ଘରପାଖରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ

ଲୋକାର୍ପିତ ହେଲା ୩୦୦୦ ମୋ ସେବା କେନ୍ଦ୍ର ଓ OdishaOne Portal
ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର
୮୦୦୦ ଯୁବକ ଯୁବତୀଙ୍କପାଇଁ ଆତ୍ମ ନିଯୁକ୍ତି ସୁଯୋଗ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ଆଜି ହେଉଛି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ଦିବସ  । ଆଜିର ଦିନକୁ ରାଜ୍ୟ, ପଞ୍ଚାୟତିରାଜ ଓ ଲୋକ ସେବା ଦିବସ ଭାବରେ ପାଳନ କରୁଛି  । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦୦୦ରୁ ଅଧିକ ମୋ ସେବାକେନ୍ଦ୍ର ଓ OdishaOne Portal ଲୋକାର୍ପିତ କରିଛନ୍ତି  । 5T ଉପକ୍ରମ ଅନୁଯାୟୀ ଏହି କାର୍ଯ୍ୟକ୍ରମ ଆରମ୍ବ କରାଯାଇଛି  ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୁଳମନ୍ତ୍ର  । ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ  । ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ସହିତ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ  । ଏହି ଲକ୍ଷ୍ୟ ନେଇ ଆମର “5-ଟି କାର୍ଯ୍ୟକ୍ରମ ଓ ମୋ ସରକାର” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ସାଧାରଣ ଲୋକ ଯେପରି ସୁବିଧାରେ ଓ ସହଜରେ ବିଭିନ୍ନ ସରକାରୀ ସେବା ପାଇପାରିବେ ତା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ।

ବୈଷୟିକ ଜ୍ଞାନର ଉପଯୋଗ ସମ୍ପର୍କରେ ବିଜୁବାବୁଙ୍କ ଚିନ୍ତାଧାର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁବାବୁ ଚାହୁଁଥିଲେ Technology ର ସୁବିଧା ଗାଁ ଗାଁ ରେ ପହଞ୍ଚୁ । ବିଜ୍ଞାନର ସୁଫଳ ସାଧାରଣ ଲୋକର ସେବାରେ ଉପଯୋଗ ହେଉ । ତାର ଜୀବନଧାରଣ ମାନରେ ଉନ୍ନତି ଆସୁ । ମୋ ସେବାକେନ୍ଦ୍ର ଏ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ । ଏହି କେନ୍ଦ୍ର ଦ୍ବାରା ସାଧାରଣ ଲୋକ ନିଜ ଘର ପାଖରେ ବିଭିନ୍ନ ପ୍ରକାରର ସରକାରୀ ସୁବିଧା ପାଇପାରିବେ । ଏଥିପାଇଁ ସେମାନଙ୍କୁ ଆଉ ବାରମ୍ବାର ଅଫିସ ଯିବାର ଆବଶ୍ୟକତା ରହିବ ନାହିଁ ।

ମୁଖ୍ୟମନ୍ତ୍ରୀ କହିଥିଲେ ଆଗାମୀ ଦିନରେ ରାଜ୍ୟର ସବୁ ପଞ୍ଚାୟତରେ ଗୋଟିଏ ଗୋଟିଏ ମୋ ସେବାକେନ୍ଦ୍ର ଖୋଲାଯିବ । ଏହାଦ୍ବାରା ୮୦୦୦ ଯୁବକ ଯୁବତୀ ଆତ୍ମ ନିଯୁକ୍ତିର ସୁଯୋଗ ପାଇବେ । ସେହିପରି ସହରବାସୀ ତଥା କମ୍ପୁଟର ଜାଣିଥିବା ଲୋକମାନଙ୍କ ପାଇଁ OdishaOne Portal ସେବା ଯୋଗାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଦୁଇ କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ତଥା ସେବାର ଗୁଣାତ୍ମକ ମାନ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ପରାମର୍ଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ ଅଗଷ୍ଟ ୨୦୧୯ଦିନ 5T ଉପକ୍ରମର ଶୁଭାରମ୍ଭ ଉଦ୍‌ଘାଟନ ସମୟରେ ମୁଖ୍ୟମନ୍ତ୍ରୀ ସରକାରୀ ଅଫିସକୁ ବିଭିନ୍ନ ସେବା ପାଇବାପାଇଁ ଲୋକଙ୍କୁ ବାରମ୍ବାର ଯିବାରୁ ମୁକ୍ତିଦେବାରେ 5T ଉପକ୍ରମ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କ୍ରୀଡା ଓ ଯୁବସେବା ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ ମୁଖ୍ୟମନ୍ତ୍ରୀ ଙ୍କର ଏକ ଐତିହାସିକ ପଦକ୍ଷେପ ଭାବରେ ବର୍ଣ୍ଣନା କରିଥିଲେ ଏବଂ ଏହାଦ୍ବାରା ସମାଜର ସବୁ ବର୍ଗର ଲୋକ ଉପକାର ପାଇବେ ବୋଲି ମତ ଦେଇଥିଲେ ।

ମୋ ସେବାକେନ୍ଦ୍ରର ସୁବିଧା ନେଇଥିବା କୋଣାର୍କ, ହିଞ୍ଜିଳି, ଅତାବିରା, ନବରଙ୍ଗପୁର, ଭଦ୍ରକ ଓ ଗଜପତିର ହିତାଧିକାରୀମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ମତବିନିମୟ କରିଥିଲେ । ସେମାନେ ରାଜ୍ୟସରକାରଙ୍କ ଏହି କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ ।

ମୁଖ୍ୟମନ୍ତୀଙ୍କ ସଚିବ (5T) ଭି.କେ.ପାଣ୍ଡିୟାନ୍‌ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ସୂଚନା ଓ ପ୍ରଯୁକ୍ତି ବିଭାଗର ସଚିବ ମନୋଜ ମିଶ୍ର କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ସାଂସଦ ଓ ବିଧାୟକମାନଙ୍କ ସମେତ ବିଭାଗୀୟ ଉପଦେଷ୍ଟା ଅନୁଭବ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

1 × three =