ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ବର, 31/05 (ନିପ୍ର): କେନ୍ଦ୍ର ସରକାର ଯେପରି କ୍ରମାଗତ ଭାବରେ ପେଟ୍ରୋଲ ଓ ଡିଜେଲ୍‍ ମୂଲ୍ୟ ବୃଦ୍ଧି କରିଚାଲିଛନ୍ତି, ତା’ର ପ୍ରତିବାଦରେ ବିଜୁ ଜନତା ଦଳ ତରଫରୁ ବିଭିନ୍ନ ସ୍ତରରେ ଗତ ୩ଦିନ ଧରି ସାରା ରାଜ୍ୟରେ ଜନଆନ୍ଦୋଳନ ଚାଲିଥିଲା । ୨୦୧୪ ମସିହାରୁ ବିଜେପି ନେତୃତ୍ବାଧୀନ ଏନ୍‍ଡିଏ ସରକାର ଆସିବା ପରଠାରୁ ଜନସାଧାରଣଙ୍କ ଉପରେ ବୋଝ ଉପରେ ବୋଝ ଲଦି ଚାଲିଛନ୍ତି । ଡିଜେଲ୍‍ ଓ ପେଟ୍ରୋଲ ଦାମ୍‍ ପ୍ରତିଦିନ ବଢ଼ାଇ ଚାଲିଛନ୍ତି । କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣ କରୁନାହାନ୍ତି । ଏମିତି ଅଭିଯୋଗ କରି ଆଜି ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଇଛନ୍ତି  ।

ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇବାରେ ଲାଗିଛି, ସେତେବେଳେ ତା’ର ଲାଭାଂଶ ଜନସାଧାରଣଙ୍କୁ ଦେବା ପରିବର୍ତ୍ତେ କେନ୍ଦ୍ର ସରକାର ତୈଳ ଦର ବୃଦ୍ଧି କରି ଜନସାଧାରଣଙ୍କ ମେରୁଦଣ୍ଡ ଭାଙ୍ଗିଦେବାରେ ଲାଗିଛନ୍ତି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ଯେତେ କମୁଛି, ସେହି ଅନୁସାରେ ଆମ ଦେଶରେ ତୈଳ ଦର ବଢ଼ିବାରେ ଲାଗିଛି । ଭାରତବାସୀ ତଥା ଓଡ଼ିଶାବାସୀଙ୍କ ସହିବାର ସୀମାକୁ ଏହା ଅତିକ୍ରମ କରିସାରିଲାଣି । ଏହା ହେଉଛି କେନ୍ଦ୍ର ସରକାରଙ୍କ ଜନସାଧାରଣଙ୍କଠୁ ଲୁଟ୍‍ ଏବଂ ପେଟରେ ଲାତ ମାରିବା ଛଡ଼ା ଆଉ କିଛି ନୁହେଁ । ବିଜୁ ଜନତା ଦଳ ଓଡ଼ିଶାରେ ଏହି ଦର ବୃଦ୍ଧି ପ୍ରତିବାଦରେ କ୍ରମାଗତ ଭାବେ ସ୍ବର ଉତ୍ତୋଳନ କରିଚାଲିଛି । କର୍ଣ୍ଣାଟକ ନିର୍ବାଚନ ସରିବା ମାତ୍ରେ କେନ୍ଦ୍ର ସରକାର ତୈଳ ଦର ହୁ ହୁ ହୋଇ ବଢ଼ାଇ ଚାଲିଲେ ଏବଂ ଗତକାଲି କଟା ଘା’ରେ ଚୁନ ଦେଲା ଭଳିଆ ମାତ୍ର ୧ ପଇସା ଦର କମାଇଛନ୍ତି, ଏହାଠାରୁ ହାସ୍ୟାସ୍ପଦ କଥା ଆଉ ଜଗତରେ କିଛି ହୋଇନପାରେ ବୋଲି ବିଜେଡି ଅଭିଯୋଗ କରିଛି।

ଏହାକୁ ନେଇ ବିଜେଡି ଗତ ତିନି ଦିନ ହେଲା ପ୍ରତିବାଦ କରୁଛି। ଭାରତ ଠାରୁ ଅର୍ଥନୈତିକ ଦୃଷ୍ଟିକୋଣରୁ ଦୁର୍ବଳ ଦେଶମାନଙ୍କରେ ପେଟ୍ରୋଲ ଓ ଡିଜେଲ୍‍ ଦର ଭାରତ ଠାରୁ କମ୍‍ରେ ଅଛି ଏବଂ ଭାରତରେ କାହିଁକି ଏହାର ଦର ବଢ଼ି ବଢ଼ି ଚାଲିଛି, ଏହା ଭାରତବାସୀ ଭଲ ଭାବରେ ଜାଣିସାରିଲେଣି । ଏହି ଦରବୃଦ୍ଧିକୁ ପ୍ରତିବାଦ କରି ଆଜି ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଅନୁରୋଧ କରିଛନ୍ତି । ଜନସାଧାରଣ କିପରି ଏହି ଦରବୃଦ୍ଧି କଷ୍ଟ, ଦୁଃଖ ଏବଂ ବେଦନାରୁ ମୁକ୍ତି ପାଇବେ ସେଥିପାଇଁ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳଙ୍କ ମାଧ୍ୟମରେ ଜଣାଇବାକୁ ଅନୁରୋଧ କରିଛି ବିଜେଡି  । ରାଷ୍ଟ୍ରପତି କେନ୍ଦ୍ର ସରକାରଙ୍କୁ ତୈଳ ଦର ହ୍ରାସ କରିବା ପାଇଁ ପ୍ରଭାବିତ କରିବାକୁ ବିଜେଡି ଦାବି କରିଛି। ଯଦି କେନ୍ଦ୍ର ସରକାର ଏହା ନକରନ୍ତି, ତେବେ ବିଜୁ ଜନତା ଦଳ ଏହି ଯେଉଁ ଆନ୍ଦୋଳନ ଆରମ୍ଭ କରିଛି, ତାକୁ ଆଗକୁ ନେବ ବୋଲି ସାଂସଦ ତଥା ଦଳର ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

seventeen + 20 =