କ୍ରୀଡା

ଟାଟା ଷ୍ଟିଲ୍ ନୂଆମୁଣ୍ଡି ରନ୍-ଏ-ଥନରେ ଦୌଡିଲେ ୪,୫୦୦ରୁ ଅଧିକ ପ୍ରତିଯୋଗୀ

~ ୧୦ କିମି, ୭ କିମି ଏବଂ ୫ କିମି ବର୍ଗରେ ଆୟୋଜିତ ହେଲା ଦୌଡ଼ ପ୍ରତିଯୋଗିତା
~ ବିଭିନ୍ନ ବର୍ଗର ବିଜେତାଙ୍କୁ ୫.୬୭ ଲକ୍ଷ ଟଙ୍କାର ପୁରସ୍କାର ରାଶି
~ ଦେଶର ବିଭିନ୍ନ ପ୍ରାନ୍ତରୁ ସାମିଲ ହେଲେ ପ୍ରତିଯୋଗୀ

ନୂଆମୁଣ୍ଡି, ୨୨/୧୧ – ଟାଟା ଷ୍ଟିଲର ଓର୍ ମାଇନ୍ସ ଆଣ୍ଡ କ୍ୱାରିଜ୍ (ଓଏମକ୍ୟୁ) ଡିଭିଜନର ପ୍ରମୁଖ କାର୍ଯ୍ୟକ୍ରମ ‘ନୂଆମୁଣ୍ଡି ରନ୍-ଏ-ଥନ୍’ର ଷଷ୍ଠ ସଂସ୍କରଣ ରବିବାର ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ସ୍ଥିତ ନୂଆମୁଣ୍ଡି ସ୍ପୋର୍ଟସ୍ କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହୋଇଯାଇଛି । ‘ଏକ ସବୁଜ ଆସନ୍ତାକାଲି ପାଇଁ ଦୌଡ଼’ ବିଷୟବସ୍ତୁ ଉପରେ ଆଧାରିତ ଏହି ମେଗା ଇଭେଣ୍ଟରେ ଦେଶର ବିଭିନ୍ନ ପ୍ରାନ୍ତରୁ ୪,୫୦୦ ରୁ ଅଧିକ ଧାବକ ଅଂଶଗ୍ରହଣ କରିଥିଲେ ।

ପଶ୍ଚିମ ସିଂହଭୂମ ଜିଲ୍ଲାପାଳ ମନୀଷ କୁମାର (ଆଇଏଏସ୍), ପଶ୍ଚିମ ସିଂହଭୂମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲକ୍ଷ୍ମୀ ସୁରେନ୍, ଟାଟା ଷ୍ଟିଲର ଓଏମକ୍ୟୁ (ଓଏମକ୍ୟୁ) ଜେନେରାଲ ମ୍ୟାନେଜର ଦେବାଶିଷ ଜେନା ଏବଂ କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ ଉପାଧ୍ୟକ୍ଷ (କଞ୍ଚାମାଲ) ସନ୍ଦୀପ କୁମାର ପତାକା ଦେଖାଇ ଏହି ଦୌଡ଼ର ଶୁଭାରମ୍ଭ କରିଥିଲେ । ୧୫ ବର୍ଷରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳାଙ୍କ ପାଇଁ ୭ କିମି ଏବଂ ୧୦ କିମି, ୧୬ ବର୍ଷରୁ କମ୍ ବାଳକ ଓ ବାଳିକାଙ୍କ ପାଇଁ ୫ କିମି ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ୨ କିମି ବର୍ଗରେ ଏହି ଦୌଡ଼ ଆୟୋଜିତ ହୋଇଥିଲା । ବିଭିନ୍ନ ବର୍ଗର ବିଜେତାମାନଙ୍କୁ ମୋଟ ୫,୬୭,୦୦୦/- ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି ।

୧୦ କିମି ପୁରୁଷ ବର୍ଗରେ ପଶ୍ଚିମବଙ୍ଗର ଅନୁପମ ମହାନ୍ତ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମହିଳା ବର୍ଗରେ ଉତ୍ତର ପ୍ରଦେଶର ଫୁଲନ୍ ପାଲ୍ ପ୍ରଥମ ହୋଇଛନ୍ତି । ସେହିପରି ୭ କିମି ପୁରୁଷ ବର୍ଗରେ ଉତ୍ତର ପ୍ରଦେଶର ରାହୁଲ କୁମାର ଏବଂ ମହିଳା ବର୍ଗରେ ପଶ୍ଚିମବଙ୍ଗର ମନାଲି ସିଂହ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ୫ କିମି ବାଳକ ଓ ବାଳିକା ବର୍ଗରେ ଝାଡ଼ଖଣ୍ଡର ଉଦୟ ମେଲଗାଣ୍ଡି ଏବଂ ନିଶା କୁମାରୀ ଯଥାକ୍ରମେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସମସ୍ତ ବିଜେତାଙ୍କୁ ଟ୍ରଫି ସହ ନଗଦ ଅର୍ଥରାଶି ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

20 + 4 =