ମହତ୍ମାଙ୍କ 150ତମ ଜୟନ୍ତୀ ସହ ସ୍ବାଧୀନତା ଦିବସ ପାଳନର ସ୍ବତନ୍ତ୍ର ଆୟୋଜନ

ଭୁବନେଶ୍ବର () ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ପାଇଁ ରାଜ୍ୟ ସରକାର ସ୍ଥାନ ପରିବର୍ତ୍ତନ କରିଛନ୍ତି । ସ୍ଥାନ ପରିବର୍ତ୍ତନର ଆବଶ୍ୟକତା ଏବଂ ଏହା କାହିଁକି ଯୁକ୍ତିଯୁକ୍ତ ସେନେଇ ନିଜେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି । ଏଥର ସ୍ବାଧୀନତା ଦିବସ ସହ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତକୁ ସ୍ବତନ୍ତ୍ର ଭାବେ ପାଳନ କରାଯିବ । ଏଥିପାଇଁ ପ୍ରଦର୍ଶନୀ ପଡିଆରେ ସ୍ବତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଉଛି ।

ମହାତ୍ମା ଗାନ୍ଧୀ ଓଡିଶାକୁ ମୋଟ 8 ଥର ଆସିଥିବା ବେଳେ 82 ଦିନ ରହିଛନ୍ତି । ଏହି ଅବସରରେ ସେ ଯେଉଁସବୁ ଅଂଚଳକୁ ଗସ୍ତ କରିଛନ୍ତି ସେଠାରେ ତାଙ୍କର ସ୍ମୃତି ରହିଛି । ଓଡିଶା ସହ ମହାତ୍ମାଙ୍କ ସଂପର୍କ ଏବଂ ସ୍ବାଧୀନତା ସଂଗ୍ରାମରେ ଓଡିଶାର ଅବଦାନକୁ ନେଇ ଏଥର ଏକ ସ୍ବତନ୍ତ୍ର ପ୍ରଦର୍ଶନୀର ଆୟୋଜନ କରାଯାଇଛି । ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ଜୟନ୍ତି ପାଳନ ଅବସରରେ ଏଭଳି ଆୟୋଜନ କରାଯାଇଛି । ଏଥିସହିତ ଜାତୀୟ ସ୍ତରରେ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନକୁ ଅନୁକରଣ କରି ଓଡିଶାରେ ମଧ୍ୟ ଏଥର ସ୍ବାଧୀନତା ଦିବସକୁ ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ ସୀମିତ ରଖାଯିବ ବୋଲି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ।

ତେବେ ଆଜି ପୂର୍ବାହ୍ନରେ ବିଜେପି ଉପସଭାପତି ପୃଥ୍ବୀରାଜ ହରିଚନ୍ଦନ ପ୍ରଦର୍ଶନୀ ପଡିଆରେ ସ୍ବାଧୀନତା ଦିବସ ପାଳନକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାର ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସେ କହିଛନ୍ତି ଯେ, ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଭଳି ଜାତୀୟ ଦିବସ ପାଳନରେ ଜାତୀୟ ସ୍ତରୀୟ ମଡେଲକୁ ଗ୍ରହଣ କରିବା ଉଚିତ । ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପାଳନ ରାଷ୍ଟ୍ରପତିଙ୍କ ପ୍ୟାରେଡ ଅଭିବାଦନ ଗ୍ରହଣ ଭତ୍ତିକ ହୋଇଥିବା ବେଳେ ସ୍ବାଧୀନତା ଦିବସ ପାଳନ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଭିତ୍ତିକ ହୋଇଥାଏ । ରାଜ୍ୟ ମଧ୍ୟ କେନ୍ଦ୍ରୀୟ ମଡେଲକୁ ଅନୁକରଣ କରି ସେହି ଢାଞ୍ଚାରେ ସ୍ବାଧୀନତା ଦିବସ ପାଳନ କରିବାକୁ ଚିନ୍ତା କରିଛି । ରାଜ୍ୟ ବିଜେପି ନେତା କିନ୍ତୁ ସ୍ବାଧୀନତା ଦିବସ ପାଳନରେ ଜାତୀୟ ମଡେଲକୁ ବୁଝିନାହାଁନ୍ତି । ତାଙ୍କ ନିଜ ଦଳ କେନ୍ଦ୍ରରେ କ୍ଷମତାରେ ଥିଲେ ବି ସେମାନେ ଜାତୀୟ ମଡେଲକୁ ବୁଝିପାରୁନାହାଁନ୍ତି ବୋଲି ସସ୍ମିତ କହିଛନ୍ତି ।

ସ୍ବାଧୀନତା ଦିବସ ପାଳନ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି ନକରି ମହାତ୍ମା ଗାନ୍ଧୀଙ୍କ ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନ ଦେବାକୁ ବିଜେପି ନେତାମାନେ ଦାବି କରିବା ଉଚିତ । ଏଥିସହିତ ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଆରମ୍ଭ କରିଥିବା ଏକଲକ୍ଷ ଦସ୍ତଖତ ଅଭିଯାନରେ ସାମିଲ ହେବାକୁ ପୃଥ୍ବୀରାଜଙ୍କୁ ସସ୍ମିତ ପରାମର୍ଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

13 − 13 =