କେନ୍ଦ୍ର ବିରୋଧରେ ରାସ୍ତାକୁ ଓହ୍ଲାଇବ ବିଜେଡି

  • କେନ୍ଦ୍ରର ଓଡିଶା ଓ ଚାଷୀ ବିରୋଧି ମନୋଭାବ ଜାରି ରହିଛି: ବିଜେଡି
  • ଚାଷୀଙ୍କ ବିପଦ ବେଳେ ଦେଖା ଦେଉନାହାନ୍ତି ରାଜ୍ୟର ବିଜେପି ସାଂସଦ
  • ତୁରନ୍ତ ବଳକା ଚାଉଳ ଉଠାଇବାକୁ ଦାବି କଲା ବିଜେଡି
  • ୮ ତାରିଖରେ ଏଫ୍‍ସିଆଇ ଦପ୍ତର ଘେରିବ ବିଜେଡି

ଭୁବନେଶ୍ୱର () ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରର ଓଡିଶା ବିରୋଧୀ ତଥା କୃଷକ ବିରୋଧୀ ମନୋଭାବ ଜାରି ରହିଛି । କେନ୍ଦ୍ରୀୟ ଅବହେଳାର ସର୍ବଶେଷତମ ଉଦାହରଣ ହେଉଛି ଓଡ଼ିଶାରୁ ବଳକା ଚାଉଳ ଉଠାଇବାକୁ କେନ୍ଦ୍ର ସରକାର ରୋକଠୋକ୍‍ ଭାବେ ମନା କରିବା । ଏହାଦ୍ୱାରା ଓଡ଼ିଶାର କୋଟି କୋଟି କୃଷକ ଦୁଃଖ ଓ ଅନାଟନରେ ପଡ଼ିଥିବା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ଓ ସୁଲତା ଦେଓ ।

ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମିଶ୍ର ଓ ଶ୍ରୀମତୀ ଦେଓ କହିଛନ୍ତି ଯେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‍)ରେ ଚାଉଳ ଯୋଗାଣ କ୍ଷେତ୍ରରେ ଓଡିଶା ହେଉଛି ତୃତୀୟ ବୃହତ୍ତମ ଯୋଗଦାନକାରୀ । ଓଡିଶା ୯୫ ପ୍ରତିଶତ ଉଷୁନା ଚାଉଳ ଉତ୍ପାଦନ କରେ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଓଡିଶାରେ ବଳକା ଚାଉଳକୁ ଉଠାଇବା କେନ୍ଦ୍ରର କର୍ତ୍ତବ୍ୟ, ରାଜ୍ୟର ନୁହେଁ । ଓଡିଶାର କୃଷକଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର କେନ୍ଦ୍ର ତରଫରୁ ଚାଉଳ ଖରିଦ କରିଥାନ୍ତି । କିନ୍ତୁ ବର୍ତ୍ତମାନ ବଳକା ଚାଉଳ ନ ଉଠାଇବାକୁ କେନ୍ଦ୍ର ସରକାର ଖୋଲାଖୋଲି ପ୍ରତ୍ୟାଖ୍ୟାନ କରିବା ଓଡିଶା ଚାଷୀଙ୍କ ଜୀବନ ଓ ଜୀବିକା ଉପରେ ଆକ୍ରମଣ ସଦୃଶ ହୋଇଛି । ଏହା ବିରୁଦ୍ଧରେ ଆସନ୍ତାକାଲି (ଫେବୃୟାରୀ ୮ ତାରିଖ) ଦିନ ୧୦.୩୦ରେ ଏଫ୍‍ସିଆଇ ଦପ୍ତର ସମ୍ମୁଖରେ ଦଳ ଧାରଣା ଦେବ ବୋଲି ଦୁଇ ମୁଖପାତ୍ର ସୂଚନା ଦେଇଛନ୍ତି ।

୨୦୨୧-୨୨ ଖରିଫ ଋତୁରେ ଓଡିଶାରୁ ଚାଉଳ ସଂଗ୍ରହର ମୋଟ ଧାର୍ଯ୍ୟ ଲକ୍ଷ୍ୟ ହେଉଛି ୫୨ ଲକ୍ଷ ମେଟ୍ରିକ୍ ଟନ୍ । ୩୦ ଲକ୍ଷ ମେଟ୍ରିକ୍ ଟନ୍ ରାଜ୍ୟରେ ବ୍ୟବହାର ହେବ । ଅବଶିଷ୍ଟ ୨୨ ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ମଧ୍ୟରୁ ୨ ଲକ୍ଷ ମେଟ୍ରିକ୍ ଟନ୍ ଅରୁଆ ଚାଉଳ ଉଠାଯିବ । ବଳକା ୨୦ ଲକ୍ଷ ମେଟ୍ରିକ୍ ଟନ୍ ମଧ୍ୟରୁ ୫ ଲକ୍ଷ ମେଟ୍ରିକ୍ ଟନ୍ ଭିଟାମିନ ଯୁକ୍ତ ଉଷୁନା ଚାଉଳ ଭାବରେ ଉଠାଇବାକୁ ଲକ୍ଷ୍ୟ ରଖାଯାଇଥିଲା ଯାହା ଏପର୍ଯ୍ୟନ୍ତ ଉଠାଯାଇ ନାହିଁ । ଅବଶିଷ୍ଟ ୧୫ ଲକ୍ଷ ମେଟ୍ରିକ ଟନ୍‍ ଉଷୁନା ଚାଉଳକୁ ବି କେନ୍ଦ୍ର ଉଠାଉନାହିଁ । ଏହା ଏବେ ଓଡିଶାର ଚାଷୀଙ୍କ ଜୀବନ ମୃତ୍ୟୁର କାରଣ ପାଲଟିଛି ।

କୃଷକଙ୍କ କଲ୍ୟାଣକୁ ନେଇ ଓଡ଼ିଶା ବିଜେପି କୁମ୍ଭୀର କାନ୍ଦଣା କାନ୍ଦୁଛି । ଏହାର ମିଥ୍ୟା ଏବଂ ଦୋମୁହାଁ କାର୍ଯ୍ୟ ବର୍ତ୍ତମାନ ଓଡିଶାର ଲୋକ ଏବଂ ବିଶେଷ କରି ଓଡିଶାର କୃଷକଙ୍କ ଆଗରେ ଧରାପଡି ଯାଇଛି । ରାଜ୍ୟର ବିଜେପି ସାଂସଦମାନେ ଚାଷୀଙ୍କ ପାଖକୁ ଯାଇ ନିର୍ବାଚନ ସମୟରେ ଭୋଟ୍ ମାଗିଥାନ୍ତି କିନ୍ତୁ ଯେତେବେଳେ ଚାଷୀଙ୍କ ଉପରେ ଏଭଳି ଘୋର ବିପଦ ଆସେ, ସେତେବେଳେ ସେମାନେ ଦେଖା ଦିଅନ୍ତି ନାହିଁ । ସେମାନେ କୃଷକଙ୍କ କଲ୍ୟାଣ ବିଷୟରେ ନୁହେଁ, କେବଳ ନିଜର ଭୋଟ କଥା ଚିନ୍ତା କରିଥାନ୍ତି । ଓଡିଶାର କୃଷକ ଏବଂ ସେମାନଙ୍କ ହକ୍‍ ପାଇଁ ଛିଡା ହେବା ପରିବର୍ତ୍ତେ ବିଜେପି ଓଡିଶାର ଚାଷୀଙ୍କ ସ୍ୱାର୍ଥ ବିରୁଦ୍ଧରେ କାର୍ଯ୍ୟ କରୁଛି । ଆମେ ଦାବି କରୁଛୁ ଯେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ତୁରନ୍ତ ଓଡିଶାରୁ ବଳକା ଉଷୁନା ଚାଉଳ ଉଠାଣ ଆରମ୍ଭ କରିବା ସହିତ ଏହା ଯେଭଳି ଓଡ଼ିଶାର କୋଟି କୋଟି ଚାଷୀଙ୍କ ଜୀବନ ଓ ଜୀବିକା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ତାହା ନିଶ୍ଚିତ କରିବା ଉଚିତ୍‍ ।

ଓଡିଶା ବିଶେଷକରି କଳାହାଣ୍ଡି, ବଲାଙ୍ଗୀର, ବରଗଡ, ସମ୍ବଲପୁର, ସୋନପୁର, ନୂଆପଡା, ଦେବଗଡ ଏବଂ ନବରଙ୍ଗପୁର ଜିଲ୍ଲାର କୃଷକମାନେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ସମ୍ବେଦନହୀନତା ମନୋଭାବ ଦ୍ୱାରା ଗୁରୁତର ଭାବରେ ପ୍ରଭାବିତ ହେବେ । ଓଡିଶାର ଲୋକ ଏବଂ ବିଶେଷକରି ଓଡିଶାର କୃଷକମାନେ ବିଜେପିର ଏହି ଚାଷୀ ବିରୋଧୀ ତଥା ଓଡ଼ିଶା ବିରୋଧୀ ମନୋଭାବର ଉଚିତ୍‍ ଜବାବ ଦେବେ ବୋଲି ବିଜେଡିର ଦୁଇ ମୁଖପାତ୍ର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

eleven + 5 =