ମହିଳା ଓ ଶିଶୁ ମଙ୍ଗଳରେ ଓଡିଶା ଆଗରେ

ଭୁବନେଶ୍ୱର () ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଧିରେ ଧିରେ ଆଖିଦୃଶିଆ ରୂପାନ୍ତରଣ ହେଉଛି । ଏଦିଗରେ ରାଜ୍ୟ ସରକାରଙ୍କ ବିଭିନ୍ନ ସକରାତ୍ମକ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଛି । ଦେଶର ଅନ୍ୟ ରାଜ୍ୟମାନେ ମହିଳାଙ୍କୁ ପ୍ରସବକାଳିନ ସୁବିଧା ଯୋଗଇଦେବାକୁ ସଂଘର୍ଷ କରୁଥିବା ବେଳେ ଓଡିଶା ସରକାର ଉଭୟ ଗ୍ରାମାଞ୍ଚଲ ଓ ସହରାଞ୍ଚଳରେ ମହିଳାଙ୍କୁ ଏହି ସୁବିଧା ପ୍ରଦାନ କରିବାରେ ଦେଶରେ ଏକ ଅଗ୍ରଣୀ ରାଜ୍ୟ ହୋଇଛି ।

ଜଚ୍ଚା ବଚ୍ଚା ସର୍ଭେ ୨୦୧୯ରେ ଏଭଳି ତଥ୍ୟ ଆସିଛି । ଓଡିଶା, ହିମାଚଳପ୍ରଦେଶ, ଛତିଶଗଡ, ଝାରଖଣ୍ଡ, ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶରେ ଏହି ସର୍ଭେ ହୋଇଥିବା ବେଳେ ଗର୍ଭବତୀ ମହିଳାଙ୍କୁ ଏହି ସେବା ପ୍ରଦାନରେ ଅନେକ ଉଲ୍ଲେଖନୀୟ ତଥ୍ୟ ପ୍ରକାଶ ପାଇଛି । ଏହି ସର୍ଭେ ଅନୁଯାୟୀ ଏକଦା ବିମାରୁ ରାଜ୍ୟ ଭାବେ ପରିଗଣିତ ହେଉଥିବା ଓଡିଶା ଏବେ ଖାଦ୍ୟ ସୁରକ୍ଷା, ଶିଶୁଙ୍କୁ ପୃଷ୍ଟିକର ଖାଦ୍ୟ ପ୍ରଦାନ ଓ ଜନସ୍ୱାସ୍ଥ୍ୟରେ ଦ୍ରୁତ ଅଗ୍ରଗତି କରିଛି ।

ଉଦାହାରଣ ସ୍ୱରୂପ ରାଜ୍ୟରେ ଗର୍ଭବତୀ ମହିଳାଙ୍କ ପାଇଁ ନିଜସ୍ୱ ଯୋଜନା ମମତା ରହିଛି । ଏହି ଯୋଜନା ଗୋଟିଏ ନୁହେଁ, ଦୁଇଟି ସନ୍ତାନ ଜନ୍ମ ପାଇଁ ସରକାରୀ ସୁବିଧା ପ୍ରଦାନ କରୁଛି । ଆଉ ସହରାଞ୍ଚଳ ହେଉ କି ଗ୍ରାମାଞ୍ଚଳ ଏହା ବେଶ ଲୋକାଦୃତ ହୋଇଛି । ଏହି ସର୍ଭେରେ ମତାମତ ନିଆଯାଇଥିବା ମହିଳାଙ୍କ ମଧ୍ୟରୁ ୮୮ ପ୍ରତିଶତ ଯୋଗ୍ୟ ମହିଳା ଆବେଦନ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତ ମହିଳା ଗୋଟିଏ ଲେଖାଏଁ କିସ୍ତି ସହୟତା ପାଇଛନ୍ତି ।

ଏହି ସର୍ଭେରେ ହିତାଧିକାରୀଙ୍କୁ ଅଣ୍ଡା ପ୍ରଦାନ କରାଯାଉଥିବାରୁ ଏହି ପଦକ୍ଷେପକୁ ପ୍ରଶଂସା କରିଛି । ସର୍ଭେ ରିପୋର୍ଟ ଅନୁଯାୟୀ ଓଡିଶାର ଅଙ୍ଗନଓାଡିରେ ଅଣ୍ଡା ବର୍ଷା ହେଉଛି । କେବଳ ୩ରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ମଧ୍ୟାହ୍ନ ଭୋଜନରେ ସପ୍ତାହକୁ ୫ ଦିନ ଅଣ୍ଡା ମିଳୁନି, ଉଚ୍ଚଶ୍ରେଣୀର ଛାତ୍ରଛାତ୍ରୀ ଏବଂ ଗର୍ଭବତୀ ମହିଳାଙ୍କୁ ଘରକୁ ଅଣ୍ଡା ଦିଆଯାଉଛି । ଏହି ସର୍ଭେ ରିପୋର୍ଟକୁ ତର୍ଜମା କଲେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ରାଜ୍ୟରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମ ରାଜ୍ୟରେ ବେଶ ସଫଳ ହୋଇଥିବା ବେଳେ ସ୍ୱାସ୍ଥ୍ୟ ପରୀକ୍ଷା, ଟିଟାନସ ଇଜେକ୍ସନ, ଆଇରନ ଓ ଫୋରିକ ଏସିଡ ଟାବଲେଟ ବଣ୍ଟନ ଭଳି ସର୍ବନିମ୍ନ ସ୍ୱାସ୍ଥ୍ୟସେବା ସାର୍ବଜନୀନ ହେବା ସ୍ଥିତିକୁ ଆସିଯାଇଛି ।

ରାଜ୍ୟର ପ୍ରାୟ ଅଧିକାଂଶ ପରିବାର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବିକାଶ ଯୋଜନା, ଆୟୁସ୍ମାନ ଭାରତ ବା ରାଜ୍ୟର ନିଜସ୍ୱ ନିଶ୍ଚିତ ସ୍ୱାସ୍ଥ୍ୟ ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁଫଳ ପାଉଛନ୍ତି । ଅଙ୍ଗନଓାଡି କେନ୍ଦ୍ରର ଫଳକ, ଶିଶୁଙ୍କ ପାଇଁ ପ୍ରାତଃଭୋଜନ, ପ୍ରି-ସ୍କୁଲ ଶିକ୍ଷା ଏବଂ ଅଙ୍ଗନଓାଡି ଓ ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ବୁଝାମଣାକୁ ଏହି ସର୍ଭେରେ ପ୍ରଶଂସା କରାଯାଇଛି ।

ସବୁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମୀ ବିକାଶ ସାଙ୍ଗକୁ ସବୁ କୋଣ ଅନୁକୋଣକୁ ଆମ୍ବୁଲାନ୍ସ ସେବା ଦ୍ୱାରା ରାଜ୍ୟ ସରକାର ସଫଳତାର ସହ ମାତୃ ମୃତ୍ୟୁ ହାରକୁ କମାଇ ପାରିଛନ୍ତି । ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଯୋଗଇ ଦେବାକୁ ଗ୍ରହଣ କରାଯାଉଥିବା ପଦକ୍ଷେପ ଦ୍ୱାରା ଏକ ସକରାତ୍ମକ ଫଳ ଫଳୁଛି । ରାଜ୍ୟ ସରକାର ମଧ୍ୟ ଏଥିପାଇଁ ଅଙ୍ଗନଓାଡି କେନ୍ଦ୍ରକୁ ଅଧିକ ପାଣ୍ଠି ଯୋଗଇବା ସହ ସେଗୁଡିକୁ ଷ୍ଟେଟ ଅଫ ଦି ଆର୍ଟ ଚାଇଡ କେୟାର ସେଣ୍ଟର ଭାବେ ରୂପାନ୍ତରିତ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

3 × 5 =