ଶିଳ୍ପାୟନ ଓ ସ୍ବାସ୍ଥ୍ୟ ସେବାକୁ ସର୍ବାଧିକ ଗୁରୁତ୍ବ

ଭୁବନେଶ୍ବର () ରାଜ୍ୟ କ୍ୟାବିନେଟରେ ୨୦ଟି ପ୍ରସ୍ତାବକୁ ମିଳିଛି ମଂଜୁରୀ । ଶିଳ୍ପାୟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଶିଳ୍ପ ଆଇନକୁ ସଂଶୋଧନ କରାଯାଇଛି । ଶିଳ୍ପାନୁଷ୍ଠାନ ପାଇଁ ଆଇପିଆର ଇନସେନଟିଭକୁ କ୍ୟାବିନେଟ ମଂଜୁରୀ ଦେଇଛି । ଏହାଦ୍ବାରା ପ୍ରାୟ ୩୦୦ ଶିଳ୍ପାନୁଷ୍ଠାନ ଏବଂ ପ୍ରାୟ ୫୦ ହଜାର ଶ୍ରମିକ ଉପକୃତ ହେବେ । ସେହିଭଳି ଫାକ୍ଟ୍ରି ଆଇନରେ ମଧ୍ୟ ସଂଶୋଧନ କରାଯାଇ ଥ୍ରେସ ହୋଲ୍ଡ ଲିମିଟକୁ ଦୁଇଗୁଣା କରାଯାଇଛି । ଶିଳ୍ପାନୁଷ୍ଠାନରେ ଓଭର ଟାଇମ ସୀମା ୭୫ ଘଣ୍ଟାରୁ ୧୧୫ ଘଣ୍ଟାକୁ ବୃଦ୍ଧି କରାଯାଇଛି । ମହିଳା କର୍ମଚାରୀମାନେ ମଧ୍ୟ କରିପାରିବେ ନାଇଟ ସିଫ୍ଟ । ଏଥିସହିତ ଏଣିକି ୨୪୦ ଦିନ ପରିବର୍ତ୍ତେ ୧୮୦ ଦିନ ପରେ ମିଳିବ ଛୁଟି । ଶିଳ୍ପ ଆଇନରେ ନୂଆ ଧାରା ୫-କ ସଂଲଗ୍ନ କରାଯାଇଛି । ଏହାଦ୍ବାରା ଆବଶ୍ୟକ ସ୍ଥଳେ ସରକାର କୌଣସି ଶିଳ୍ପାନୁଷ୍ଠାନକୁ ହଜାରେ ଦିନ ପାଇଁ ସବୁ ଆଇନରୁ ରିହାତି ଦେଇପାରିବେ । କିନ୍ତୁ ସେହି ହଜାରେ ଦିନ ମଧ୍ୟରେ ସମ୍ପୃକ୍ତ ଶିଳ୍ପାନୁଷ୍ଠାନ ଉତ୍ପାଦନକ୍ଷମ ହେବା ଆବଶ୍ୟକ ।

ଗଙ୍ଗାଧର ମହେର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଟେଣ୍ଡରକୁ ମଂଜୁର ଦେଇଛି କ୍ୟାବିନେଟ । ଏହି ପ୍ରକଳ୍ପ ପାଇଁ ୧୧୩୮ କୋଟି ୬୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଫଳରେ ବରଗଡ ଓ ସୋନପୁର ଜିଲ୍ଲାର ୧୨୮ଟି ଗାଁର ୨୫ହଜାର ୬୦୦ ଚାଷଜମିକୁ ଜଳସେଚନ ହୋଇପାରିବ । ୩୦ ମାସ ମଧ୍ୟରେ ଏହି ପ୍ରକଳ୍ପ କାମ ଶେଷ ହେବ ।

ସ୍ବାସ୍ଥ୍ୟ ସେବା ଭିତ୍ତିଭୂମୀର ଦୃଢୀକରଣ ପାଇଁ ନିର୍ମଳ ଯୋଜନାକୁ ସଂଶୋଧନ କରାଯାଇଛି । ଆଜି ଏହି ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମଂଜୁରୀ । ନିର୍ମଳ ଯୋଜନାର ସଫଳତାକୁ ଦେଖ ନିର୍ମଳ ପ୍ଲସ ଓ ନିର୍ମଳ ପ୍ଲସ ପ୍ଲସ ଯୋଜନା ଆରମ୍ଭ ହୋଇଛି । ଏଥିରେ ପାଂଚ ବର୍ଷରେ ୧୯୯୮ କୋଟି ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ନିର୍ମଳ ଯୋଜନାରେ ରାଜ୍ୟର ମୋଟ ୧୮୧୨ଟି ଜିଲ୍ଲା ସଦର ମହକୁମା ଡାକ୍ତରଖାନା ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସାମିଲ ହୋଇଥିଲା । ନିର୍ମଳ ପ୍ଲସ ଯୋଜନାରେ ୪ଟି ନୂଆ ମେଡିକାଲ କଲେଜ, ୯ଟି ଆୟୁଷ କଲେଜ ଏବଂ ୩୨ଟି ନର୍ସିଂ କଲେଜ ଏହିଭଳି ମୋଟ ୪୫ଟି ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ସାମିଲ କରାଯାଇଛି । ନିର୍ମଳ ପ୍ଲସ ପ୍ଲସ ଯୋଜନାରେ ତିନୋଟି ମେଡିକାଲ କଲେଜ ସହ କ୍ୟାପିଟାଲ ହସ୍ପିଟାଲ, ଓ ଅନ୍ୟ ତିନୋଟି ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ସାମିଲ କରାଯାଇଛି ।

ସେହିପରି ଓଡିଶା ହେଲଥ ଆସ୍ୟୁରାନ୍ସ ସୋସାଇଟିକୁ ମଂଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ । ଏଥିରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠିର ହିତାଧିକାରୀମାନେ ସାମିଲ ହୋଇଛନ୍ତି । ଏହାଦ୍ବାରା ୭୦ ଲକ୍ଷ ପରିବାର ଉପକୃତ ହେବେ । ଏଥିରେ ସମସ୍ତଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁନିଶ୍ଚିତ ସ୍ବାସ୍ଥ୍ୟ ସେବା ମିଳିବ । ମହିଳାଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟ ସେବା ମିଳିବ ।

ପାନୀୟ ଜଳ ଯୋଜନାରେ ଗତ ୩ ବର୍ଷରେ ରାଜ୍ୟ ସରକାର ୨୪ହଜାର ୧୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି । ଏହାଦ୍ବାରା ପ୍ରତିଷ୍ଠା ହେବ ୬୮୦୦ କ୍ଷୁଦ୍ର ଓ ୬୬ଟି ବୃହତ ପ୍ରକଳ୍ପ । ଉପକୃତ ହେବେ ରାଜ୍ୟର ୪୮ ପ୍ରତିଶତ ଜନସଂଖ୍ୟା । ଆଜି ୪ଟି ନୂଆ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ ଦେଇଛି । ଏହି ୪ଟି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୮୨୭ କୋଟି ଟଙ୍କା । କୋରାପଟୁ, ମାଲକାନିଗିରି, ମୟୁରଭଂଜ, ଗଜପତି, କଟକ ଓ ବାଲେଶ୍ବରର ୯୧୧ଟି ଗାଁର ୬ ଲକ୍ଷ ୭ ହଜାର ଅତିରିକ୍ତ ଜନସଂଖ୍ୟା ଏହି ପାନୀୟଜଳ ପ୍ରକଳ୍ପରୁ ଉପକୃତ ହେବେ ।

ସହରାଞ୍ଚଳରେ ୨୫ ପ୍ରତିଶତ ଜନସଂଖ୍ୟା ବସ୍ତିରେ ରହୁଛନ୍ତି । ଏଥିପାଇଁ ପୌର ପରିଷଦର ବାର୍ଷିକ ବଜେଟର ୨୫ ପ୍ରତିଶତ ବସ୍ତିର ବିକାଶ ପାଇଁ ସଂରକ୍ଷିତ ରଖିବାକୁ ଆଜିର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ଏଥିପାଇଁ ରାଜ୍ୟ ପୌର ପରିଷଦ ଓ ମହାନଗର ନିଗମ ଆଇନରେ ସଂଶୋଧନ କରାଯାଇଛି । ସେହିଭଳି ପୂର୍ବରୁ ଟ୍ରେଡ଼ ଲାଇସେନ୍ସ ପାଇଁ ସମୟ ଲାଗୁଥିଲା । ଏଣିକି ଆବେଦନ ଦିନ ହିଁ ବ୍ୟବସାୟ ପାଇଁ ପ୍ରୋଭିଜନାଲ ଲାଇସେନ୍ସ ପ୍ରଦାନ କରାଯିବ । ପୌରାଞ୍ଚଳରେ ଅନେକଗୁଡିକ ପୁରୁଣା ଟିକସ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ତେଣୁ ପୌରାଞ୍ଚଳକୁ ନିଜସ୍ବ ଆୟ ବୃଦ୍ଧି ପାଇଁ ସ୍ବାଧିନତା ଦିଆଯାଇଛି ।

ପୁରୀ ଐତିହ୍ୟ କ୍ଷେତ୍ର ପାଇଁ ଶ୍ରୀମନ୍ଦିର ମେଘନାଦ ପାଚେରୀ ଚାରିପଟୁ ୭୫ ମିଟର ପରିଧି ଅଂଚଳକୁ ଜବରଦଖଲମୁକ୍ତ କରାଯାଇଛି । ଉଚ୍ଛେଦ ହୋଇଥିବା ଲୋକଙ୍କୁ ମଙ୍ଗଳାଘାଟରେ ପୁର୍ନବାସ କଲୋନି ନିର୍ମାଣ କରାଯାଉଛି । ଏଥିପାଇଁ ରାଜ୍ୟ ସରକାର ୬.୬୧୬ ଏଜର ଜମି ମାଗଣାରେ ପ୍ରଦାନ କରିଛନ୍ତି । ଏହି ଜମି ଉପରେ ଷ୍ଟାମ୍ପ ଡ୍ୟୁଟିକୁ ମଧ୍ୟ ହଟାଇଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

six − six =