ହିତାଧିକାରୀଙ୍କ ସନ୍ତୋଷ ସରକାରର ପ୍ରଥମ ଲକ୍ଷ୍ୟ

ଭୁବନେଶ୍ୱର () ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହୋଇଛି ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ । ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କ ସହିତ ସିଧାସଳଖ କଥା ହେବେ ସରକାର ।

ଆଜି ଲୋକସେବା ଭବନରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଅଧିନରେ ମା ଓ ଶିଶୁମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କଲ୍ୟାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି ।

ଏହିସବୁ କାର୍ଯ୍ୟକ୍ରମର ସୁଫଳ ହିତାଧିକାରୀଙ୍କ ପାଖରେ ଠିକ୍‍ ଭାବରେ ପହଞ୍ଚିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଶିଶୁମାନଙ୍କ ପୁଷ୍ଟି କାର୍ଯ୍ୟକ୍ରମରେ ସଫଳତା ସହିତ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ରାଜ୍ୟ ସରକାରଙ୍କ ସଫଳତାରେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ କର୍ମଚାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କର ନିଷ୍ଠାପର ଉଦ୍ୟମ ଦ୍ୱାରା ମମତା କାର୍ଯ୍ୟକ୍ରମ ସାରା ଦେଶରେ ଏକ ମଡେଲ ହୋଇପାରିଛି ।

ଓଡ଼ିଶାରେ ମିଶନ ଶକ୍ତି କାର୍ଯ୍ୟକ୍ରମ ସୁଦୃଢ଼ ହେବା ସହିତ ମା’ମାନଙ୍କ ସଶକ୍ତିକରଣ କାର୍ଯ୍ୟକ୍ରମ ଉଦାହରଣ ସୃଷ୍ଟି କରିଛି । ଏହିସବୁ ଭଲ କାମକୁ ଆଗକୁ ଜାରି ରଖିବା ସହିତ ଦୁର୍ନୀତିକୁ କୌଣସି ପରିସ୍ଥିତିରେ ପ୍ରଶୟ ନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ହିତାଧିକାରୀଙ୍କ ସନ୍ତୋଷ ହେଉଛି ଯୋଜନାର ସବୁଠାରୁ ବଡ଼ ସଫଳତା । ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦେବା ହେଉଛି ମୋ ସରକାର କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ଲୋକଙ୍କ ମତାମତ ଭିତ୍ତିରେ ହିଁ ସେବା ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଭଲ କାମ ପାଇଁ ପ୍ରଶଂସା ଓ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ ।

ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ତାଙ୍କ ଭାଷଣରେ ମୋ ସରକାର କାର୍ଯ୍ୟକ୍ରମର ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀ କହିଥିଲେ ଯେ ମୋ ସରକାର କାର୍ଯ୍ୟକ୍ରମ ସାରା ଦେଶରେ ଏକ ଅଭିନବ ପ୍ରୟାସ । ତେଣୁ ଏହାର ସଫଳ କାର୍ଯ୍ୟକାରିତା ଉପରେ ବିଶେଷ ଦୃଷ୍ଟି ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ସେ ପରାମର୍ଶ ଦେଇଥିଲେ ।

୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର କ୍ଷେତ୍ର କର୍ମଚାରୀମାନଙ୍କୁ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବରେ ବୁଝାଇବା ସହିତ ଏହାର ବିଭିନ୍ନ ଦିଗ ସମ୍ପର୍କରେ ମଧ୍ୟ ସେମାନଙ୍କ ସହିତ ଆଲୋଚନା କରିଥିଲେ ।

ବିଭିନ୍ନ ଅଙ୍ଗନବାଡ଼ିକୁ ଯୋଗାଇ ଦିଆଯାଉଥିବା ଛତୁଆ କାର୍ଯ୍ୟକ୍ରମରେ କେବଳ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ରହିଛି । ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ ।

ସେହିପରି ଶିଶୁମାନଙ୍କ ଯତ୍ନ ନେଉଥିବା ବିଭିନ୍ନ ଅନୁଷ୍ଠାନମାନଙ୍କରେ ଇନସ୍ପେକ୍ସନ୍‍ ରିପୋର୍ଟ ଓ ଗ୍ରାଣ୍ଟ ଇନ ଏଡ୍‍ ପ୍ରଦାନ ତଥା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଅନ୍ୟ ସର୍ଭିସ ପ୍ରୋଭାଇଡରମାନଙ୍କ ବିଲ୍‍ ମଞ୍ଜୁର ଏବଂ ମିଶନ ଶକ୍ତିର ରିଭଲଭିଂ ଫଣ୍ଡ, ଇନ୍‍ଫ୍ରାଷ୍ଟ୍ରକଚର ଫଣ୍ଡ ଆଦି ପ୍ରଦାନ କ୍ଷେତ୍ରରେ ହିତାଧିକାରୀଙ୍କୁ ହଇରାଣ ହରକତ ନ କରିବା ପାଇଁ ଶ୍ରୀ ପାଣ୍ଡିଆନ ସତର୍କ କରାଇ ଦେଇଥିଲେ ।

ଏହିସବୁ କାର୍ଯ୍ୟକ୍ରମ ବର୍ତ୍ତମାନ ମୋ ସରକାର କାର୍ଯ୍ୟକ୍ରମ ଅଧିନରେ ତଦାରଖ କରାଯିବ ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀଙ୍କ ସମେତ ବିଭାଗୀୟ ଉପଦେଷ୍ଟାମାନେ, ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

2 × two =