରରୁ ଅଧିକ ଚାଷୀଙ୍କୁ ସହୟତା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନସଫର କରିଛନ୍ତି । କାଳିଆ ଯୋଜନା ଯାହାକି ଆରମ୍ଭରୁ ଅତି କଷ୍ଟ ଏବଂ ଅସାଧ୍ୟ ବୋଲି ପ୍ରତ୍ୟୟ ହେଉଥିଲା, ତାହା ଟିମ ୱାର୍କ ଏବଂ ଟିମ ମାର୍ଶାଲମାନେ 24 ଘଣ୍ଟା ପରିଶ୍ରମ ଯୋଗୁଁ ସଫଳତାରେ ରୂପାନ୍ତରିତ ହୋଇଛି ।

କାଳିଆ ଯୋଜନାର ସବୁଠାରୁ ମହତ୍ବପୂର୍ଣ୍ଣ ଅଙ୍ଗଟି ହେଉଛି, ଏହାର ସ୍ବଚ୍ଛତା, ମଧ୍ୟସ୍ଥି ବିହୀନ ଏବଂ ସମସ୍ତଙ୍କୁ ସମପରିମାଣର ସହାୟତା ବଣ୍ଟନ । ଏହି ବ୍ୟବସ୍ଥାରେ ଚାଷୀଟି ଯେଉଁଠି ବି ଥାଉନା କାହିଁକି ତାଙ୍କ ହାତରେ ସହୟତା ରାଶି ପହଁଚୁଛି । ଏହାଦ୍ବାରା ଚାଷୀଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ସେମାନେ ରାଜ୍ୟର ଉତ୍ପାଦନ ବୃଦ୍ଧିରେ ଅଧିକ ଭାଗୀଦାରୀ ହୋଇପାରିବେ ।

ଏହି ଯୋଜନାର ସଫଳତାର ସବୁ ଶ୍ରେୟ ଟିମ ଲିଡର କ୍ରିଷନ କୁମାର ଜିଲ୍ଲା ମୁଖ୍ୟମାନଙ୍କୁ ଦେଇଛନ୍ତି । ତାଙ୍କ ମତରେ ଜିଲ୍ଲାପାଳମାନଙ୍କ କଠିନ ପରିଶ୍ରମ ଓ ପ୍ରଚେଷ୍ଟାରେ ହିଁ ଏତେବଡ ଯୋଜନାର ସଫଳ ରୂପାୟନ ସମ୍ଭବ ହୋଇଛି ।

Share

Leave a Reply

Your email address will not be published. Required fields are marked *

2 × five =