ସର୍ବଦଳୀୟ ବୈଠକ ସଫଳ, କାଲି ବିବୃତ୍ତି ରଖିବେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର () ଗତ ୬ ଦିନ ଧରି ବିଧାନସଭାରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର ହୋଇଛି । ସର୍ବଦଳୀୟ ବୈଠକରୁ ବାହାରିଛି ସମାଧାନର ସୂତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଆଜି ଅପରାହ୍ନରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ ।

ଏଥିସହ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶରେ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ୩୦ରେ ଗୃହରେ ବିବୃତି ରଖିବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମଣ୍ଡିରେ ଧାନ କିଣା ସ୍ଥିତି ନେଇ ମନ୍ତ୍ରୀ ଗୃହକୁ ଅବଗତ କରାଇବେ । ସେହିଭଳି ଦେବଗଡ଼ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ସ୍ୱାଧିକାର କମିଟିକୁ ପଠାଯାଇଛି ।

ମଣ୍ଡିରେ ଧାନ କିଣା ଅବ୍ୟବସ୍ଥା ଓ ଗୃହରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଧମକ ଏବଂ ସାନିଟାଇଜର୍ ପିଇବା ଉଦ୍ୟମକୁ ନେଇ ବିଧାନସବା ଚାଲି ପାରୁନଥିଲା । ନିଜ ନିଜ ଦାବିରେ ଅଟଳ ରହିଥିଲେ ଶାସକ ଓ ବିରୋଧୀ । ଏନେଇ ବିଜେଡି ବିଧାୟକ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ ।

ପରେ ପରେ ବିଜେପି ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଯାଇ ରାଜନୀତିକ ଚାଲ୍ ଖେଳିଥିଲେ । ନବୀନ ନିବାସ ଆଗରେ ଧାରଣାରେ ବସି ପଡ଼ିଥିଲେ ବିଜେପି ସଦସ୍ୟ । ବିଜେଡି ନେତା, ମନ୍ତ୍ରୀଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ବିରୋଧୀ ସଦସ୍ୟ ଉଠିନଥିଲେ । ଖୋଦ୍ ମୁଖ୍ୟମନ୍ତ୍ରୀ ଖରାରେ ବାହାରକୁ ଆସି ବିଜେପି ବିଧାୟକଙ୍କୁ ଭିତରକୁ ଡାକି ନେଇ ଆଲୋଚନା କରିଥିଲେ । ଆଲୋଚନା ଫଳପ୍ରଦ ହୋଇଥିବା ବିରୋଦୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ସୂଚନା ଦେଇଥିଲେ । ସର୍ବଦଳୀୟ ବୈଠକରେ ତା’ର ପ୍ରତିଫଳନ ଦେଖିବାକୁ ମିଳିଛି ।

Share

Leave a Reply

Your email address will not be published. Required fields are marked *

15 − ten =