ପାର୍ବଣରେ ଚାନ୍ଦା ଆଦୟ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର () ରାଜ୍ୟରେ ପାର୍ବଣ ଋତୁ ଆରମ୍ଭ ହୋଇଥିବା ଦୃଷ୍ଟିରୁ ରାଜ୍ୟ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।୤ ପାର୍ବଣ ସମୟରେ ସାଧାରଣତଃ କିଛି ଅସାମାଜିକ ଯୁବକ ତଥା ବ୍ୟକ୍ତି ବିଶେଷ ପୂଜା ନାମରେ ସାଧାରଣ ଲୋକ, ଗାଡି ଚାଳକ ଓ ବାଣିଜ୍ୟିକ ଅନୁଷ୍ଠାନମାନଙ୍କରୁ ବେଆଇନ ଓ ବଳପୂର୍ବକ ଭାବେ ଚାନ୍ଦା ଆଦାୟ କରିଥାନ୍ତି । ଏହା ମଧ୍ୟ ଅନେକ ସମୟରେ ଗୁରୁତ୍ତର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥାଏ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ଡିଜି ପୋଲିସ କମିଶନରଙ୍କର ସହ ସବୁ ଜିଲ୍ଲା ଏସପିଙ୍କୁ ଏହି ବେଆଇନ ଓ ବଳପୂର୍ବକ ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବା ସହ ପାର୍ବଣକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୋଲିସ ଡିଜିଙ୍କ ନିର୍ଦ୍ଦେଶ ମୁତାବକ ଏସପିମାନେ ଏଥିପାଇଁ ତତ୍ପରତା ପ୍ରକାଶ କରି ଏହି ବେଆଇନ ଚାନ୍ଦା ଆଦାୟକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଅଭିଯୋଗ ପାଇବା ପରେ ଆଜି ସୁଦ୍ଧା ରାଜ୍ୟର 4ଟି ଜିଲ୍ଲାରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ 5ଟି ମାମଲା ରୁଜୁ କରାଯାଇଛି ଓ ବଳପୂର୍ବକ ଚାନ୍ଦା ଆଦାୟରେ ଲିପ୍ତଥିବା 13ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଭୁବନେଶ୍ବର ସହରାଞ୍ଚଳ ଅନ୍ତର୍ଗତ ଖଣ୍ଡଗିରି ଥାନା ପକ୍ଷରୁ ଏବାବଦରେ ଏକ ମାମଲା ରୁଜୁ କରାଯାଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସେହିପରି ରାୟଗଡା ଜିଲ୍ଲାର ଚାନ୍ଦିଲୀ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇ 7ଜଣ ବେଆଇନ ଚାନ୍ଦା ଆଦାୟକାରୀଙ୍କୁ ଗିରଫ କରାଯାଇଛି । ସୁନ୍ଦରଗଡ ଜିଲ୍ଲାର ହେମଗିରି ଥାନାରେ ମଧ୍ୟ ଏକ ମାମଲା ରୁଜୁ କରାଯାଇ 4ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଥାନା ତରଫରୁ ଏକ ମାମଲା ରୁଜୁ କରାଯାଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।

ଚଳିତ ପାର୍ବଣ ଋତୁ ଗଣେଷ ପୂଜାରୁ ଆରମ୍ଭ ହୋଇଛି ଓ ଏହା କାର୍ତ୍ତିକେଶ୍ବର ପୂଜା ଓ ବାଲିଯାତ୍ରା ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ । ଏହି ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ସମାପନ ପାଇଁ ରାଜ୍ୟ ପୋଲିସ ପ୍ରସ୍ତୁତ ରହିଛି ବୋଲି ପୋଲିସ ଡିଜି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

14 + 10 =