ଜାନୁଆରୀ ସୁଦ୍ଧା ଟିକା ମିଳିବ: ଆଦର ପୁନୱାଲା

ନୂଆଦିଲ୍ଲୀ()  ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ବ୍ୟବହାର ଉପଯୋଗୀ ଟିକା ମିଳିଯିବ ବୋଲି ଭାରତରେ ଥିବା ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ କମ୍ପାନି ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ମୁଖ୍ୟ ଆଦର ପୁନୱାଲା କହିଛନ୍ତି । ସେରମ୍‌ ଇନଷ୍ଟିଚ୍ୟୁଟ୍‌ରେ ବ୍ରିଟେନସ୍ଥିତ ଅକ୍ସଫୋର୍ଡ ଟିକାର ଏକ ବୃହତ ଭାଗ ଉତ୍ପାଦନ ହେବ ।

ଏଣୁ ଆଶାନୁଯାୟୀ ସମୟରେ ବ୍ରିଟେନରୁ ଯଦି ଟିକାକୁ ଅନୁମତି ମିଳିଯିବ ତେବେ ଜାନୁଆରୀ ସୁଦ୍ଧା ଟିକା ମିଳିପାରିବ ବୋଲି ସେ ପ୍ରକାଶ କରିଛନ୍ତି । ଭାରତରେ ଅକ୍ସଫୋର୍ଡ ଟିକାର ପରୀକ୍ଷଣ ଜାରି ରହିଛି । ଏଣୁ ଭାରତରେ ଏହି ଟିକାର ପରୀକ୍ଷଣର ସଫଳତା ଉପରେ ମଧ୍ୟ ଦେଶରେ ଟିକା ମିଳିବା ନ ମିଳିବା ନିର୍ଭର କରେ ବୋଲି ସେ କହିଛନ୍ତି । ଟିକା ଶରୀରରେ କରୋନା ବିରୋଧରେ ଆଣ୍ଟିବଡି ସୃଷ୍ଟି କରିପାରୁଛି କି ନାହିଁ ଏବଂ ଏହା ସୁରକ୍ଷିତ କି ନାହିଁ, ତାହା ଉପରେ ବିଶେଷ ଧ୍ୟାନ ରଖାଯିବ । ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ ପ୍ରସ୍ତୁତ ହେବାକୁ ଥିବା ଟିକା ମୁଖ୍ୟତଃ ଗରିବ ଏବଂ ମଧ୍ୟବିତ୍ତ ଦେଶମାନଙ୍କୁ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ କରୋନା ମହାମାରୀର ପ୍ରତିକାର ପାଇଁ ବିଶ୍ୱରେ ୧୫୦ରୁ ଅଧିକ ଟିକା ବିଭିନ୍ନ ରାଷ୍ଟ୍ର ବୈଜ୍ଞାନିକମାନେ ବିକଶିତ କରିଛନ୍ତି । ତନ୍ମଧ୍ୟରୁ ହାତଗଣତି କେତୋଟି ଟିକାର ମାନବ ପରୀକ୍ଷଣ ଜାରି ରହିଛି । ବ୍ରିଟେନ୍‌ର ଅକ୍ସଫୋର୍ଡ ଟିକା, ଆମେରିକାର ମଡ଼େର୍ଣ୍ଣା ଟିକା ଏବଂ ରୁଷର ସ୍ପୁଟନିକ୍‌-୫ ଟିକା ଉପରେ ବିଶ୍ୱବାସୀଙ୍କ ଆଶା ରହିଛି ।

Share

Leave a Reply

Your email address will not be published. Required fields are marked *

one × 1 =