ବର୍ଷା ନାହିଁ, କମୁଛି ହୀରାକୁଦର ଜଳସ୍ତର

ଭୁବନେଶ୍ବର () ବର୍ଷା ନାହିଁ, ସେପଟେ ଛତିଶଗଡ ବି ଉପରମୁଣ୍ଡରେ ମହାନଦୀର ଜଳକୁ ବାନ୍ଧୁଛି । ଏହାଦ୍ବାରା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଗତବର୍ଷ ତୁଳନାରେ କମ ରହିଥିବା ବେଳେ ଜଳଭଣ୍ଡାର ଭିତରକୁ ଜଳ ପ୍ରବେଶର ପରିମାଣ ବି ହ୍ରାସ ପାଇଛି ।

ଜୁଲାଇ 21 ତାରିଖ ସୁଦ୍ଧା ହୀରାକୁଦର ଜଳସ୍ତର 599.33 ଫୁଟ ରହିଛି । ଗତ ବର୍ଷ ଏହି ସମୟରେ ଜଳଭଣ୍ଡାରର ଜଳସ୍ତର 607.42 ଫୁଟ ରହିଥିଲା । ଏବେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 2965 କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଳସେଚନ ଏବଂ ଶିଳ୍ପାନୁଷ୍ଠାନର ବ୍ୟବହାର ପାଇଁ 17 ହଜାର 856 କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଉଥିବାରୁ ଆଗକୁ ଜଳବିଦ୍ୟୁତ ଉତ୍ପାଦନ ହ୍ରାସ ପାଇବାର ମଧ୍ୟ ଆଶଙ୍କା ରହିଚି । ଚଳିତ ବର୍ଷ ଜୁଲାଇ 21 ତାରିଖ ସୁଦ୍ଧା ମହାନଦୀର ଉପରମୁଣ୍ଡରେ ମାତ୍ରା 150 ମିଲିମିଟର ବର୍ଷା ହୋଇଛି, ଯାହାକି ଗତବର୍ଷ ତୁଳନାରେ ପ୍ରାୟ 50 ପ୍ରତିଶତ କମ ରହିଛି । ସାଧାରଣତଃ ଏହି ସମୟରେ ଉପରମୁଣ୍ଡରେ 350 ମିଲିମିଟର ବର୍ଷା ହୋଇଥାଏ ।

ଜଳଭଣ୍ଡରର ସର୍ବାଧିକ ଜଳଧାରଣ କ୍ଷମତା 630 ଫୁଟ ରହିଥିବା ବେଳେ କୃଷି ଓ ବିଦ୍ୟୁତ ଉତ୍ପାଦନ ପାଇଁ 590 ପୁଟ ଏବଂ ଶିଳ୍ପ ପାଇଁ 595 ଫୁଟ । ସୂଚନାଯୋଗ୍ୟ ଯେ, ଗତବର୍ଷ ଜୁଲାଇ 24 ତାରିଖରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ଛଡାଯାଇଥିଲା । ସେ ସମୟରେ ଜଳଭଣ୍ଡାରର ଜଳସ୍ତର 618 ଫୁଟ ରହିଥିଲା । ସେହିଭଳି 2017ରେ ଜୁଲାଇ 23 ତାରିଖରେ ପ୍ରଥମ ବନ୍ୟାଜଳ ନିଷ୍କାସିତ ହୋଇଥିଲା । ସେ ସମୟରେ ଜଳଭଣ୍ଡାରର ଜଳସ୍ତର ଥିଲା 607.6 ଫୁଟ ।

Share

Leave a Reply

Your email address will not be published. Required fields are marked *

3 × 5 =