ଶାରୀରିକ ଫିଟନେସ ପ୍ରତି ସଚେତନ ନୁହଁନ୍ତି ୫୯% ଲୋକ

ଭୁବନେଶ୍ବର ()  ଓଡ଼ିଶାର ରାଜଧାନୀ ଭୁବନେଶ୍ବରର ଜନସଂଖ୍ୟା ୧୦ ଲକ୍ଷରୁ ଅଧିକ । ତେବେ ରାଜଧାନୀବାସୀ ଶାରୀରିକ ଭାବେ ଚଂଚଳ ନୁହଁନ୍ତି । ଭୁବନେଶ୍ବରର ୫୯ ପ୍ରତିଶତରୁ ଅଧିକ ଲୋକ ନିଜ ଶାରୀରକ ବ୍ୟାୟାମ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ରାଜଧାନୀର ଜନସଂଖ୍ୟାର ମାତ୍ର ୧୬ ପ୍ରତିଶତ ଯୋଗାଭ୍ୟାସ କରନ୍ତି ବୋଲି ନିକଟରେ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ।

ସର୍ଭେ ଅନୁଯାୟୀ ରାଜଧାନୀର ୫୯.୨ ପ୍ରତିଶତ ଲୋକ ଶାରୀରିକ ଭାବେ କୌଣସି ବ୍ୟାୟାମ କରନ୍ତି ନାହିଁ । ଏପରିକି ସେମାନଙ୍କର ଭବିଷ୍ୟତରେ ବ୍ୟାୟାମ କରିବା ନିମନ୍ତେ କୌଣସି ଯୋଜନା ନାହିଁ ବୋଲି ଓଡ଼ିଶାରେ ପ୍ରଥମ ଥର ପାଇଁ ହୋଇଥିବା ଏହି ଅଧ୍ୟୟନରୁ ଜଣାପଡ଼ିଛି । ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର କମ୍ୟୁନିଟି ମେଡିସିନ୍ ବିଭାଗ ଦ୍ବାରା ଓ ଓଡ଼ିଶା ମାଇନିଂ କର୍ପୋରେସନରେ ଆର୍ଥିକ ସହଯୋଗରେ ଏହି ସର୍ବେକ୍ଷଣ କରାଯାଇଛି ।

ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ରାଜଧାନୀର ଏକ ତୃତୀୟାଂଶ ରୁ କମ୍ ଲୋକ ୧୦ ମିନିଟ୍ କିମ୍ବା ତା’ଠାରୁ ଅଧିକା ଚାଲିବାକୁ ପସନ୍ଦ କରିଥାନ୍ତି । ସର୍ଭେ ହୋଇଥିବା ଲୋକଙ୍କ ମଧ୍ୟରୁ ୧୦ ପ୍ରତିଶତ ଲୋକ ମଧୁମେହ, ଉଚ୍ଚ ରକ୍ତଚାପ କିମ୍ବା କାର୍ଡିଓ ଭାସ୍କୁଲାର ଡିଜିଜ୍ ଭଳି ସଂକ୍ରମଣ ନ ହେଉଥିବା ରୋଗର ଶିକାର ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ । ଏହି ସର୍ବେକ୍ଷଣର ନେତୃତ୍ବ ନେଇଥିବା ପ୍ରଫେସର ଇ. ଭେଙ୍କଟ ରାଓ କହିଛନ୍ତି ମାତ୍ର ୧୬ ପ୍ରତିଶତ ଲୋକ ଯୋଗାଭ୍ୟାସ କରୁଛନ୍ତି । ଟିଭି ରୁ ଯୋଗ କାର୍ଯ୍ୟକ୍ରମ ଦେଖିବା ଦ୍ବାରା ସେମାନେ ଯୋଗ ପ୍ରତି ଆକର୍ଷିତ ହୋଇଥିବା ଜଣାପଡ଼ିଛି ।

ସହରାଂଚଳାବାସୀ ଶାରୀରିକ ବ୍ୟାୟାମ ପ୍ରତି କିଭଳି ଆଗ୍ରହ ରଖୁଛନ୍ତି ଏବଂ ଏ ନେଇ ସରକାରଙ୍କର କ’ଣ ଯୋଜନା ରହିଛି ସେ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଏହି ସର୍ବେକ୍ଷଣ କରାଯାଇଥିଲା ଏବଂ ଶାରୀରିକ ଭାବେ ସୁସ୍ଥ ରହିବା ନିମନ୍ତେ ଯୋଗ ପ୍ରତି ଆଗ୍ରହ ଜାଣିବା ଏହି ସର୍ଭେର ଉଦ୍ଦେଶ୍ୟ ବୋଲି ପ୍ରଫେସର ରାଓ କହିଛନ୍ତି । ଏହି ସର୍ବେକ୍ଷଣରେ ସମ୍ ହସ୍ପିଟାଲର କମ୍ୟୁନିଟି ମେଡିସିନ ବିଭାଗର ଡ. ସତ୍ୟଜିତ ମହାନ୍ତି, ଡ. ସନ୍ଦିପ୍ କୁମାର ପାଣିଗ୍ରାହି ଏବଂ ଡ. ଜ୍ୟୋତି ରଞ୍ଜନ ସାହୁ ମଧ୍ୟ ସାମିଲ ଥିଲେ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ଶାରୀରିକ ଭାବେ କୌଣସି ବ୍ୟାୟାମ ନ କରିବା ଯୋଗୁଁ ସଂକ୍ରମଣ ନ ହେଉଥିବା ରୋଗ ଗୁଡ଼ିକ ବୃଦ୍ଧି ପାଇବାର ସମସ୍ୟା ସୃଷ୍ଟି ହେଉଛି । ଏହା ଦ୍ବାରା ସ୍ବାସ୍ଥ୍ୟ ସେବାର ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଉଛି । ଉଚ୍ଚ ରକ୍ତଚାପ, ହୃଦ୍ଜନିତ ରୋଗ ଏବଂ କ୍ୟାନସର ଭଳି ରୋଗ ଯୋଗୁଁ ବିଶ୍ବରେ ପ୍ରତ୍ୟେକ ବର୍ଷ ୩୬ ନିୟୁତ ଲୋକଙ୍କର ମୃତ୍ୟୁ ଘଟୁଛି । ଭାରତରେ ମଧ୍ୟ ଏହାର ପ୍ରଭାବ ପଡ଼ୁଥିବା ବେଳେ ନିମ୍ନ ଏବଂ ମଧ୍ୟବିତ ଶ୍ର୍ରେଣୀର ୨୯ନିୟୁତ ଲୋକଙ୍କର ମୃତ୍ୟୁ ଘଟୁଥିବା ପ୍ରଫେସର ରାଓ କହିଛନ୍ତି ।

ଶାରୀରିକ ଭାବେ ଚଂଚଳ ରହିବା ହିଁ ଏହାର ଏକମାତ୍ର ନିରାକରଣର ଉପାୟ ବୋଲି ସେ କହିଛନ୍ତି । ବିଶ୍ବରେ ଘଟୁଥିବା ମୃତ୍ୟୁର ଚତୁର୍ଥ ପ୍ରମୁଖ କାରଣ ହେଉଛି ଶାରୀରିକ ଭାବେ ଚଂଚଳ ନ ରହିବା ଏବଂ ସର୍ଭେରୁ ଏକଥା ମଧ୍ୟ ଜଣାପଡ଼ିଛି ଯେ ଭାରତର ୫୪ ପ୍ରତିଶତ ଲୋକ ଶାରୀରକ ବ୍ୟାୟାମ ପ୍ରତି ଆଗ୍ରହ ଦେଖାନ୍ତି ନାହିଁ । ଗ୍ରାମାଂଚଳ ଅପେକ୍ଷା ସହରାଂଚଳ ଲୋକ ଅଧିକ ମାତ୍ରାରେ ଶାରୀରିକ ଭାବେ ଅସୁସ୍ଥ ବୋଲି ସେ କହିଛନ୍ତି । ଏହି ସର୍ବେକ୍ଷଣରୁ ୩ଟି ପ୍ରସଙ୍ଗକୁ ଅଧିକ ଗୁରୁତ୍ବ ଦିଆଯାଇଛି । ପ୍ରଥମଟି ହେଉଛି ଶାରୀରିକ ଚଂଚଳତାକୁ ପ୍ରୋତ୍ସାହନ ଦେବା ନିମନ୍ତେ ଜାତୀୟ ଶାରୀରିକ ଚଂଚଳତା ଯୋଜନାର ପ୍ରଣୟନ, ଦ୍ବିତୀୟଟି ହେଉଛି ଡାକ୍ତରମାନେ ରୋଗୀମାନଙ୍କୁ ଔଷଧ ବ୍ୟତୀତ ଶାରୀରିକ ଚଂଚଳତା ଦିଗରେ ଅଧିକ ପ୍ରଭାବିତ କରିବା ନିମନ୍ତେ ଶିକ୍ଷିତ ହେବା ଏବଂ ତୃତୀୟଟି ହେଉଛି ଲୋକମାନେ ନିଜେ ଏ ଦିଗରେ ସଚେତନ ହେବା । ପ୍ରତ୍ୟେକ ଲୋକ ସପ୍ତାହକୁ ଅତିକମ୍ରେ ୧୫୦ ମିନିଟ୍ ବ୍ୟାୟାମ୍ କରିବା ଉଚିତ୍ ବୋଲି ପ୍ରଫେସର ରାଓ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 3 =