ଆକାଂକ୍ଷୀ ଜିଲ୍ଲାର ଆକାଂକ୍ଷା ପୂରଣ ହେଉନି

ଭୁବନେଶ୍ବର () ପଛୁଆ ଅଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାର ଓଡ଼ିଶାର ୧୦ଟି ଜିଲ୍ଲା ବାଛିଥିଲେ ମଧ୍ୟ ଏଥିପାଇଁ ସ୍ବତନ୍ତ୍ର ପାଣ୍ଠି ବରାଦ କରୁନଥିବାରୁ ଏହି ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ଆକାଂକ୍ଷା ପୂରଣ ହୋଇପାରୁନାହିଁ। ବଲାଙ୍ଗୀର, ଢେଙ୍କାନାଳ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଭଳି ଓଡ଼ିଶାର ୧୦ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲ୍ଲା ତାଲିକାରେ ସ୍ଥାନ ପାଇଛନ୍ତି।

ଏହି ଜିଲ୍ଲାଗୁଡ଼ିକରେ ସ୍ବତନ୍ତ୍ର ଭାବେ ସାମାଜିକ ସେବା ଯଥା ସ୍ବସ୍ଥ୍ୟ, ଶିକ୍ଷା, ଦକ୍ଷତା ବିକାଶ, ଆର୍ଥିକ ବିକାଶ, ଗ୍ରାମ୍ୟ ବିଦ୍ୟୁତୀକରଣ, ପାନୀୟ ଜଳ ଯୋଗାଣ, ପରିମଳ ଇତ୍ୟାଦି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ଆକାଂକ୍ଷୀ ଜିଲ୍ଲା ଘୋଷଣା ସମୟରେ କୁହାଯାଇଥିଲା । ତେବେ ଦୁଇ ବର୍ଷ ତଳୁ ଏହି ଘୋଷଣା ହୋଇଥିଲେ ମଧ୍ୟ କେବଳ ୧୦ଟି ଜିଲ୍ଲା ପାଇଁ ୧୦ ଜଣ କେନ୍ଦ୍ରୀୟ ପ୍ରଭାରୀ ଅଫିସର ନିଯୁକ୍ତି କରିଦେଇ କର୍ତ୍ତୃପକ୍ଷ ସତେଯେମିତି ନିଜ ଦାୟିତ୍ବ ଖସାଇ ଦେଇଛନ୍ତି ।

ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟର ତତ୍ବାବଧାନ ପାଇଁ ସଚିବ ପାହ୍ୟାର ଜଣେ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ତେଣୁ ୧୦ଟି ଯାକ ଆକାଂକ୍ଷୀ ଜିଲ୍ଲାରେ ପ୍ରଦୀପ୍ତ କୁମାର ମହାପାତ୍ର, ପ୍ରଦୀପ କୁମାର ଜେନା, ବିଷ୍ଣୁପଦ ସେଠୀ, ହେମନ୍ତ ଶର୍ମା, ବିଜୟ ଆରୋରା, ସି.ଏସ୍ କୁମାର, ଭି.ଭି ଯାଦବ, ଏନ୍.ଭି ଧଳ, ଏଲ୍.ଏନ୍ ଗୁପ୍ତା ଓ ପ୍ରମୋଦ ମେହେର୍ଦ୍ଦାଙ୍କ ଭଳି ବରିଷ୍ଠ ଅଧିକାରୀମାନେ ଦାୟିତ୍ବରେ ଅଛନ୍ତି ।

ଅଥଚ କେନ୍ଦ୍ର ସରକାର ଏହି ଜିଲ୍ଲାଗୁଡ଼ିକ ପାଇଁ ତାଙ୍କର ସ୍ବତନ୍ତ୍ର ପ୍ରଭାରୀ ଅଧିକାରୀ ନିଯୁକ୍ତ କରିଛନ୍ତି । ସୁରେଶ କୁମାର ବଶିଷ୍ଠ, ଯତିନ୍ଦ୍ର ନାଥ ସ୍ବାଇଁ, ସଞ୍ଜିବ କୁମାର ଚଢ଼ା, ବିଦ୍ୟୁତ୍ ବିହାରୀ ସ୍ବାଇଁ, ଶିଶିର କୁମାର ରଥ, ଉଷା ପାଢ଼ୀ, ସନ୍ତୋଷ କୁମାର ଷଡ଼ଙ୍ଗୀ, ସଞ୍ଜୟ ରସ୍ତୋଗୀ, ସନ୍ଦୀପ କୁମାର ନାୟକ ଓ ସତ୍ୟବ୍ରତ ସାହୁଙ୍କ ଭଳି କେନ୍ଦ୍ର ସରକାରଙ୍କ ବରିଷ୍ଠ ଆଇଏଏସ୍ ଓ ଆଇଏଫ୍ଏସ୍ ଅଫିସରମାନଙ୍କୁ ପ୍ରଭାରୀ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ଏହି ଅଫିସରମାନେ ମଝିରେ ମଝିରେ ଦିଲ୍ଲୀରୁ ଆସି ସମ୍ପୃକ୍ତ ଜିଲ୍ଲା ଗସ୍ତ କରୁଛନ୍ତି ।

ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ଆକାଂକ୍ଷା ପୂରଣ କରିବା ଲାଗି ସ୍ବତନ୍ତ୍ର ପାଣ୍ଠି ବରାଦ କରିବାରକୁ ରଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ ଅନୁରୋଧ କରିଚାଲିଛନ୍ତି । ଏମିତିକି କେନ୍ଦ୍ରୀୟ ପ୍ରଭାରୀ ବୈଠକରେ ବି ଏ କଥା ଉଠିଛି । ଏହାସତ୍ତ୍ବେ ପଛୁଆ ଅଞ୍ଚଳ ବୋଲି ଚିହ୍ନିତ ହୋଇଥିବା ଏହି ୧୦ଟି ଆକାଂକ୍ଷୀ ଜିଲ୍ଲାର ବିକାଶ ପାଇଁ କିନ୍ତୁ ପଇସାଟିଏ ହେଲେ ଆକାଂକ୍ଷୀ ପାଣ୍ଠି ମିଳିନାହିଁ । ତେଣୁ ଅନ୍ୟ ଜିଲ୍ଲାଗୁଡ଼ିକରେ ରାଜ୍ୟ ବଜେଟରେ ଯେମିତି କାମ ଚାଲିଛି ଏହି ଜିଲ୍ଲାଗୁଡ଼ିକରେ ତାହା ଅପେକ୍ଷା ଅଧିକ କାମ କରାଇବା ସମ୍ଭବପର ହେଉନାହିଁ ।

Share

Leave a Reply

Your email address will not be published. Required fields are marked *

eight + one =