ବନ୍ୟା ପ୍ରଭାବିତଙ୍କୁ 7 ଦିନ ରିଲିଫ

ଭୁବନେଶ୍ୱର (): ବନ୍ୟା ପ୍ରଭାବିତଙ୍କ ପାଇଁ ୭ ଦିନ ରିଲିଫ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳାହାଣ୍ଡି, ବୌଦ, କନ୍ଧମାଳ ଓ ସୋନପୁର ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରିଲିଫ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୟସ୍କବ୍ୟକ୍ତିଙ୍କ ପାଇଁ ଦୈନିକ ମୁଣ୍ଡପିଛା ୬୦ ଟଙ୍କା ଓ ପିଲାଙ୍କ ପାଇଁ ମୁଣ୍ଡପିଛା ୪୫ ଟଙ୍କା ହାରରେ ରିଲିଫ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ବନ୍ୟା ପରିସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେବା ଏବଂ ଆଉ କେତେକ ସ୍ଥାନରେ ବନ୍ୟାର ଆଶଙ୍କା ଥିବାରୁ ସେ ପରିସ୍ଥିତି ଉପରେ ୨୪ ଘଣ୍ଟା ସତର୍କ ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ଜନତାଙ୍କୁ ସୁରକ୍ଷା ଏବଂ ସହାୟତା ପାଇଁ ସବୁ ବିଭାଗ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି ।

ବଲାଙ୍ଗୀର, କଳାହାଣ୍ଡି, ବୌଦ, ସୁବର୍ଣ୍ଣପୁର ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହିସବୁ ଜିଲ୍ଲାରେ ପ୍ରଭାବିତ ଲୋକଙ୍କୁ ଆଶ୍ରୟସ୍ଥଳରେ ରଖାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ଭିଡ଼ିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ଜିଲ୍ଲାପାଳମାନଙ୍କ ସହିତ ପରିସ୍ଥିତି ସମ୍ପର୍କରେ ଆଲୋଚନା କରି ସେମାନଙ୍କ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ । ବଲାଙ୍ଗୀର ସହରରେ ପ୍ରବଳ ବର୍ଷା ଯୋଗୁ ପରିସ୍ଥିତି ଗମ୍ଭୀର ରହିଥିବାରୁ ସେଠାକୁ ଆଉ ୩ଟି ଓଡ଼୍ରାଫ ଟିମ୍ ପଠାଇବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ବୈଠକର ସୂନା ଅନୁଯାୟୀ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ମହାନଦୀ ଅବବାହିକା ଅଞ୍ଚଳରେ ବନ୍ୟା ଆସୁଛି । ୧୫ ତାରିଖ ସକାଳ ସୁଦ୍ଧା ମହାନଦୀରେ ୧୧ ଲକ୍ଷ କ୍ୟୁସେକ ପାଣି ଆସିବ । ଏହା ଦ୍ୱାରା କଟକ, ଜଗତସିଂହପୁର, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ବନ୍ୟାର ଆଶଙ୍କା ଦେଖାଦେଇଛି । ତେଣୁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ଏହି ଜିଲ୍ଲାଗୁଡ଼ିକର ନଦୀବନ୍ଧ ଗୁଡ଼ିକରେ ପେଟ୍ରୋଲିଂ କଡ଼ାକଡ଼ି କରି ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କଟକ ସହରର ରିଙ୍ଗ ରୋଡ଼ ଉପରେ ମଧ୍ୟ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

3 × four =