ଗଜପତି ଦେଲେ ପ୍ରତିକ୍ରିୟା, କହିଲେ ଚାବି ତାଙ୍କ ପାଖରେ ରୁହେନି

ତଦନ୍ତ ନାଁରେ ଭକ୍ତଙ୍କ ଆଖିରେ ଧୁଳି ପକାଯାଉଛି – ଧର୍ମେନ୍ଦ୍ର

ବିଚାର ବିଭାଗୀୟ ପ୍ରକ୍ରିୟା ଉପରେ ଆସ୍ଥା ରଖନ୍ତୁ – ଆଇନ ମନ୍ତ୍ରୀ

ଭୁବନେଶ୍ବର, (ନିପ୍ର): ରତ୍ନଭଣ୍ଡାର ଚାବି ନିଖୋଜ ଘଟଣାରେ ତଦନ୍ତ କମିଶନ ଗଠନ ହୋଇସାରିବା ପରେ ବି ରାଜନୀତି ଥମୁନି । ଏହି ଘଟଣାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ପରେ ଏଯାଏଁ ମୁହଁ ଖୋଲୁନଥିବା ଆଇନ ମନ୍ତ୍ରୀ ମୁହଁ ଖୋଲିଛନ୍ତି । ସେପଟେ ଚାବି ହଜିବା ଘଟଣାରେ ଗଜପତିଙ୍କ ଆଡେ ବି ଅଙ୍ଗୁଳି ନିର୍ଦ୍ଦେଶ ହେଉଥିବାରୁ ବିଦେଶରୁ ସେ ନିଜ ପ୍ରତିକ୍ରିୟା ପ୍ରଦାନ କରିଛନ୍ତି ।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ନିଖୋଜ ଘଟଣାରେ ଗଜପତିଙ୍କୁ ଆକ୍ଷେପ କରାଯିବା ନେଇ ନିଜ ଗଜପତି ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି । ଗଜପତିଙ୍କ ପାଖରେ ଭିତର ରତ୍ନଭଣ୍ଡାର ଚାବି ରୁହେ ନାହିଁ । ତାଙ୍କ ପାଖରେ ବାହାର ରତ୍ନଭଣ୍ଡାର ଚାବି ରହିଥାଏ । ଏଥିସହିତ ଶ୍ରୀମନ୍ଦିର ପରିଚାଳନାରେ ତାଙ୍କର କୌଣସି ଭୂମିକା ନାହିଁ । ୧୯୬୦ରେ ଶ୍ରୀମନ୍ଦିର ଆଇନ ଆସିବା ପରେ ପରିଚାଳନାରେ ତାଙ୍କ କୌଣସି ଭୁମିକା ନାହିଁ । ପରିଚାଳନା କମିଟି ଯାହା ନିଷ୍ପତ୍ତି ନେଇଥାଏ ସେଥିରେ ସେ କେବଳ ମୋହର ମାରିଥାନ୍ତି ।

୧୯୬୦ ମସିହା ପୂର୍ବରୁ ଗଜପତିଙ୍କ ହାତରେ ଶ୍ରୀମନ୍ଦିର ପରିଚାଳନାରେ ଗଜପତି ପ୍ରମୁଖ ଭୂମିକା ତୁଲାଉଥିଲେ । କିନ୍ତୁ ଆଇନ ଆସିବା ପରେ ଶ୍ରୀମନ୍ଦିର ପରିଚାଳନାରେ ଆଉ ଗଜପତିଙ୍କ ଭୂମିକା ନାହିଁ । ଗଜପତି କେବଳ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷତା କରନ୍ତି । ପରିଚାଳନା କମିଟି ଯାହା ନିଷ୍ପତ୍ତି ନେବ ସେଥିରେ ସେ କେବଳ ସ୍ୱାକ୍ଷର କରିଥାନ୍ତି । ଏହା ପୂର୍ବରୁ ଯେତେଥର ରତ୍ନଭଣ୍ଡାର ଖୋଲାଯାଇଛି ସେତେବେଳେ ଗଜପତିଙ୍କ ଜଣେ ପ୍ରତିନିଧି ରହିଥାନ୍ତି । ଭିତର ରତ୍ନଭଣ୍ଡାର ଚାବି କେବଳ ପ୍ରଶାସନ ଅଧିନରେ ରହିଥାଏ । ଗତ ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ବସିଥିବା ପରିଚାଳନା କମିଟି ବୈଠକରେ ଭିତର ରତ୍ନଭଣ୍ଡାର ଚାବି ନମିଳିବାରୁ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ତେଣୁ ବିଭାଗୀୟ ଅଧିକାରୀଙ୍କୁ ଚାବି ଖୋଜିବା ପାଇଁ କମିଟିର ଅଧ୍ୟକ୍ଷ ଭାବେ ସେ ନିର୍ଦ୍ଦେଶ ଦେଇଥିଲେ ।

ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ବିଚାର ବିଭାଗୀୟ ତଦନ୍ତ କେବଳ ସାଧାରଣ ଲୋକଙ୍କ ଆଖିରେ ଧୂଳି ପକାଇଲା ଭଳି । ସରକାର ନିଜ ଅପାରଗତାକୁ ଲୁଚାଇବାକୁ ଏଭଳି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେବଳ ପଦ୍ନନାଭ ମନ୍ଦିରର ଉଦାହାରଣ ଦେଇ ସେ କହିଥିଲେ ଯେ, ମନ୍ଦିରର ଧନସମ୍ପତ୍ତି ଆକଳନ ପାଇଁ ଏକ ପୋଟକଲ ଗଠିତ ହୋଇଛି । ଶ୍ରୀମନ୍ଦିର ସହ ଜଡିତ ଏହି ପ୍ରସଙ୍ଗ ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ସ୍ପର୍ଶ କରିଛି । ତେଣୁ ଶ୍ରୀମନ୍ଦିରର ସବୁ ଅବ୍ୟବସ୍ଥାର ସ୍ଥାୟୀ ସମାଧାନ ହେବା ଉଚିତ ବୋଲି ସେ କହିଥିଲେ ।

ସେପଟେ ଆଇନମନ୍ତ୍ରୀ ପ୍ରତାପ ଜେନା ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ଉପରେ ଆସ୍ଥା ରଖନ୍ତୁ । ଏହି ପ୍ରସଙ୍ଗକୁ ନେଇ ଅଜଥା ରାଜନୀତି କରାଯିବା ଉଚିତ ନୁହେଁ । ଶ୍ରୀମନ୍ଦିର ପରିଚାଳନା କମିଟି ଚାବି ହଜିବା ଜାଣିବା ପରେ ଶ୍ରୀମନ୍ଦିର ପ୍ରଶାସନଙ୍କୁ ଅବଗତ କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କୁ ଆବଗତ କରିବା ପରେ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ କେନ୍ଦ୍ର ମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ପ୍ରକ୍ରିୟା ଉପରେ ଆସ୍ଥା ରଖିବା ଉଚିତ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

17 − eleven =