ଆଇନ ଓ ଲୋକମତକୁ ବିଜେପିର ସମ୍ମାନ ନାହିଁ

ତାଳଚେର/ସମ୍ବଲପୁର (): ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପି ଛାନିଆ ହୋଇଗଲାଣି  । ସେଥିପାଇଁ ବିଜେପି ନେତାମାନେ ଇଭିଏମ ଭାଙ୍ଗିବା ଆରମ୍ଭ କରିଦେଇଛନ୍ତି । ଲୋକମତକୁ ଏବଂ  ଆଇନକୁ ସମ୍ମାନ ଦେଇ ଜାଣିନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ।

ତାଳଚେର ଘଂଟପଡ଼ାରେ ଆୟୋଜିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ  ପୁଣି କେନ୍ଦ୍ର ଉପରେ ବର୍ଷିଛନ୍ତି  । ବିଜେପିକୁ ସମାଲୋଚନା କରି ସେ କହିଛନ୍ତି ଯେ ୫ ମିନିଟର କାମ ୫ ବର୍ଷରେ ହୋଇ ପାରିଲା ନାହିଁ । କୋଇଲା ରୟାଲିଟି ନିୟମ ସଂଶୋଧନ କାହିଁକି ହୋଇନି ? କୋଇଲା ରୟାଲିଟିରୁ କେନ୍ଦ୍ର ଅଧିକ ଲାଭବାନ ହେବାସହ ହଜାର ହଜାର କୋଟି ଟଙ୍କା ପାଉଛି  । ହେଲେ କେହିବି ସ୍ଥାନୀୟ ଅଂଚଳର ବିକାଶ ପ୍ରତି ଯତ୍ନଶୀଳ ନୁହଁନ୍ତି  । ଓଡ଼ିଶା ଭାଗ୍ୟରେ କେବଳ ଧୂଳି ଓ ପ୍ରଦୂଷଣ ଲେଖାହୋଇଛି  ।

ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି, ଓଡ଼ିଶାର ବିଜେପିର ବଡ଼ ବଡ଼ ନେତାମାନେ କୋଇଲା କାରବାର କରୁଛନ୍ତି କି ? ଏମସିଏଲ, ଏନଟିପିସି ହଜାର ହଜାର କୋଟି ଟଙ୍କା ଆୟ କରୁଛି କିନ୍ତୁ ଲୋକଙ୍କୁ କିଛି ମିଳୁନି । ନିଜ ଅଂଚଳରେ ବଡ଼ ବଡ଼ ଖଣିଖାଦାନ ଥିଲେ ମଧ୍ୟ ଯୁବକଙ୍କୁ ଚାକିରି ମିଳୁନି । ବିଜେପି ନେତାମାନେ କଂଟ୍ରାକ୍ଟର ବନ୍ଧୁଙ୍କ ପାଇଁ କାମ କରୁଛନ୍ତି କି? ଜାଣିଶୁଣି ଓଡ଼ିଶା ଯୁବକଙ୍କୁ ଅଣଦେଖା କରାଯାଉଛି । ଜମି ହରାଇଥିବା ଲୋକଙ୍କୁ ନ୍ୟାୟ ମିଳୁନି  । ଏସବୁ ସତ୍ୱେ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଚୁପ ଅଛନ୍ତି  । ବିଜେପି ନେତାଙ୍କୁ ଏହି ସବୁ ପ୍ରଶ୍ନ କରିବା ପାଇଁ ଭୋଟରଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେପି ଓଡିଶାର ସ୍ୱାର୍ଥ ବିରୋଧୀ । ହାରିବା ଭୟରେ ଛାନିଆ ହୋଇପଡିଛନ୍ତି ବିଜେପି ନେତାମାନେ । ଏଥର ନିର୍ବାଚନରେ କେହି ବି ଜାତୀୟ ଦଳ କେନ୍ଦ୍ରରେ ସଂଖ୍ୟା ଗରିଷ୍ଠତା ପାଇବେ ନାହିଁ । ଆଞ୍ଚଳିକ ଦଳମାନେ ହିଁ ହେବେ କିଙ୍ଗମେକର । ଓଡିଶା ପାଇଁ ଓ  ଆମ ପାଇଁ ଏହା ଏକ ବଡ ସୁଯୋଗ ବୋଲି ରେଢାଖୋଲ, ଆଠମଲ୍ଲିକ ଓ କୁଚିଣ୍ଡା ଅଭିଭାଷଣରେ ସେ କହିଛନ୍ତି ।

ସେହିପରି ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । କିନ୍ତୁ ବିଜେପି ସରକାର କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ଚଳାଇଛି । ହେଲେ ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ବିଜୁ ଜନତା ଦଳ ସରକାର ଗଠନ କରିବାର ପ୍ରଥମ ଦିନରେ କାଳିଆ ଯୋଜନାର ଦୁଇଟି କିସ୍ତି ଟଙ୍କା ମିଳିବ । ବିଜୁ ଜନତା ଦଳ ମହିଳାମାନଙ୍କୁ ହକ୍ ଦେଇଛି । କେନ୍ଦ୍ରର ଯୋଜନା ତୁଳନାରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନେ ଦୁଇଗୁଣ ଟଙ୍କା ପାଉଛନ୍ତି । ମହିଳାମାନେ ହିଁ ବିକାଶର ପ୍ରକୃତ ଡବଲ ଇଞ୍ଜିନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × two =