3ହଜାର ପବିତ୍ର ପୂଜାସ୍ଥଳୀ ଓ 400 ଜନଜାତି ସଂସ୍କୃତି କ୍ଲବ ଉଦଘାଟିତ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଭିଡିଓ କନଫରେସିଂ ଜରିଆରେ 9ଟି ଜନଜାତି ବହୁଳ ଜିଲ୍ଲାର ସ୍ବତନ୍ତ୍ର ବିକାଶ ପରିଷଦ ଅଂଚଳରେ 3 ହଜାର ପବିତ୍ର ପୂଜାସ୍ଥଳୀ ଓ 400 ଜନଜାତି ସଂସ୍କୃତି କ୍ଲବ ଉଦଘାଟନ କରିଛନ୍ତି । େହି ଅବସରରେ 9ଟି ପରିଷଦର ଜନଜାତି ବର୍ଗର କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜନଜାତି କଳା ଓ ସଂସ୍କୃତିର ଆମର ଗୌରବ ଏବଂ ଏହାର ସୁରକ୍ଷା ଓ ବିକାଶ ଦାୟିତ୍ବ ଆମ ସମସ୍ତଙ୍କର ।

9ଟି ଜିଲ୍ଲାରେ ଗଠିତ ସ୍ବତନ୍ତ୍ର ବିକାଶ ପରିଷଦ ଗୁଡିକ କଳା ଓ ସଂସ୍କୃତିର ସୁରକ୍ଷା ଦିଗରେ ବହୁତ ଭଲ କାମ କରୁଛନ୍ତି । ଜନଜାତି ସଂସ୍କୃତିର ସ୍ବତନ୍ତ୍ର ପରିଚୟ ବଜାୟ ରଖିବା ଓ ଜନଜାତି ଐତିହ୍ୟର ସୁରକ୍ଷା ପାଇଁ ଗତ 10 ମାସ ମଧ୍ୟରେ ବହୁତ ଭଲ କାମ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ, 25 ହଜାର ଜନଜାତି କଳାକାରଙ୍କୁ କଳାକାର କାର୍ଡ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, 2018 ମାର୍ଚ୍ଚ ମାସରେ 9ଟି ଜନଜାତି ବହୁଳ ଜିଲ୍ଲାରେ 9ଟି ସ୍ବତନ୍ତ୍ର ବିକାଶ ପରିଷଦ ଗଠିତ ହୋଇଥିଲା । ଜନଜାତିମାନଙ୍କ ଭାଷା, ସଂସ୍କୃତି ଆଦିର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ଏହି ପରିଷଦଗୁଡିକ କାମ କରୁଛି । ଏଥିରେ ସମସ୍ତ 62 ବର୍ଗର ଜନଜାତି ଓ ଆଦିମ ଅଧିବାସୀମାନେ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ପବିତ୍ର ପୂଜାସ୍ଥଳୀର ବିକାଶ ଓ ସଂସ୍କୃତି କ୍ଲବର ଗଠନ ସହିତ ବାଦ୍ୟଯନ୍ତ୍ର ଯୋଗାଣ, ନୃତ୍ୟ ଆଭୁଷଣ ପ୍ରଦାନ, କାରୀଗର ପରିଚୟ ପତ୍ର ପ୍ରଦାନ, କ୍ରୀଡା ଉପକରଣ ଯୋଗାଣ, ସାଂସ୍କୃତିକ ଓ କ୍ରୀଡା ଉତ୍ସବ, ଜନଜାତି ସଂସାଧନ କେନ୍ଦ୍ର ସ୍ଥାପନ, ସଂଗ୍ରହାଳୟ ପ୍ରତିଷ୍ଠା ଆଦି ଅନେକ କାର୍ଯ୍ୟ ଏହି ପରିଷଦମାନଙ୍କ ଜରିଆରେ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ସମସ୍ତ 9ଟି ଜିଲ୍ଲାରେ ଉପସ୍ଥିତ ଜନଜାତି କଳାକାରମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଭାବବିନିମୟ  କରିଥିଲେ । 3ଟି ପ୍ରସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ଉଷା ଦେବୀ, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝୀ, ରାଜ୍ୟ ସରକାରଙ୍କ କଳା ଓ ସଂସ୍କୃତି ଉପଦେଷ୍ଟା ଆର. ବାଲକ୍ରିଷ୍ଣନ, ଉନ୍ନୟନ କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ଭାଷା, ସାହିତ୍ୟ ଓ ସଂସ୍କୃତି ସହିତ ଜଡିତ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

fourteen − 5 =