ବୈଜୟନ୍ତ ବାବୁ, ମାତୃଭାଷା ଓ ମାତୃଭୂମୀ ପ୍ରତି ସମ୍ମାନ ଅଛି କି?

ଭୁବନେଶ୍ବର () ଓଡିଶାର ସଂସ୍କୃତି, ପରମ୍ପରା ଓ ଇତିହାସକୁ କୁଠାରଘାତ କରିଥିବା ଅଭିଜିତ ଆୟାର ମିତ୍ର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ । ତାଙ୍କୁ ବୈଜୟନ୍ତ ନିଜ ହେଲିକ୍ୟାପ୍ଟରରେ ପୁରୀ, କୋଣାର୍କ ଓ ଚିଲିକା ବୁଲାଇଥିଲେ । ତାଙ୍କ ବନ୍ଧୁ ପୁଣି ଚୋରର ମୁହଁ ଟାଣ ଭଳି ଓଡିଶାର ବିଧାୟକଙ୍କୁ ବୋକା ଓ ବୁଦୁ ବୋଲି କହିଛନ୍ତି । ବୈଜୟନ୍ତ ତାଙ୍କ ବନ୍ଧୁଙ୍କ ଏଭଳି ମନ୍ତବ୍ୟକୁ ଖୋଲାଖୋଲି ନିନ୍ଦା କରିବା ପରିବର୍ତ୍ତେ ତାଙ୍କୁ ପରୋକ୍ଷ ସମର୍ଥନ ଦେଉଛନ୍ତି । ଏଭଳି ସ୍ଥିତିରେ ଜଣେ ସାଧାରଣ ନାଗରିକ ଭାବେ ଆମେ ବୈଜୟନ୍ତ ବାବୁଙ୍କୁ କିଛି ପଚାରିବାକୁ ଚାହୁଁଛୁ ।

ଆମ ସ୍ନେହର ବୈଜୟନ୍ତ ବାବୁ,

ବର୍ଷାଣାଂ ଭାରତଃ ଶ୍ରେଷ୍ଠ
ଦେଶଣାଂ ଉତ୍କଳଃ ଶ୍ରୁତ
ଉତ୍କଳସ୍ୟ ସମୋଦେଶ, ଦେଶ ନାସ୍ତି ମହି ତଳେ ।

ସ୍କନ୍ଦ ପୂରାଣ ଉତ୍କଳ ଖଣ୍ଡରେ ଏହା କୁହାଯାଇଛି । ଏହାର ଅର୍ଥ, ଭୂଖଣ୍ଡରେ ଭାରତ ଶ୍ରେଷ୍ଠ, ଦେଶମାନଙ୍କ ମଧ୍ୟରେ ଉତ୍କଳ ଶ୍ରେଷ୍ଠ ଏବଂ ଏହି ମହିମଣ୍ଡଳରେ ଉତ୍କଳ ଭଳି ଦେଶ ନାହିଁ ।

ଦେଶ ମଧ୍ୟରେ ଶ୍ରେଷ୍ଠ ଏହି ଓଡିଶା ମାଟିର ଜଣେ ସାଧାରଣ ନାଗରିକ ଭାବେ ଆମେ ପିଲା ବେଳୁ ବିଭିନ୍ନ ପାଠ୍ୟ ପୁସ୍ତକରେ ଓଡିଶାର ରୁଦ୍ଧିମନ୍ତ ଐତିହ୍ୟ, ସଂସ୍କୃତି ଓ ଓଡିଆଙ୍କ ବୀରତ୍ବ ସଂପର୍କରେ ପଢିଆସୁଛୁ । ଏପରିକି ରାଜ୍ୟର ଏହି ସାଂସ୍କୃତିକ, ଐତିହାସିକ ଓ ସଭ୍ୟତାର ବୈଶିଷ୍ଟ୍ୟକୁ ଆପଣ ମଧ୍ୟ ଅସ୍ବୀକାର କରିପାରିବେ ନାହିଁ ।

କିନ୍ତୁ ଆପଣଙ୍କର ବନ୍ଧୁ ଅଭିଜିତ ଆୟାର ଓଡିଶାର ଏହି ଖ୍ୟାତି ସଂପନ୍ନ ଐତିହ୍ୟ ଓ ସଂସ୍କୃତି ସଂପର୍କରେ ଯେଉଁଭଳି ଅରୁଚିକର ଏବଂ ଅଶାଳୀନ ମନ୍ତବ୍ୟ ଦେଲେ ତାହା ଆମ ପରି କୋଟି କୋଟି ଓଡିଶାପ୍ରେମୀଙ୍କୁ ବ୍ୟଥିତ କରିଛି । କେବଳ ଓଡିଶାରେ ରହୁଥିବା ଓଡିଆ ନୁହଁନ୍ତି, ଦେଶ ବିଦେଶର ଓଡିଆଙ୍କ ଆତ୍ମାକୁ ଗଭୀର ଆଘାତ ଦେଇଛି । ଆପଣଙ୍କ ଆବଭାବ ଏବଂ ସୋସିଆଲ ମିଡିଆରେ ଆପଣ ଦେଇଥିବା ବିବୃତିରୁ ଲାଗୁଛି ଆପଣ ମଧ୍ୟ ଆପଣଙ୍କ ବନ୍ଧୁଙ୍କ ଭଳି ଓଡିଶା ସଂପର୍କରେ ମତ ରଖୁଛନ୍ତି । କେବଳ ଲୋକ ଦେଖାଣିଆ ଭାବେ ତାଙ୍କ ବକ୍ତବ୍ୟକୁ ଗୋଟିଏ ଦୁଇଟି ଶବ୍ଦରେ ନାଁକୁ ମାତ୍ର ନିନ୍ଦା କରିଛନ୍ତି । ଯଦି ଏହା ସତ୍ୟ ନୁହେଁ, ତେବେ ଆପଣ ତାଙ୍କୁ କାହିଁକି ଆପଣଙ୍କ ହେଲିକ୍ୟାପ୍ଟରରେ ଆମୋଦପୂର୍ଣ୍ଣ ଉଡାଣ ଉଡାଇଲେ ଯେତେବେଳେ କି ଆପଣ ଭଲ ଭାବେ ଜାଣିଥିଲେ ଯେ, ଅଭିଜିତଙ୍କର ଓଡିଆ ଭାଇଭଉଣୀ ଓ ଓଡିଆ ସଂସ୍କୃତି ପ୍ରତି ସମ୍ମାନ ଓ ଭଲପାଇବା ନାହିଁ ।

ମାଗଣାରେ ଅଭିଜିତଙ୍କୁ ଓଡିଶା ବୁଲାଇଲେ, ଚିଲିକା ଭଳି ରାମସାର ସାଇଟରେ ଖୁବ ନିକଟରୁ ଉଡାଣ କଲେ, କିନ୍ତୁ ସେ ଆପଣଙ୍କ ମାଟି, ଆପଣଙ୍କ ଓଡିଆ ଭାଇଭଉଣୀ, ସମ୍ପର୍କୀୟ ଓ ପୂର୍ବପୂରୁଷଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଲେ । ଏହାସତ୍ତ୍ବେ ଆପଣ ତାଙ୍କୁ ଗାଳି ଦେବା ପରିବର୍ତ୍ତେ, ତାଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି । ସେ କୋଣାର୍କରେ ମଜା କରି ଏଭଳି ଭିଡିଓ କରିଥିବା କହି ଆପଣ ଅଭିଜିତଙ୍କ ଔଦ୍ଧତ୍ୟକୁ ଘଣ୍ଟଘୋଡାଉ ନାହାଁନ୍ତି କି ? ଯେଉଁ ଅଭିଜିତଙ୍କୁ ଆପଣ ସୁରକ୍ଷା ଦେଉଛନ୍ତି, ସେହି ଓଡିଶା ବିରୋଧୀ ବ୍ୟକ୍ତି ଓଡିଶାର ଗଣମାଧ୍ୟମ, ଯେଉଁଥିରେ ଆପଣ ମଧ୍ୟ ଏକ ଭାଗିଦାର, ତାଙ୍କୁ କ୍ରୟ କରାଯାଉଥିବା ବେଶ୍ୟା ବୋଲି କହିଛନ୍ତି । ଆପଣ କଣ ଜଣେ କ୍ରୟ କରାଯାଇପାରୁଥିବା ବେଶ୍ୟା କି ?

ବୈଜୟନ୍ତ ବାବୁ, ଓଡିଶାର ଇତିହାସ ଓ ପରମ୍ପରା ସଂପର୍କରେ ଯଦି ଆପଣଙ୍କ ବନ୍ଧୁଙ୍କ ଜ୍ଞାନ ନାହିଁ, ତେବେ ତାଙ୍କୁ ଆପଣ ସଚେତନ କରିବାର ଦାୟିତ୍ବ ଆପଣଙ୍କର । 2017ରୁ ସେ ଓଡିଶା ବିରୋଧୀ ମନ୍ତବ୍ୟ ଦେଉଛନ୍ତି, ଆଉ ଆପଣ ତାଙ୍କୁ ନିଜ ସାଙ୍ଗରେ ହେଲିକ୍ୟାପ୍ଟରରେ ବୁଲାଉଛନ୍ତି । ଏଥିରୁ ଜଣେ ସାଧାରଣ ଓଡିଆ ଭାବେ, ଯାହାଙ୍କର ଆପଣଙ୍କର କିମ୍ବା ଆପଣଙ୍କ ସେହି ଅସଭ୍ୟ ବନ୍ଧୁଙ୍କ ପରି ଇଂରାଜୀ ଜ୍ଞାନ ନାହିଁ, କଣ ବୁଝୁବୁ । ଆପଣଙ୍କ ବନ୍ଧୁ ଏକ ଆଞ୍ଚଳିକ ଗଣମାଧ୍ୟକୁ କହିଛନ୍ତି ଯେ, ସେ ପୁଣି ଥରେ ଓଡିଶା ଆସିବେ ଯଦି ତାଙ୍କୁ ପଇସା ମିଳିବ । ତେବେ ଏଠି ପ୍ରଶ୍ନ ଉଠୁଛି, ତାଙ୍କୁ ଓଡିଶା ଆଣି ଏଭଳି ମତ ମନ୍ତବ୍ୟ ଦେବାକୁ କିଏ ପଇସା ଦେଇଥିଲା । ଆପଣ ନୁହଁନ୍ତି ତ ?

ଲାଗୁଛି ଆପଣ ଓଡିଆ ଜାତି ଓ ଓଡିଶାବାସୀଙ୍କୁ ନିନ୍ଦିତ କରିବାକୁ ଏଭଳି ଏକ ଦୋମୁହାଁ ନୀତି ଆପଣେଇଛନ୍ତି । ଯେଉଁଥିରେ ଆପଣ ଗୋଟେ ପଟେ ରାଜ୍ୟର ଅଣଓଡିଆ ଅଫିସରଙ୍କୁ ଗାଳି କରୁଛନ୍ତି, ଅନ୍ୟପଟେ ଆପଣ ନିଜେ ଆପଣଙ୍କର ଅଣଓଡିଆ ବନ୍ଧୁଙ୍କୁ ସୁରକ୍ଷା ଦେଉଛନ୍ତି । ଆପଣ କେଉଁ ଅଣଓଡିଆ ଅଫିସରଙ୍କୁ ଦାୟୀ କରୁଛନ୍ତି? ଯେଉଁ ଅଣଓଡିଆ ଅଫିସରଙ୍କୁ ଆପଣ ବାରମ୍ବାର ବଦନାମ କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ଅନ୍ୟ ରାଜ୍ୟର ନାଗରିକ ହୋଇ ମଧ୍ୟ ଓଡିଶାରେ ନିଯୁକ୍ତି ପାଇଥିବାରୁ, ଓଡିଶା ପାଇଁ ଦିନରାତି କାମ କରୁଛନ୍ତି ।

ଆପଣ ବୋଧହୁଏ ଭୁଲିଯାଉଛନ୍ତି ଯେ, ଓଡିଆ ଆଇପିଏସ ଅଫିସର ଅରୁପ ପଟ୍ଟନାୟକଙ୍କୁ । ସେ ମଧ୍ୟ ମୁମ୍ବାଇ ପୋଲିସ କମିଶନର ଭାବେ ମୁମ୍ବାଇ ଅଣ୍ଡରୱାର୍ଲ୍ଡର ନିଦ ହଜେଇ ଦେଇଥିଲେ । ଜଷ୍ଟିସ ଦୀପକ ମିଶ୍ର ଭାରତର ନ୍ୟାୟିକ ବ୍ୟବସ୍ଥାର ସର୍ବୋଚ୍ଚ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି । ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଭଳି ଓଡିଆ ଆସାମର ରାଜ୍ୟପାଳ ହୋଇଛନ୍ତି । କେନ୍ଦ୍ର ସରକାରରେ ଏମିତି ବହୁ ଆଇଏଏସ ଅଫିସର ଅଛନ୍ତି ଯେଉଁମାନେ ବିଭିନ୍ନ ଉଚ୍ଚ ପଦପଦବୀରେ କାର୍ଯ୍ୟ କରୁଛନ୍ତି । ଯଦି ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଥିବା ଓଡିଆଙ୍କ ପ୍ରତି ବାହାର ରାଜ୍ୟରେ ଆପଣଙ୍କ ଭଳି ମାନସିକତା ସୃଷ୍ଟି ହୁଏ ତେବେ କଣ ଓଡିଆମାନେ ରାଜ୍ୟ ବାହାରେ କାମ କରିପାରିବେ? ନା ଏଭଳି ପରିସ୍ଥିତି ସୃଷ୍ଟି ହେବା ଗଣତନ୍ତ୍ର ପ୍ରତି ଶୁଭଙ୍କର?

ଗଣମାଧ୍ୟମରେ ବଡବଡ ଭାଷଣବାଜୀ କରୁଥିବା ବୈଜୟନ୍ତ ବାବୁ ଆପଣ କଣ ନିଜେ ଓଡିଆଙ୍କ ପ୍ରତି ବିଶ୍ବାସଘାତକତା କରିନାହାଁନ୍ତି? କେନ୍ଦ୍ରାପଡାବାସୀ ଆପଣଙ୍କୁ ଲୋକସଭାକୁ ସାଂସଦ ଭାବେ ନିର୍ବାଚିତ କରିଥିଲେ । ଆପଣ ରାଜନୈତିକ ଓ ବ୍ୟକ୍ତିଗତ ମତାନ୍ତର ଓ ମନାନ୍ତର ଯୋଗୁଁ ବିଜେଡିରୁ ନିଲମ୍ବିତ ହେବା ପରେ ସାଂସଦ ପଦ ଛାଡି ଆପଣ କେନ୍ଦ୍ରାପଡାବାସୀଙ୍କ ପ୍ରତି ବିଶ୍ବାଘାତକତା କରିବାର କି ଅଧିକାର ରହିଛି । କେଉଁ ରାଷ୍ଟ୍ର ପ୍ରେମ ଓ କିଭଳି ଉଚ୍ଚ ରାଜନୈତିକ ବ୍ୟକ୍ତିତ୍ବର ଉଦାହାରଣ ସୃଷ୍ଟି କରି ଆପଣ ଗୋଟିଏ ନିର୍ବାଚନମଣ୍ଡଳୀକୁ ଏକ ବର୍ଷ ଧରି ପ୍ରତିନିଧୀବିହିନ କରିଦେଲେ?

ଏବେ ପୁଣି ଆପଣଙ୍କ ସେହି ଅତି ଘନିଷ୍ଟ ବନ୍ଧୁ ଅଭିଜିତଙ୍କ ଯେଉଁ ଫଟୋ ଚିତ୍ର ସୋସିଆଲ ମିଡିଆରେ ବୁଲୁଛି, ସେଥିରୁ ସ୍ପଷ୍ଟ ଦୃଶ୍ୟମାନ ହେଉଛି ଯେ, ସେ ଜଣେ ଅତି ଶସ୍ତା ଓ ରୁଗଣ ମାନସିକତା ଓ ଚରିତ୍ରର ବ୍ୟକ୍ତିତ୍ବ । ଆପଣ ଓ ଆପଣଙ୍କ ସେହି ବନ୍ଧୁଙ୍କୁ ଭଗବାନ କ୍ଷମା କରିଦେଇପାରନ୍ତି, କିନ୍ତୁ ଓଡିଶାବାସୀ କେବେ ବି କ୍ଷମା ଦେବେନି ।

Share

Leave a Reply

Your email address will not be published. Required fields are marked *

three × four =