ମଧୁବାବୁଙ୍କ ପଦାଙ୍କ ଅନୁସରଣ କରି ଜାତୀୟତାବାଦକୁ ଆଉ ପାଦେ ନେଇଛନ୍ତି ନବୀନ

ଭୁବନେଶ୍ୱର:ଓଡିଶାର ପବିତ୍ର ମାଟି ହେଉଛି କର୍ମଭୂମି । ଉତ୍କଳ ମାଟିରେ ବହୁ ମହାପୁରୁଷ ଜନ୍ମ ନେଇ ଜାତି ପାଇଁ ସମାଜସେବାର ସର୍ବୋତ୍କୃଷ୍ଟ ନିଦର୍ଶନ ଦେଖାଇ ଆମ ପ୍ରାଣ ସ୍ପନ୍ଦନରେ ଅମର ହୋଇଯାଇଛନ୍ତି। ସେହି ମହାନୁଭବଙ୍କ ପଦାଙ୍କ ଅନୁସରଣ କରି ସମାଜସେବାର ଜାତୀୟତାବାଦକୁ ଆଉ ପାଦେ ଆଗକୁ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉତ୍କଳର ଏ ମାଟି ଉତ୍କଳମଣୀ ଗୋପବନ୍ଧୁ , ଉତ୍କଳ ଗୌରବ ମଧୁସୂଦନ ଦାସ , ମଧୁସୂଦନ ରାଓଙ୍କ ଠାରୁ ଆରମ୍ଭ କରି ପାର୍ବତୀ ଗିରି , ନୃସିଂହ ଗୁରୁଙ୍କ ପରି ସମାଜସେବାର ସର୍ବୋତ୍କୃଷ୍ଟ ନିଦର୍ଶନଙ୍କୁ ପାଇ ଧନ୍ୟ ହୋଇସାରିଛି । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ୧୭୩ ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଆଦର୍ଶରେ ପରିଚାଳିତ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଟି ପଦକ୍ଷେପ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଭାବେ ନିଃସନ୍ଦେହରେ ପ୍ରତିପାଦିତ କରୁଛି । ବର୍ତ୍ତମାନ ସାରା ଦେଶ ଭୟଙ୍କର ମହାମାରୀ ସହ ଲଢ଼େଇ କରୁଥିବା ବେଳେ ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି ପଦକ୍ଷେପ ମଧୁବାବୁଙ୍କ ପରି ତାଙ୍କ ଜାତୀୟ ଭାବନାକୁ ସୂଚାଉଛି |

ତେବେ , ଏହି ପରିପ୍ରେକ୍ଷୀରେ ଉତ୍କଳ ଗୌରବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକଦା ବିଜୁ ବାବୁ ମଧ୍ୟ ନୂତନ ଓଡ଼ିଶାର ଗଠନରେ ଏକ ବିରାଟ ସ୍ୱାକ୍ଷର ଛାଡି ଯାଇଛନ୍ତି । ଆଉ ତାଙ୍କର ପ୍ରତିଟି ଅବଦାନକୁ ଆଜି ସାଢ଼େ ଚାରି କୋଟି ଓଡ଼ିଆ ଝୁରି ହେଉଛନ୍ତି । ଆଜି ସେହି କଳିଙ୍ଗ ବୀର ବିଜୁ ବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ବର୍ତ୍ତମାନର କରୋନା ମୁକାବିଲାରେ ନେଇଥିବା ପଦକ୍ଷେପ ତାଙ୍କୁ ମଧ୍ୟ ଜଣେ ରାଷ୍ଟ୍ରନୀତିଜ୍ଞ ତଥା ମାନବବାଦର ଉପାସକର ପରିଚୟ ଦେଇଛି ।ଆଜକୁ ପ୍ରାୟ ଶହେ ବର୍ଷ ତଳେ ଓଡ଼ିଶା ହଇଜା ପରି ମହାମାରୀ ସହ ଲଢୁଥିଲା ସେତେବେଳେ ମୃତ୍ୟୁର ତାଣ୍ଡବ ରଚାଇଥିଲା ଏହି ମହାମାରୀ । ସେତେବେଳର ସ୍ବାସ୍ଥ୍ୟସେବା ଏତେ ଟାବି ଉନ୍ନତ ନଥିଲା । ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ , ଗାଁ ଗାଁରେ ଲୋକେ ପୋକ ମାଛି ପରି ମରୁଥିଲେ । ଗୁଣିଗାରେଡ଼ି ଝଡ଼ାଫୁଙ୍କା ହିଁ ଏକମାତ୍ର ବିକଳ୍ପ ଥିଲା ।

ତେବେ , ମଧୁ ବାବୁଙ୍କ ସେହି ସମୟର ପଦକ୍ଷେପ ତାଙ୍କୁ ଜଣେ ଉତ୍ତମ ରାଷ୍ଟ୍ରନୀତିଜ୍ଞର ପରିଚୟ ଦେଇଥିଲା । ଗାଁ ଗାଁରେ ଲୋକଙ୍କୁ ସଚେତନ କରାଇ ଏହା କୌଣସି ଦେବାଦେବୀଙ୍କ ପ୍ରକୋପ ଯୋଗୁଁ ନୁହେଁ , ବରଂ ଏହା କୌଣସି ଜୀବାଣୁ ବା ଭୂତାଣୁ ଦ୍ଵାରା ହିଁ ବ୍ୟାପିଛି । ତେଣୁ , ସଚେତନତା ହିଁ ଏଥିପାଇଁ ଅମୋଘ ଅସ୍ତ୍ର ବୋଲି ସେ ଲୋକଙ୍କୁ ବୁଝାଇଥିଲେ । ଖାଲି ସେତିକି ନୁହେଁ , ତତ୍କାଳୀନ କେନ୍ଦ୍ରୀୟ ବିଧାନସଭାରେ ଏହି ପ୍ରସଙ୍ଗରେ ସେ ବ୍ରିଟିସ୍ ସରକାରଙ୍କୁ ମଧ୍ୟ ଘେରିଥିଲେ । ଲୋକଙ୍କ ଏହି ଦୁଃସ୍ଥିତି ସମୟରେ ସରକାର କି ପଦକ୍ଷେପ ନେଇଛନ୍ତି , ଏହାର ମୁକାବିଲା ପାଇଁ କେତେବଳେ କଣ କରାଯାଇଛି ଆଦି ଅନେକ ପ୍ରଶ୍ନ ସେ ଉତ୍‌ଥାପନ କରିଥିଲେ ।

ଆଉ ବର୍ତମାନ ମଧ୍ୟ ଭୟଙ୍କର କରୋନା ମହାମାରୀ ଏକପ୍ରକାର ମୃତ୍ୟୁର ତାଣ୍ଡବ ରଚାଇ ଚାଲିଛି । ଗୋଟିଏ ପରେ ଗୋଟିଏ ଜୀବନ ଅକାଳରେ ଝଡ଼ି ପଢୁଛି । ସାରା ଦେଶରେ ଏବେ ମୃତ୍ୟୁ ତାଣ୍ଡବ ରଚୁଛି । ଏଭଳି ସ୍ଥିତିରେ ବର୍ତ୍ତମାନ ମଧ୍ୟ ଏହାର ମୁକାବିଲା ପାଇଁ ମାଡ୍ରାସ ଏବଂ ଦିଲ୍ଲୀ ହାଇକୋର୍ଟରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏପରିକି ନିର୍ବାଚନ କମିଶନ ଦେଶବାସୀଙ୍କ ହତ୍ୟାକାରୀ ବୋଲି ମାଡ୍ରାସ ହାଇକୋର୍ଟ ଟିପ୍ପଣୀ ଦେବାକୁ ପଛାଇ ନାହାନ୍ତି ।

ତେବେ ୧୯୯୯ ମସିହାର ମହାବାତ୍ୟା ଯୋଗୁଁ ଧ୍ଵସ୍ତବିଧ୍ୱସ୍ତ ହୋଇଥିବା ଓଡ଼ିଶାର ଶାସନ ଡୋରିକୁ ସମ୍ଭାଳିବାର ଏକ ବିରାଟ ଆହ୍ମାନପୂର୍ଣ୍ଣ ଦାୟିତ୍ବ ନବୀନ ବାବୁଙ୍କ ହାତରେ ନ୍ୟସ୍ତ ହୋଇଥିଲା । ସେହିଦିନ ଠାରୁ ଏହି ୨୦୨୧ ବର୍ଷର କାର୍ଯ୍ୟଶୈଳୀକୁ ନିରିଖେଇ ଦେଖିଲେ ତାଙ୍କର ପ୍ରତିଟି ପଦକ୍ଷେପ ତାଙ୍କୁ ମଧ୍ୟ ମଧୁ , ଗୋପବନ୍ଧୁ ଭଳି ଜଣେ ମାନବବାଦର ଉପାସକ ଭାବେ ସୁଖ୍ୟାତି ନିଶ୍ଚିତ ଭାବେ ଦେବ । ଏଥିରେ କୌଣସି ଦ୍ବିଧା ନାହିଁ । କ୍ରମାଗତ ଭାବେ ପଞ୍ଚମ ପାଳିରେ ନବୀନ ବାବୁଙ୍କୁ ଓଡ଼ିଶାବାସୀ ଅଜାଡି ଚାଲିଥିବା ବିପୁଳ ଜନସମର୍ଥନ ହିଁ ଏହାର ପ୍ରମାଣ । ଆଉ ଏହି ସଫଳତାର ପଛରେ ସେହି ଜନତାର ନିଃସ୍ୱାର୍ଥପର ସେବା ହିଁ ମୂଳ ଆଧାର ବୋଲି ସାରା ଦେଶର ବିଜ୍ଞ ମହଲ ସ୍ବୀକୃତି ଦେଇଆସିଛନ୍ତି । ଆଉ ସେଥିପାଇଁ ତ ତାଙ୍କୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀଙ୍କ ମାନ୍ୟତା ବାରମ୍ବାର ମିଳି ଆସିଛି ।

ଏହି ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରି ଆସିଛି । ହେଲେ ପ୍ରତ୍ୟେକ ଥର ନବୀନଙ୍କ ସଫଳ ରଣନୀତି ଯୋଗୁଁ ଫାଇଲିନ୍ , ହୁଡହୁଡା଼ , ଫନୀଠାରୁ ଆରମ୍ଭ କରି ଅନେକ ପ୍ରଳୟଙ୍କରୀ ବନ୍ୟା ପରି ସବୁ ବିପଦକୁ ଓଡ଼ିଶା ଅଚିରେ ପାର କରି ସାରା ବିଶ୍ୱରେ ପ୍ରଶଂସିତ ହୋଇପାରିଛି । ଏପରିକି ଏହାର ବିପର୍ଯ୍ୟୟ ପରିଚାଳନା ସାରା ଦେଶ ପାଇଁ ରୋଲ୍ ମୋଡେଲ୍ ପାଲଟିଛି । ସେହିପରି ଦେଶର ଅନ୍ୟ ଭାଗରେ ହେଇଥିବା ବାତ୍ୟା , ବନ୍ୟା ପରି ବିଭୀଷିକାରେ ଅଯାଚିତ ଭାବେ ନବୀନ ସହାୟତାର ହାତ ବଢାଇ ରାଷ୍ଟ୍ରନୀତିଜ୍ଞର ପରିଚୟ ଦେଇଆସିଛନ୍ତି । ହେଲେ ବର୍ତମାନ ଆସିଥିବା କରୋନା ମହାମାରୀ ନିଶ୍ଚିତ ଭାବେ ସାରା ଦେଶ ତଥା ରାଜ୍ୟ ଗୁଡ଼ିକର ଶାସନ ଗାଦିରେ ଥିବା ତଥା ନୀତି ନିର୍ଦ୍ଧାରଣସ୍ତରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ପ୍ରଥମ ଅନୁଭୂତି ।

ତଥାପି ଏହାର ପ୍ରଥମ ଲହରରେ ଓଡ଼ିଶା ସଫଳ ମୁକାବିଲା କରି ଜାତୀୟସ୍ତରରୁ ଆରମ୍ଭ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପର୍ଯ୍ୟନ୍ତ ପ୍ରଶଂସାର ପାତ୍ର ହୋଇପାରିଛି । ଆଉ ବର୍ତମାନ ଦ୍ବିତୀୟ ଲହରରେ ବି ମୁଖ୍ୟମନ୍ତ୍ରୀଙ୍କ ରଣନୀତି ସାରା ଦେଶରେ ଚର୍ଚ୍ଚାର ପରିସରରେ ରହିଛି । ଦୁଇଦିନ ତଳେ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ମାଗଣା ଟିକା ଦେବାର ଘୋଷଣା କରି ସେ ନିଜକୁ ଜଣେ ରାଷ୍ଟ୍ରନୀତିଜ୍ଞ ଭାବେ ପ୍ରତିପାଦିତ କରିଛନ୍ତି । ସେପଟେ , ଅକ୍ସିଜେନ୍ ସଙ୍କଟ ଦେଇ ସାରା ଦେଶ ଗତି କରୁଥିବା ବେଳେ ଦିଲ୍ଲୀ , ମହାରାଷ୍ଟ୍ର , ଛତିଶଗଡ଼ ପରି ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ଯୋଗାଣର ଭାର ଉଠାଇ ନବୀନ ତାଙ୍କ ମାନବବାଦୀ ଆଭିମୁଖ୍ୟକୁ ସ୍ପଷ୍ଟ କରିସାରିଛନ୍ତି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ , ଗତ ଦୁଇ ଦଶନ୍ଧି ମଧ୍ୟରେ ତାଙ୍କର ପ୍ରତିଟି ଭାଷଣରେ ରାଜ୍ୟର ସାଢ଼େ ଚାରିକୋଟି ଓଡ଼ିଆଙ୍କୁ ନିଜ ପରିବାର ଭାବେ ଅଭିହିତ କରି ଆସୁଥିବା ନବୀନ କେବଳ କଥାରେ ନୁହେଁ ବରଂ କାମରେ ରୂପାନ୍ତରିତ କରି ଆସୁଛନ୍ତି । ବର୍ତମାନ ସମସ୍ତଙ୍କ ସୁରକ୍ଷା ପାଇଁ ଯୋଡ଼ହସ୍ତରେ ବାରମ୍ବାର କରୋନା କଟକଣାକୁ ପାଳନ କରିବାକୁ ଅନୁରୋଧ କରୁଛନ୍ତି । ଆଉ ତାଙ୍କ ପରିବାର ( ଓଡ଼ିଶା )ର ପ୍ରତିଟି ସଦସ୍ୟଙ୍କ ଜୀବନ ପାଇଁ ଲୋକଙ୍କୁ ସହଯୋଗ କାମନା କରି ସେ ବାସ୍ତବରେ ଜଣେ ମାନବବାଦ ଉପାସକର ପରିଚୟ ପାଇପାରିଛନ୍ତି । ତାଙ୍କର ପ୍ରତିଟି କାର୍ଯ୍ୟଶୈଳୀ ଏବେ ସାରା ଦେଶର ରାଜନେତାଙ୍କ ପାଇଁ ଏକ ଆଦର୍ଶ ଭାବେ ଉଭା ହୋଇଛି । ଆଉ ଏହି ଆଦର୍ଶ ହିଁ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

Share

Leave a Reply

Your email address will not be published. Required fields are marked *

one × 5 =