ପ୍ରାକ ବିପର୍ଯ୍ୟୟ ସୂଚନା ବ୍ୟବସ୍ଥାର ଶୁଭାରମ୍ଭ

ଭୁବନେଶ୍ବର () : ବିପର୍ଯ୍ୟୟ ପ୍ରଶମନ ଦିବସ ଅବସରରେ ପ୍ରାକ ବିପର୍ଯ୍ୟୟ ସୂଚନା ପ୍ରଦାନ କେନ୍ଦ୍ର ଓ ସୂଚନା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ବିପର୍ଯ୍ୟୟ ପ୍ରାକ ସୂଚନା ବ୍ୟବସ୍ଥା କ୍ଷେତ୍ରରେ ଏହା ଏକ ଅଭିନବ ପ୍ରୟାସ । ଏହାଦ୍ବାରା ଏଣିକି ପ୍ରାକୃତିକ ବିପର୍ଯ୍ୟୟ ସଂପର୍କରେ ଲୋକଙ୍କୁ ଆଗୁଆ ସୂଚନା ମିଳିପାରିବ ।

480 କିଲୋମିଟର ସମୁଦ୍ର ତଟବର୍ତ୍ତୀ ଅଂଚଳରେ 122ଟି ଆଲର୍ଟ ସାଇରନ ଟାୱାର ପ୍ରତିଷ୍ଠା କରାଯାଇଛି । ଏହାଦ୍ବାରା ବିପର୍ଯ୍ୟୟ ସମୟରେ ରାଜ୍ୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷରୁ ଏକକାଳୀନ ସମସ୍ତ ଟାୱାର ଦ୍ବାରା ସାଧାରଣ ଲୋକଙ୍କୁ ବିପର୍ଯ୍ୟୟର ପ୍ରାକ ସୂଚନା ପ୍ରଦାନ କରାଯାଇପାରିବ । ଏହାଦ୍ବାରା ସମୂଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ ମଧ୍ୟ ସାଇରନ ଦ୍ବାରା ସତର୍କ କରାଯିବା ସହ ଏସଏମଏସ ମାଧ୍ୟମରେ ସତର୍କ କରାଯିବ । ଏଭଳି ଯୋଜନା ସମଗ୍ର ଦେଶରେ ଓଡିଶାରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ ହେବ ।

ନିକଟରେ ଗତ ଦୁଇ ଦଶନ୍ଧି ମଧ୍ୟରେ ତୃତୀୟ ସର୍ବବୃହତ ବାତ୍ୟାର ସମ୍ମୁଖୀନ ହୋଇଛି ଓଡିଶାରେ । ଏଥିରେ ରାଜ୍ୟ ସରକାର ଯଦି ଶୂନ ମୃତ୍ୟୁ ବା ଜିରୋ କାଜୁଆଲିଟିକୁ ସୁନିଶ୍ଚିତ କରିପାରିଛନ୍ତି ତେବେ ତାର ଶ୍ରେୟ ଯାଉଛି ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ ଏହାର ମୁକାବିଲାରେ ଲାଗିଥିଲେ ଏବଂ ରାଜ୍ୟର ବିପର୍ଯ୍ୟୟ ପ୍ରସ୍ତୁତି ବ୍ୟବସ୍ଥା । ଏହି ବ୍ୟବସ୍ଥାରେ ବର୍ତ୍ତମାନ ସୁଦ୍ଧା 879ଟି ବାତ୍ୟା ଆଶ୍ରୟସ୍ଥଳୀ, 20ଟି ସତର୍କ ସୂଚନା ବ୍ୟବସ୍ଥା, 20ଟି ଓଡ୍ରାଫ ୟୁନିଟ, 339ଟି ଅଗ୍ନିଶମ ୟୁନିଟ ଏବଂ ଡପଲର ରାଡାର ସିଷ୍ଟମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ହୋଇଥିବା କାଳରୂପୀ ମହାବାତ୍ୟାକୁ ଆଜି ୧୯ ବର୍ଷ ପୁରିଛି । ଆଉ ସେବେଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ତରଫରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନେକ ସଫଳ ମୁକାବିଲା କରିଛନ୍ତି ରାଜ୍ୟ ସରକାର ଯାହା ଜାତୀୟ ଗଣମାଧ୍ୟମ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଚର୍ଚ୍ଚାରେ ରହି ଆସିଛି ।

ପ୍ରଥମ ଥର ପାଇଁ ଓଡିଶା ଇତିହାସରେ ଗଜପତି ଜିଲ୍ଲାରେ ବଡ ଧରଣର ଭୂସ୍ଖଳ ହୋଇଥିଲା । ଯେଉଁଥିରେ ବହୁ ଲୋକ ମୃତ୍ୟୁବରଣ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର ବିପର୍ଯ୍ୟୟ ପ୍ରବଣତାର ମ୍ୟାପିଂ କରାଯିବ । ଯେଉଁଠି ଆବଶ୍ୟକତା ପଡିବ ପାହାଡ ଉପରେ ବଶବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତର ମଧ୍ୟ କରାଯିବ । ତିତଲି ବାତ୍ୟାର ପ୍ରାକ ପ୍ରସ୍ତୁତି, ଲୋକଙ୍କୁ ସ୍ଥାନାନ୍ତର ଏବଂ ବାତ୍ୟା ପରେ ରିଲିଫ ଓ ପୁର୍ନଗଠନ କାର୍ଯ୍ୟରେ ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ, ଓଡିଶା ବନ ନିଗମ ଏବଂ ସ୍ବେଚ୍ଛାସେବୀ ସଂଗଠନର କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ଭାରତୀୟ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ବିପର୍ଯ୍ୟୟ ସଂପର୍କରେ ଦିଆଯାଉଥିବା ଆଗୁଆ ସୂଚନା ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରାକ ପ୍ରସ୍ତୁତିରେ ସାହାର୍ଯ୍ୟ କରିଛି ।

କେବଳ କିଛି ଅତି ଦୁର୍ଗମ ପାହାଡିଆ ଅଂଚଳକୁ ଛାଡିଦେଲେ ପାନୀୟ ଜଳ ଓ ବିଦ୍ୟୁତ ସଂଯୋଗର ପୁନଃସ୍ଥାପନ ହୋଇଯାଇଛି । ରାଜ୍ୟ ସରକାର ରିଲିଫ ଓ ପୁର୍ନଗଠନ କାର୍ଯ୍ୟ ପାଇଁ 13ଶହ କୋଟି ଟଙ୍କା ପ୍ରଦାନ କରିଛନ୍ତି । ତିତଲି ଓ ପରବର୍ତ୍ତି ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ସବୁ ଲୋକଙ୍କୁ ରିଲିଫ ଓ ପୁର୍ନବାସ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nine + 4 =