ଆନ୍ତର୍ଜାତିକ ହକି ତାଲିମ ପାଇଁ ଖୋଲିଲା ଏକାଡେମୀ

ଭୁବନେଶ୍ୱର (): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହକି ପ୍ରଶିକ୍ଷଣ ଏକାଡେମୀ ପାଇଁ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି । ଏହାଦ୍ୱାରା ରାଜ୍ୟର ଶ୍ରେଷ୍ଠ ହକି ପ୍ରତିଭାଙ୍କୁ ଭବିଷ୍ୟତର ଜାତୀୟ ଏବଂ ଆନ୍ତର୍ଜାତିକ କ୍ରୀଡ଼ାବିତ୍ ଭାବେ ପ୍ରସ୍ତୁତ କରାଯିବ ।

ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କ ପରିପୋଷଣ ପାଇଁ ଟାଟା ଷ୍ଟିଲ୍, ଟାଟା ଟ୍ରଷ୍ଟ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ସ୍ଥାପନ କରାଯାଇଥିବା ଟାଟା ଓଡ଼ିଶା ହକି କାର୍ଯ୍ୟକ୍ରମର ତିନିସୂତ୍ରୀ ଅଂଶସ୍ୱରୂପ ଭୁବନେଶ୍ୱରରେ ଏହି ଉଚ୍ଚସ୍ତରୀୟ ହକି ଏକାଡେମୀ ଖୋଲାଯାଇଛି । ଭୁବନେଶ୍ୱର, ସୁନ୍ଦରଗଡ଼ ଓ ରାଉରକେଲାରେ ଥିବା କ୍ରୀଡ଼ା ଛାତ୍ରାବାସ ଆଞ୍ଚଳିକ ବିକାଶ କେନ୍ଦ୍ରରେ ଟାଟା ଟ୍ରଷ୍ଟ ଓ ଟାଟା ଷ୍ଟିଲର ବିଶେଷଜ୍ଞମାନେ ଏହି ଏକାଡେମୀ ସହ ମିଳିତ ଭାବେ କାର୍ଯ୍ୟ କରି କ୍ରୀଡ଼ାବିତଙ୍କ ଦକ୍ଷତା ଓ ଉକ୍ରର୍ଷତା ବଢ଼ାଇବେ । ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୦ରୁ ୨୦ଟି ତୃଣମୂଳ କେନ୍ଦ୍ର ସ୍ଥାପନ କରାଯିବ । ଏହି ତୃଣମୂଳ କେନ୍ଦ୍ରରେ ପ୍ରତିଭାମାନଙ୍କୁ ସନ୍ଧାନ କରାଯାଇ ସେମାନଙ୍କୁ କ୍ରୀଡ଼ା ଛାତ୍ରାବାସରେ ନାମ ଲେଖାଇବାକୁ ସୁପାରିଶ କରାଯିବ । ଯେଉଁ ଯୁବ ଓ ଉତ୍ସାହୀ ଖେଳାଳିମାନଙ୍କର ଆଗ୍ରହ ଥିବ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଏହି କେନ୍ଦ୍ରଗୁଡ଼ିକରେ ପ୍ରଶିକ୍ଷଣ ପ୍ରଦାନକାରୀ ଓ ସଂଯୋଜକ ଭାବେ ପେସାଦାର ହେବାର ସୁଯୋଗ ଦିଆଯିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଭାରତର କ୍ରୀଡ଼ା ରାଜଧାନୀ ଭାବେ ଭୁବନେଶ୍ୱର ନୂଆ ପରିଚୟ ପାଇଛି । ଏହି ଏକାଡେମୀ ପ୍ରତିଷ୍ଠା ହେବା ଦ୍ୱାରା ରାଜ୍ୟର ଯୁବକ ଯୁବତୀମାନେ କମ୍ ବୟସରୁ କୃତ୍ରିମ ଟର୍ଫରେ ଶ୍ରେଷ୍ଠ ମାନର ପ୍ରଶିକ୍ଷଣ ହାସଲ କରିପାରିବେ । ଯାହା ଜରିଆରେ କ୍ରୀଡ଼ାବିତ୍ମାନେ ସେମାନଙ୍କର ଆନ୍ତର୍ଜାତିକ ପ୍ରତିପକ୍ଷଙ୍କ ସହ ପ୍ରତିଯୋଗିତା କରିପାରିବେ । ଏହି ଅଭିଯାନ ମଧ୍ୟ ଉଚ୍ଚମାନର ହକି କୋଚ୍ ତିଆରି କରିବାରେ ସହାୟକ ହେବ ।

Share

Leave a Reply

Your email address will not be published. Required fields are marked *

4 × 5 =