‘ଡବଲ ଇଞ୍ଜିନ’ ରାଜ୍ୟଠାରୁ ବିକାଶ ପ୍ରକ୍ରିୟାରେ ଓଡିଶା ଆଗରେ

ଭୁବନେଶ୍ୱର (): ଓଡ଼ିଶା ଭାରତବର୍ଷରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରି ବିକାଶ ଓ ପ୍ରଗତିର ଏକ ଉତ୍ତମ ଉଦାହରଣ ଭାବରେ ବିବେଚିତ ହେଉଥିଲା ବେଳେ ଭାରତୀୟ ଜନତା ପାର୍ଟିର ଡବଲ ଇଞ୍ଜିନ୍‍ ସଂପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ଏବଂ ଯେଉଁଠି ବିଜେପିର ଡବଲ ଇଞ୍ଜିନ ଲାଗିଛି ସେହି ରାଜ୍ୟଗୁଡିକ ଭାରତବର୍ଷରେ ପଛରେ ପଡିଯାଇଛନ୍ତି । ନୀତି ଆୟୋଗର ତଥ୍ୟକୁ ଭିତ୍ତିକରି ଏକ ରାଷ୍ଟ୍ରୀୟ ଖବରକାଗଜରେ ଉଲ୍ଲେଖିତ ଆର୍ଟିକିଲ୍‍ରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି ଯେ କେଉଁ ପ୍ରକାର ଓଡ଼ିଶା ଏକ ଦକ୍ଷ ସିଙ୍ଗଲ ଇଞ୍ଜିନ୍‍ରେ ଗତ ୧୯ ବର୍ଷ ମଧ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲା ବେଳେ ବିଜେପିର ଡବଲ ଇଞ୍ଜିନ୍‍ ରାଜ୍ୟଗୁଡିକ ଫେଲ୍ ମାରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ଲେଲିନ ମହାନ୍ତି ଓ ସୁଲତା ଦେଓ ଏହା ଦାବି କରିଛନ୍ତି ।

ନୀତି ଆୟୋଗର ତଥ୍ୟ ଉପରେ ଭିତ୍ତିକରି ସ୍ପଷ୍ଟ ଜଣାପଡୁଛି ଯେ ବିଜେପିର ଡବଲ ଇଞ୍ଜିନ ରାଜ୍ୟ ଯଥା, ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ବିହାରର ଅତ୍ୟନ୍ତ ଶୋଚନୀୟ ଅବସ୍ଥା ଅଛି । ଗୁଜରାଟ ମଡେଲ୍‍ ଡିଣ୍ଡିମ ପିଟୁଥିବା ବିଜେପି ପାଖରେ ଆଉ ମୁହଁ ନାହିଁ ନିଜର ଡବଲ ଇଞ୍ଜିନ ସରକାରର ବିଫଳତାକୁ ଲୁଚାଇବା ପାଇଁ । ଅପରପକ୍ଷରେ ଓଡ଼ିଶା ଗତ ୧୯ ବର୍ଷ ମଧ୍ୟରେ ତୀବ୍ର ଗତିରେ ବିକଶିତ ହୋଇଛି ଏବଂ ବିଜେପିର ଏହି ଡବଲ ଇଞ୍ଜିନ ରାଜ୍ୟଗୁଡିକ ପଛରେ ଛାଡ଼ି ଦେଇଛି ବୋଲି ଏହି ଆର୍ଟିକିଲ୍‍ରେ ଉଲ୍ଲେଖିତ ହୋଇଛି । ଦାରିଦ୍ର‌୍ୟ ହାରରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ ଥିଲାବେଳେ ପଛରେ ପଡିଯାଇଛି ବିଜେପିର ଡବଲ ଇଞ୍ଜିନ ରାଜ୍ୟ, ଯଥା ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାର । ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଓଡ଼ିଶା ବିଜେପିର ଡବଲ ଇଞ୍ଜିନ ରାଜ୍ୟଗୁଡିକୁ ପଛରେ ଛାଡ଼ି ଆଗେଇ ଥିଲାବେଳେ ବିଜେପି ଶାସିତ ଆସାମ, ଉତ୍ତରପ୍ରଦେଶ, ନାଗାଲାଣ୍ଡ ଭାରତବର୍ଷରେ ଏହି କ୍ଷେତ୍ରରେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ପ୍ରଦର୍ଶନ କରିଛନ୍ତି ବୋଲି ସସ୍ମିତ କହିଛନ୍ତି ।

ମନରେଗା କାର୍ଯ୍ୟକ୍ରମରେ ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ରାଜ୍ୟଗୁଡିକ ହେଉଛି, ବିଜେପିର ଡବଲ ଇଞ୍ଜିନ ରାଜ୍ୟ ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ । ୧୫ବର୍ଷ ହେଲା ଶାସନ କରୁଥିବା ବିଜେପି ଏହି ରାଜ୍ୟମାନଙ୍କରେ ଯେହେତୁ ବିଫଳ ହୋଇଛି, ସେଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ ବିଜେପିର ଡବଲ ଇଞ୍ଜିନ ଫର୍ମୁଲା ବିଫଳତାର ଶୀର୍ଷରେ ପହଞ୍ଚାଉଛି । କିନ୍ତୁ ବିଜେଡିର ସିଙ୍ଗଲ ଇଞ୍ଜିନ୍‍ ଉଲ୍ଲେଖନୀୟ କାର୍ଯ୍ୟ ଓ ପ୍ରଦର୍ଶନ କରୁଛି । ଏକ ନବୀନ ଓଡ଼ିଶା ବା ନୂତନ ଓଡ଼ିଶାର ଗଠନରେ ବିଜେଡି ଚେଷ୍ଟିତ ଏବଂ ଏହି କ୍ରମରେ ଗତ ୧୯ ବର୍ଷ ମଧ୍ୟରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଛି । ଦେଶରେ ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ୧ନଂ ରାଜ୍ୟ ଭାବରେ ବିବେଚିତ ହେଉଥିଲା ବେଳେ ମିଶନ ଶକ୍ତି ମାଧ୍ୟମରେ ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି, ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି ବୋଲି ସେ କହିଛନ୍ତି ।

ଜାତିସଂଘ ଠାରୁ ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟକୁ ଉଚ୍ଛ୍ୱସିତ ପ୍ରଶଂସା କରାଯାଇଛି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ କାଳିଆ ଯୋଜନା ଭଳି ଅନେକ ଉଲ୍ଲେଖନୀୟ ଯୋଜନା ବିଜେଡି ଓଡ଼ିଶାବାସୀଙ୍କ ପାଇଁ କରିଥିଲା ବେଳେ ସାଢ଼େ ୪ ଲକ୍ଷ କୋଟି ଟଙ୍କା ଶିଳ୍ପାୟନ କ୍ଷେତ୍ରରେ ନିବେଶ, ଶିଶୁ ଓ ମାତୃ ମୃତ୍ୟୁହାରକୁ ହ୍ରାସ କରିବାରେ ଓଡ଼ିଶା ଉଲ୍ଲେଖନୀୟ ଅବଦାନ ହାସଲ କରିଛି । ସେହିପରି ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା, ଚାରିଥର କୃଷିକର୍ମଣ ପୁରସ୍କାର ପାଇବା, ୨୦ ଲକ୍ଷ ପକ୍କା ଘର ନିର୍ମାଣ, ୪୧ ହଜାର କିଲୋମିଟର ଗାଁ ରାସ୍ତା ନିର୍ମାଣ, ୯ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ ଓ ଦେଶରେ ଏକ ଶ୍ରେଷ୍ଠ ରାଜ୍ୟ ଭାବରେ ପରିଗଣିତ ହେବା ବିଜୁ ଜନତା ଦଳର ଓଡ଼ିଶାବାସୀଙ୍କ ପ୍ରତି ପ୍ରତିବଦ୍ଧତାକୁ ପ୍ରତିପାଦିତ କରୁଛି । ବିରୋଧୀ ଦଳମାନେ ଓଡ଼ିଶା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା କ୍ଷୀପ୍ର ଗତିରେ ପ୍ରଗତିର ପାହାଚ ଚଢ଼ି ଚଢ଼ି ଯାଉଛି । ସାଢ଼େ ୪ କୋଟି ଓଡ଼ିଆଙ୍କର ଅକୁଣ୍ଠ ପ୍ରେମ, ସମର୍ଥନ ଓ ଆଶୀର୍ବାଦ କ୍ରମେ ବିଜୁ ଜନତା ଦଳ ପଞ୍ଚମଥର ପାଇଁ ସରକାରକୁ ଆସିବ ଏବଂ ଓଡ଼ିଶାବାସୀଙ୍କ ସେବା କରୁଥିବ ବୋଲି ବିଜେଡି ଦାବି କରିଛି ।

Share

Leave a Reply

Your email address will not be published. Required fields are marked *

twenty − 7 =