୨୨ ସୁଦ୍ଧା ପୂର୍ଣ୍ଣାଙ୍ଗ କ୍ଷୟକ୍ଷତି ରିପୋର୍ଟ

ବିପର୍ଯ୍ୟୟ ପରିଚାଳନା ଦକ୍ଷତାକୁ ଅଧିକ ବୃଦ୍ଧି କରାଯିବ

ଭୁବନେଶ୍ୱର () ଚଳିତ ବର୍ଷ ପ୍ରଳୟଙ୍କରୀ ବାତ୍ୟା ଏବଂ ବିଗତ ବର୍ଷ ମାନଙ୍କରେ ଘଟିଥିବା ପ୍ରାକୃତିକ ବିପର୍ଯ୍ୟୟର ଅନୁଭୁତି ଭିତିରେ ଆଗାମୀ ଦିନ ପାଇଁ ରାଜ୍ୟର ବିପର୍ଯ୍ୟୟ ପରି·ଳନା ଦକ୍ଷତାକୁ ଅଧିକ ବୃଦ୍ଧି କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି । ଆଜି ବିପର୍ଯ୍ୟୟ ପରିଚାଳନା ପାଇଁ ଗଠିତ ରାଜ୍ୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପାଢ଼ୀ ଏହା କହିଛନ୍ତି । ବିପର୍ଯ୍ୟୟ ପରବର୍ତୀ ସ୍ଥିତିର ମୁକାବିଲା ନିମନ୍ତେ ମାନବ ସମ୍ବଳକୁ ଅଧିକ ପ୍ରଶିକ୍ଷିତ କରିବା ଏବଂ ଯେଉଁ ପ୍ରକାରର ଯନ୍ତ୍ରପାତି ଗୁଡିକ ବିଶେଷ ସହାୟକ ହେଉଛି ସେସବୁକୁ ଅଧିକ ପରିମାଣରେ ଓସ୍ଡେମା, ପୋଲିସ୍ ଏବଂ ଫାୟାର ସର୍ଭିସ୍ ଷ୍ଟେସନ ମାନଙ୍କରେ ରଖିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ଜରୁରୀକାଳୀନ ଉଦ୍ଧାର ସୁରକ୍ଷା ଓ ପରିଚାଳନା ପାଇଁ ଥିବା ଯନ୍ତ୍ରପାତି ଗୁଡିକର ଉତମ ରକ୍ଷଣାବେକ୍ଷଣ ପାଇଁ ନିର୍ଭରଯୋଗ୍ୟ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ବିଷ୍ଣୁପଦ ସେଠୀ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ରାଜ୍ୟରେ ଥିବା ମାନବ ସମ୍ବଳ ଓ ସରଞ୍ଜାମ ବିଷୟରେ ସବିଶେଷ ତଥ୍ୟ ରଖିଥିଲେ । ବିଗତ ଦିନ ମାନଙ୍କରେ ଆସ୍କା ଲାଇଟ୍ ପରି ଫୁଲାଯାଇ ପାରୁଥିବା ଟାୱାର ଲାଇଟ୍ ଅଧିକ ସହାୟକ ହୋଇଥିବାରୁ ଅଧିକ ୨୦୦ଟି ଲାଇଟ୍ କିଣି ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କୁ ଯୋଗାଇବା ପାଇଁ ନିଷ୍ପତି ହୋଇଥିଲା । ସୂଚନା ଯୋଗ୍ୟ, ବର୍ତମାନ ଓସ୍ଡେମା ପାଖରେ ୬୧୩ଟି ଏପରି ଟାୱାର ଲାଇଟ୍ ରହିଛି ଯାହାକି ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବିଦ୍ୟୁତ୍ ବ୍ୟବସ୍ଥା ନଷ୍ଟ ହୋଇଥିବା ସହର ମାନଙ୍କରେ ଚଳିତ ବାତ୍ୟାରେ ବ୍ୟବହାର କରାଯାଇଛି । ସେହିପରି ଅଧିକ ୧୦ଟି ଜେ.ସି.ବି. ଏବଂ ୧୦ଟି ପ୍ଲାଜ୍ମା କଟର ଓ ୧୦ଟି ଗ୍ୟାସ୍ କଟର ଆଦି କ୍ରୟ କରି ରଖିବା ପାଇଁ ମଧ୍ୟ ବୈଠକରେ ସ୍ଥିର ହୋଇଥିଲା ।
ବାତ୍ୟା ଫୋନିରେ ଘରୋଇ ବାସଗୃହ, ଫସଲ, ସଂପତି, ପଶୁସଂପଦ, ମାଛଧରା ଜାଲ ଓ ବୋଟ୍, ହସ୍ତତନ୍ତ,

ହସ୍ତଶିଳ୍ପ ଆଦି କ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ମେ ୨୨ ତାରିଖ ସୁଦ୍ଧା ଦେବା ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ସେଠୀ ଜଣାଇଥିଲେ । କ୍ଷୟକ୍ଷତି ଆକଳନ ନିମନ୍ତେ ସଂପୃକ୍ତ ବିଭାଗର ଅଧିକାରୀ ମାନଙ୍କୁ ସାମିଲ କରି ଯୌଥ କମିଟି ଗଠନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ । ଆକଳନକୁ ବାସ୍ତବ ଓ ସଠିକ୍ କରିବା ପାଇଁ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ କୁହାଯାଇଥିଲା ।

ରାଜ୍ୟ ବିପର୍ଯ୍ୟୟ ପରିଳନା ପାଣ୍ଠି ନିୟମ ଅନୁସାରେ କ୍ଷତିଗ୍ରସ୍ତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ, ଜଳସେଚନ ପ୍ରକଳ୍ପ, ବିଦ୍ୟାଳୟ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କମ୍ୟୁନିଟି ସଂପତି ଆଦିର ଜରୁରୀ ମରାମତି ନିମନ୍ତେ ସହାୟତା ଯୋଗାଇବା ପାଇଁ ମଧ୍ୟ ବୈଠକରେ ସ୍ଥିର ହୋଇଥିଲା । ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବିଭିନ୍ନ ରିଲିଫ୍ ପ୍ୟାକେଜ୍, ଘର ମରାମତି ସହାୟତା ଏବଂ ଜିବୀକା ନିର୍ବାହ ସାଧନର ପୁନରୁଦ୍ଧାର ପାଇଁ ସହାୟତା ଆଦିର କାର୍ଯ୍ୟାନ୍ୱୟନ ବିଷୟରେ ବୈଠକରେ ଆଲୋଚନା ହୋଇ ଆବଶ୍ୟକୀୟ ନିଷ୍ପତିମାନ ନିଆଯାଇଥିଲା । ତା ଛଡା ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା ହୋଇଥିବା ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ୍ ପାଇଁ ମଧ୍ୟ ଅର୍ଥ ବ୍ୟବସ୍ଥା କରାଯାଇଥିଲା ।

ସୂଚନାଯୋଗ୍ୟ, ଚଳିତ ବାତ୍ୟାରେ ପୁରା ଭାଙ୍ଗି ଯାଇଥିବା ଘର ପାଇଁ ୯୫,୦୦୦ ଟଙ୍କା, ଅଶିକ ଭାଙ୍ଗିଥିବା ଘର ପାଇଁ ୫,୨୦୦ ଟଙ୍କା ଏବଂ ସମ୍ୟକ କ୍ଷତିଗ୍ରସ୍ତ ଘର ପାଇଁ ୩,୨୦୦ ଟଙ୍କାର ମରାମତି ସହାୟତା ଦିଆଯିବ । ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଏହି ଜିଲ୍ଲାର ଗରିବ ପରିବାର ମାନଙ୍କ ପାଇଁ ସରକାରଙ୍କ ଘୋଷଣା ଅନୁସାରେ ୫୦ କିଲୋ ଚାଉଳ, ୨୦୦୦ ଟଙ୍କା ଏବଂ ପଲିଥିନ୍ ର ସ୍ୱତନ୍ତ୍ର ସହାୟତା ବଂଟନ କରାଯାଉଛି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀ ଅସୀତ କୁମାର ତ୍ରିପାଠୀ, ପୋଲିସ୍ ମହାନିର୍ଦ୍ଦେଶକ ଡ଼ଃ ରାଜେନ୍ଦ୍ର ପ୍ରସାଦ ଶର୍ମା, କୃଷି ଉତ୍ପାଦନ କମିଶନର ଶ୍ରୀ ଗଗନ କୁମାର ଧଳଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ , କମିଶନର ଓ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

19 − eighteen =