ଘୋଷଣା ହେଲା, କାର୍ଯ୍ୟକାରୀ ହେଉନି

ଭୁବନେଶ୍ୱର () ବହୁପ୍ରତିକ୍ଷିତ ଝାରସୁଗୁଡା ବିମାନ ବନ୍ଦରର ଉଦଘାଟନ ହେଲା । ନିଜେ ପ୍ରଧାନମନ୍ତ୍ରୀ ଆସିଲେ । ପଶ୍ଚିମ ଓଡିଶା ବିକାଶର ରଙ୍ଗୀନ ଚିତ୍ର ଦେଖାଇଲେ । ହେଲେ ଏଯାଏଁ ନା ବିମାନ ଉଡିଲା ନା ବିମାନ ବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା।  ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଉଦବେଗ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ।

ଝାରସୁଗୁଡା ବିମାନ ବନ୍ଦରର ନାମ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବା ପାଇଁ ରାଜ୍ୟ ସରକାର ସୁପାରିଶ କରିଥିଲେ। ୨୨ ତାରିଖରେ ଉଦଘାଟନ ଉତ୍ସବରେ ମଧ୍ୟ ବିମାନ ବନ୍ଦର ନାମକରଣ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ଉଠାଇ ଥିଲେ। ହେଲେ ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କଲେ ନାହିଁ। ତୁରନ୍ତ ଏଦିଗରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ନବୀନ।

ଏଥିସହ ଉଡାନ ଯୋଜନାରେ ସେବା ଆରମ୍ଭ କରିଥିବା ଏୟାର ଓଡିଶା ଗତ ୬ ତାରିଖରୁ ବିମାନ ସେବା ବାତିଲ କରିଛି। କୌଣସି ସନ୍ତୋଷଜନକ କାରଣ ନଦର୍ଶାଇ ସଂସ୍ଥା ସେବା ବାତିଲ କରିବା ଯୋଗୁଁ ରାଜ୍ୟର ବିମାନ ସେବାକୁ ଶକ୍ତ ଧକ୍କା ଲାଗିଛି। ଏଥିସହ ପଶ୍ଚିମ ଓଡିଶା ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି। ତୁରନ୍ତ ବିମାନ ସେବା ଆରମ୍ଭ କରିବା ପାଇଁ ଏୟାର ଓଡିଶାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

ଝାରସୁଗୁଡାରୁ ରାଜ୍ୟର ଅନ୍ୟ ଅଞ୍ଚଳ ଓ ପଡୋଶୀ ରାଜ୍ୟକୁ ବିମାନ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି। ଏପରିକି ଭୁବନେଶ୍ୱର ନୂଆଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଭାୟା ଝାରସୁଗୁଡା ଦେଇ ଯିବା ପାଇଁ ଅନୁମତି ଦିଆଯାଉ ବୋଲି କହିଛନ୍ତି। ଏପରି ହେଲେ ପଶ୍ଚିମ ଓଡ଼ିଶାର ଲୋକେ ଉପକୄତ ହୋଇପାରିବେ।

Share

Leave a Reply

Your email address will not be published. Required fields are marked *

fifteen + 9 =