ଚାରି ବର୍ଷର ହିସାବ ରଖିଲେ ଧର୍ମେନ୍ଦ୍ର

ଖଣି ଇ-ନିଲାମୀରୁ ଓଡିଶା ପାଇବ ୭୧,୭୮୩ କୋଟି ଟଙ୍କା

ଆୟୁଷ୍ମାନ ଭାରତ ଜରିଆରେ ରାଜ୍ୟର ୪୮ ଲକ୍ଷ ଗରିବ ପରିବାର ଉପକୃତ

ଉଜ୍ଜଳା ଯୋଜନାରେ ୨୫.୫ ଲକ୍ଷ ଏଲପିଜି ସଂଯୋଗ

ଉର୍ଜା ଗଙ୍ଗା ଯୋଜନାରେ ୧୩ ଜିଲ୍ଲା, ୧୧ ଶିଳ୍ପାଂଚଳ ସାମିଲ

ମୁଦ୍ରା ଯୋଜନାରେ ୮୪ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିଛି ଋଣ ସହାୟତା

ଉପକୂଳ ଜିଲ୍ଲା ପାଇଁ ଶିଳ୍ପ ଓ ପର୍ଯ୍ୟଟନ ସର୍କିଟର ପରିକଳ୍ପନା

ଭୁବନେଶ୍ବର () କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ଏନଡିଏ ସରକାର ଗତ ୪ ବର୍ଷ ମଧ୍ୟରେ ଓଡିଶାରେ ବିଭିନ୍ନ କ୍ଷେତ୍ରରେ ମୋଟ ୨,୮୬,୮୩୬ କୋଟି ଟଙ୍କାର ପୁଂଜି ନିବେଶ ଲାଗି ପ୍ରତିବଦ୍ଧ ହୋଇଛି । ସେଥିମଧ୍ୟରୁ କେବଳ ପେଟ୍ରୋଲିୟମ ଉଦ୍ୟୋଗରେ ୧,୩୪,୭୮୦ କୋଟି ଟଙ୍କାର ପୁଂଜି ବିନିଯୋଗ କରାଯାଉଛି । ଆଜି ଭୁବନେଶ୍ୱରଠାରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସମ୍ପାଦକ ଓ ବରିଷ୍ଠ ପତ୍ରକାରମାନଙ୍କ ସମ୍ମିଳନୀରେ ମତ ବିନିମୟ କାଳରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତିି ଯେ, ଜାତୀୟ ରାଜପଥ ଓ ରେଳପଥ ଭଳି ଭିତିଭୂମି କ୍ଷେତ୍ରରେ ୬୦ ହଜାର କୋଟିରୁ ଅଧିକ ପୁଂଜି ବିନିଯୋଗ କରାଯାଉଛି । କେବଳ ଜାତୀୟ ରାଜପଥ ବିକାଶ ପାଇଁ ୪୦,୧୦୩ କୋଟି ଟଙ୍କା ଏବଂ ରେଳବାଇର ଭିତିଭୂମି ବିକାଶ ଲାଗି ୨୦,୨୧୩ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଗତ ୪ ବର୍ଷ ମଧ୍ୟରେ ଓଡିଶା ପାଇଁ  ୮,୦୧୫ କୋଟି ଟଙ୍କା  ମଂଜୁର କରାଯାଇଛି । ଯାହାଦ୍ୱାରା ୧୮,୨୦୩ କିଲୋମିଟର ଗ୍ରାମ୍ୟ ସଡକ ନିର୍ମାଣ କରାଯାଉଛି । ନରେନ୍ଦ୍ର ମୋଦୀଙ୍କ ସରକାର କ୍ଷମତାକୁ ଆସିବା ପରେ ଗତ ୪ ବର୍ଷ ମଧ୍ୟରେ ୫,୪୯୯ କିଲୋମିଟର ରାସ୍ତା ନିର୍ମାଣ ହୋଇଛି । ପୂର୍ବରୁ ୟୁପିଏ ସରକାର ଅମଳରେ ୨୦୦୪ ରୁ ୨୦୧୪ ମଧ୍ୟରେ ୧,୩୫୮ କିଲୋମିଟର ରାସ୍ତା ନିର୍ମାଣ ହୋଇଥିଲା ।

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାର ଓଡିଶାର ଉପକୂଳବର୍ତୀ ଜିଲ୍ଲାଗୁଡିକୁ ନେଇ ଏକ ରାଜପଥ ସର୍କିଟ ଓ ବାହ୍ୟ ରିଙ୍ଗରୋଡର ବିସ୍ତୃତ ଯୋଜନା ପ୍ରସ୍ତୁତ କରୁଛନ୍ତି । ସେହିପରି ଏକ ଆଧୁନିକ ଶିଳ୍ପ ଓ ପର୍ଯ୍ୟଟନ ସର୍କିଟ ପ୍ରତିଷ୍ଠା ଲାଗି ମଧ୍ୟ ଯୋଜନା କରାଯାଇଛି । ଏହି ଯୋଜନାରେ ଗୋପାଳପୁର, ସାତପଡା, ପୁରୀ, କୋଣାର୍କ, ଅସ୍ତରଙ୍ଗ, ପାରାଦୀପ, ଧାମରା, ସାତଭାୟା, ଚାନ୍ଦିପୁଟ ଦେଇ ତଲସାରି ପର୍ଯ୍ୟନ୍ତ ବୃହତ ଉପକୂଳ ସଡକ ସର୍କିଟ ନିର୍ମାଣ କରାଯିବ । ଏହା ପର୍ଯ୍ୟଟନ ଉଦ୍ୟୋଗକୁ ବିକଶିତ କରିବା ସହ ଶିଳ୍ପ ପୁଂଜଗୁଡିକ ଗଢ଼ିଉଠିବ ।

ଓଡିଶାରେ ପେଟ୍ରୋଲିୟମ ଶିଳ୍ପର ବିକାଶ ସମ୍ପର୍କରେ ଅବତାରଣା କରି କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ପାରାଦୀପ ତୈଳ ବିଶୋଧନାଗାରରେ ଏବେ ଇଣ୍ଡମାକ୍ସ ଟେକ୍ନୋଲଜିର ବ୍ୟବହାର କରାଯାଉଛି ଯାହାକି ଏଲପିଜି ଉତ୍ପାଦନକୁ ବହୁ ପରିମାଣରେ ବଢ଼ାଇବ । ବିଶୋଧନ କ୍ଷମତାକୁ ବାର୍ଷିକ ୨୧ ନିୟୁତ ଟନକୁ ବୃଦ୍ଧି କରିବା ଲାଗି ଆଉ ୨୦ ହଜାର କୋଟି ଟଙ୍କାର ପୁଂଜି ନିବେଶ ହେବ । ଏବେ ପାରାଦୀପ ପ୍ଲାଷ୍ଟିକ ପାର୍କରେ ୮୦ଟି ବିନିର୍ମାଣ ୟୁନିଟ ଚାଲିଛି ଏବଂ ଏହାଦ୍ବାରା ୧୫ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି

ଓଡିଶାରେ ଏଲଏନଜି ଟର୍ମିନାଲ ପ୍ରତିଷ୍ଠା ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା କାର୍ଯ୍ୟକ୍ରମ ଅଧିନରେ ଧାମରା ଏଲଏନଜି ଟର୍ମିନାଲ ଓଡିଶା ପାଇଁ ପ୍ରାକୃତିକ ବାଷ୍ପ ଯୋଗାଣାର ବୃହତ ଉତ୍ସ ହେବ । ଏହାର ପୁନଃ ବାଷ୍ପିକରଣ କ୍ଷମତା ବାର୍ଷିକ ୫ ନିୟତ ମେଟ୍ରିକ ଟନ ହେବ ଏବଂ ଏଥିରେ ୫,୫୦୦ କୋଟି ଟଙ୍କା ବିନିଯୋଗ କରାଯାଉଛି ।

ଉର୍ଜା ଗଙ୍ଗା ଯୋଜନା ଅଧିନରେ ଓଡିଶାର ୧୩ଟି ଜିଲ୍ଲା ଦେଇ ୭୬୯ କିଲୋମିଟର ଗ୍ୟାସ ପାଇପ ଲାଇନ ବିଛା ଯାଉଛି । ଏହି ଜିଲ୍ଲାଗୁଡିକ ହେଲା – ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା ଏବଂ ଜଗତସିଂହପୁର । ସେହିପରି ଏହି ଗ୍ୟାସ ପାଇପ ଲାଇନ ନେଟୱାର୍କ ୧୧ଟି ଶିଳ୍ପାଂଚଳକୁ ସ୍ପର୍ଶ କରିବ । ତାଳଚେର ସାର ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, କୋଇଲା ବାଷ୍ପିକରଣ ଭିତିକ ସାର କାରଖାନା ଲାଗି ପେଟକୋକ ମିଶ୍ରଣ ଉପଯୋଗ କରାଯିବ । ଏହା ପରିବେଶ ଅନୁକୂଳ ମଧ୍ୟ । ଏଥିରେ ୧୧,୬୧୧ କୋଟି ଟଙ୍କା ବିନିଯୋଗ କରାଯାଇ ବାର୍ଷିକ ୧.୨୭ ନିୟୁତ ମେଟ୍ରିକ ଟନ ୟୁରିଆ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ଦ୍ୱାରା ୪,୫୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ । ପାରାଦୀପକୁ ଏକ ବନ୍ଦର ଭିତିକ ସ୍ମାର୍ଟ ସିଟି କରିବା ଲାଗି କେନ୍ଦ୍ର ସରକାର ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିଛନ୍ତି । ୨୦୨୦ ସୁଦ୍ଧା ବନ୍ଦର କ୍ଷମତା ୩୩୨ ନିୟୁତ ଟନକୁ ବୃଦ୍ଧି କରାଯିବ ଏବଂ ୯ଟି ବନ୍ଦର ସଂଯୋଗୀକରଣ ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

କେନ୍ଦ୍ର ସରକାର ଓଡିଶାକୁ ଅଧିକ ଗୁରୁତ୍ୱ ଦେଉଥିବା ସୂଚନା ଦେଇ ସେ କହିଥିଲେ ଯେ, ଏବେ ଓଡିଶାର ୧୦ଟି ଜିଲ୍ଲାକୁ ଅତିବ ମହତ୍ବାକାଂକ୍ଷୀ ଅଭିଳାଷୀ ଜିଲ୍ଲା ବିକାଶ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଓଡିଶାରେ ତଫସିଲଭୁକ୍ତ ଜାତିର ବିକାଶ ପାଇଁ କେନ୍ଦ୍ର ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ ସେ କହିଥିଲେ ଯେ, ଏନଡିଏ ସରକାର ଗତ ୪ ବର୍ଷ ମଧ୍ୟରେ ରାଜ୍ୟ ପାଇଁ ୧୧୭୮.୬୨ କୋଟି ଟଙ୍କା ମଂଜୁର କରିଛନ୍ତି । ଅପରପକ୍ଷରେ ୨୦୦୪ ରୁ ୨୦୧୪ ମଧ୍ୟରେ ଓଡିଶାକୁ ୧,୮୫୯.୫୮ କୋଟି ଟଙ୍କା ୟୁପିଏ ସରକାର ଅମଳରେ ମିଳିଥିଲା ।

ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମାଂଚଳ)ରେ ୟୁପିଏ ସରକାର ବେଳେ  ୬,୬୭,୨୫୬ ଘର ନିର୍ମାଣ ପାଇଁ ୩,୮୩୭ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଚଳିତ ଏନଡିଏ ସରକାରଙ୍କ ୪ ବର୍ଷ ସମୟରେ ୮,୯୨,୧୭୭ ଘର ନିର୍ମାଣ ପାଇଁ ୬,୨୮୫.୪୪ କୋଟି ଟଙ୍କା ମଂଜୁର ହୋଇଛି । ସହରାଂଚଳ ପାଇଁ ଗତ ୪ ବର୍ଷ ମଧ୍ୟରେ ୧,୩୬୭ କୋଟି ଟଙ୍କା ମଂଜୁର କରାଯାଇଛି, ଯେଉଁଥିରେକି ୮୫,୪୫୧ ଘର ନିର୍ମାଣ କରାଯାଉଛି । ୟୁପିଏ ସରକାର ବେଳେ ଏହି ସଂଖ୍ୟା ମାତ୍ର ୨୩,୯୪୦ ଥିଲା  ।

ଓଡିଶାରେ ଗ୍ରାମ୍ୟ ବିଦ୍ୟୁତକରଣର ଚିତ୍ର ପ୍ରଦାନ କରି ପେଟ୍ରୋଲିୟମ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ୪୦ ଲକ୍ଷ ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ଦିଆଯିବ । ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ୧୪,୨୨୨ ଗ୍ରାମକୁ ଆଲୋକିତ କରାଯାଇଛି । ସେହିପରି ଉଜ୍ଜଳା ଯୋଜନାରେ ରାଜ୍ୟରେ ୧.୩ କୋଟି ଏଲଇଡି ବଲ୍ବ ଓ ଫ୍ୟାନ ବଂଟନ କରାଯାଇଛି ।

ରାଜ୍ୟରେ ଉଜ୍ଜଳା ଯୋଜନାର ଅଗ୍ରଗତି ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ, ୨୦୧୪ରେ ଏନଡିଏ କ୍ଷମତାକୁ ଆସିବା ବେଳେ ଦେଶରେ ୬୦ ବର୍ଷ ମଧ୍ୟରେ ମାତ୍ର ୨୦ ଲକ୍ଷ ଏଲପିଜି ସଂଯୋଗ ରହିଥିଲା । ଏବେ ଗତ ୪ ବର୍ଷ ମଧ୍ୟରେ ଏନଡିଏ ସରକାର ୬୨ ଲକ୍ଷ ଏଲପିଜି ସଂଯୋଗ ପ୍ରଦାନ କରିଛନ୍ତି । ମନରେଗା ଅଧିନରେ ମଧ୍ୟ ଓଡିଶାକୁ ଗତ ୪ ବର୍ଷ ମଧ୍ୟରେ ୭,୭୬୨ କୋଟି ଟଙ୍କା ମଂଜୁର ହୋଇଛି । ପୂର୍ବରୁ ୟୁପିଏ ସରକାର ଅମଳରେ ୨୦୧୦ ରୁ ୨୦୧୪ ମଧ୍ୟରେ ୩,୯୮୧ କୋଟି ଟଙ୍କା ମଂଜୁର ହୋଇଥିଲା ।

ପ୍ରଧାନମନ୍ତ୍ରୀଙ୍କ ପ୍ରେରଣା କ୍ରମେ ଆରମ୍ଭ କରାଯାଇଥିବା ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ବିିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ବୋଲି ବର୍ଣ୍ଣନା କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଦାନ କହିଥିଲେ, ଓଡିଶାରେ ଏହାଦ୍ୱାରା ୪୮ ଲକ୍ଷ ଗରିବ ପରିବାର ଉପକୃତ ହେବାକୁ ଯାଉଛନ୍ତି । ପୋଷଣ ଅଭିଯାନରେ ମଧ୍ୟ ରାଜ୍ୟର ୨୫ଟି ଜିଲ୍ଲାରେ ୨୮୨ଟି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛ । ଏହ ଅଭିଯାନ ମାଧ୍ୟମରେ ୯୦୪୬ କୋଟି ଟଙ୍କା ବିନିଯୋଗ ହୋଇ ଅପପୃଷ୍ଟି, ରକ୍ତହିନତା ଏବଂ କମ୍ ଓଜନର ଶିଶୁ ଜନ୍ମ ସମସ୍ୟାର ପ୍ରତିକାର ଲାଗି ପ୍ରୟାସ କରାଯାଉଛି ।

ଭୁବନେଶ୍ୱର ବିମାନ ବନ୍ଦରର ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ବ୍ୟାପକ ଯୋଜନା କରିଥିବା ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଖୋର୍ଦ୍ଧା ନିକଟରେ ଆନ୍ତର୍ଜାତିକସ୍ତରର ବିମାନ ବନ୍ଦର ଲାଗି ଜାଗା ଚିହ୍ନଟ ହୋଇଛି ଏବଂ ସେ ଏ ବିଷୟରେ ବିମାନ ବନ୍ଦର ପ୍ରାଧିକରଣ ସହ ଆଲୋଚନା କରିଛନ୍ତି । ଉଡାଣ ଯୋଜନାରେ ୨୮୮ କୋଟି ଟଙ୍କା ବିନିଯୋଗ ହୋଇ ଝାରସୁଗୁଡା, ରାଉରକେଲା, ଉତ୍କେଲା ଓ ଜୟପୁରଠାରେ ବର୍ତମାନର ଏୟାରଷ୍ଟ୍ରିପଗୁଡିକୁ ଉନ୍ନତି କରାଯିବ ।

Share

Leave a Reply

Your email address will not be published. Required fields are marked *

twenty − 9 =