ଆଇନଜୀବି ଆନ୍ଦୋଳନରେ ଫାଟ

କଟକ–ଦୀର୍ଘ ୨ ମାସ ଧରି ହାଇକୋର୍ଟ ବାର ଆସୋସିଏସନର ଆନ୍ଦୋଳନ ପରେ ଆଜି ହାଇକୋର୍ଟ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ହାଇକୋର୍ଟ ବାର ଆସୋସିଏସ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ବିଜେଡି ଲିଗାଲ ସେଲ୍ କୋର୍ଟ କାର‌୍ୟ୍ୟରେ ଯୋଗଦେବାକୁ ଘୋଷଣା କରିବା ପରେ ଉଭୟଙ୍କ ମଧ୍ୟରେ ମତଭେଦ ତେଜିବ ବୋଲି ଅନୁମାନ କରାଯାଉଥିଲା । ଆଜି ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଆଇନଜୀବୀମାନେ କାର‌୍ୟ୍ୟରେ ଯୋଗଦେବାକୁ ହାଇକୋର୍ଟରେ ପ୍ରବେଶ କରିବା ବେଳେ ବାର ଆସୋସିଏସନର ଅନ୍ୟ ଗୋଷ୍ଠୀ ତାଙ୍କୁ ବିରୋଧ କରିଥିଲେ । ଫଳରେ ହାଇକୋର୍ଟ ମୁଖ୍ୟଗେଟ୍ ନିକଟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଆଜି ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପ୍ରାୟ ୨୫ ପ୍ଲାଟୁନ ପୋଲିସ ଫୋର୍ସ ହାଇକୋର୍ଟରେ ପରିସ୍ଥିତି ଉପରେ ନଜର ରଖିଛନ୍ତି । ଯେକୌଣସି ପରିସ୍ଥିତିରେ ପୋଲିସ ବଳପ୍ରୟୋଗ କରିବାକୁ ପ୍ରସ୍ତୁତ ହୋଇ ରହିଛି । ହାଇକୋର୍ଟରେ ଏଭଳି ଏକ ସ୍ଥିତିକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । କଟକରେ ଜଣେ ଆଇନଜୀବୀଙ୍କୁ ପୋଲିସର ମାଡ ଘଟଣାକୁ ନେଇ ବାର ଆସୋସିଏସନ ଗତ ୨ ମାସଧରି କାର‌୍ୟ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲା ।
ଫଳରେ କୋର୍ଟରେ ସମସ୍ତ କାମ ଠପ୍ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜେଲଗୁଡିକରେ କଏଦୀ ସଂଖ୍ୟା ବେଶ ବଢିଯାଇଛି । କାରଣ ସେମାନଙ୍କୁ ଜାମିନ ମିଳିବା ନେଇ ସମସ୍ୟା ସୃଷ୍ଟି ହୋଇଛି । ତେବେ ଆଜି ଏହି ଆନ୍ଦୋଳନ ଉତ୍ତେଜନାମୂଳକ ମୋଡ ନେଇଯାଇଛି । ଏହି ଘଟଣା ଆଗକୁ କି ମୋଡ ନେବ ତା ଉପରେ ସମସ୍ତଙ୍କ ନଜର ରହିଛି ।

Share

Leave a Reply

Your email address will not be published. Required fields are marked *

2 × two =