ମହାସମାରୋହରେ ଆରମ୍ଭ ହେଲା ଗାନ୍ଧୀ ଜୟନ୍ତୀ

ଭୁବନେଶ୍ବର () ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଉତ୍ସବ ଆଜି ରାଜ୍ୟରେ ମହାସମାରୋହର ସହ ଆରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲିଅନ୍ତାସ୍ଥିତ ଗାନ୍ଧୀ ସ୍ମୃତି ପୀଠ ଗସ୍ତ କରି ସେଠାରେ ଗାନ୍ଧୀ ଜ୍ୟୋତି ଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥିସହିତ ସେଠାରେ ଗାନ୍ଧୀଜି ଓ ଓଡିଶା ସଂପର୍କିତ ଏକ ପଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗାନ୍ଧୀଜୀଙ୍କ ଆଦର୍ଶ ଓ ବିଚାରଧାରାର ପ୍ରଚାର ପ୍ରସାର ପାଇଁ ଆସନ୍ତା ଦୁଇ ବର୍ଷ ଧରି ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।

ଗାନ୍ଧୀଜୀ ତାଙ୍କ ଓଡିଶା ଗସ୍ତ ସମୟରେ ବାଲିଅନ୍ତାରେ 3 ଦିନ ରହିଥିଲେ । ମହାତ୍ମାଙ୍କ ସ୍ମୃତିରେ ମୁଖ୍ୟମନ୍ତ୍ରୀ କୁଶଭଦ୍ରା ନଦୀରେ ବାଲିଅନ୍ତା-ବାଳକାଟି ରାସ୍ତାରେ ଏକ ନୂତନ ସେତୁର ଉଦଘାଟନ କରିଛନ୍ତି । ମହାତ୍ମା ଗାନ୍ଧୀ ସେତୁ ନାମରେ ନାମିତ ଏହି ସେତୁ ନିର୍ମାଣ ପାଇଁ 27 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି  । ଏଠାରେ ନିର୍ମିତ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତିକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନାବରଣ କରିଥିଲେ ।

ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ବିଧାନସଭା ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ବାପୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ, ବାଚସ୍ପତି ପ୍ରଦୀପ କୁମାର ଅମାତ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରତାପ ଜେନା, ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଓ ଅନ୍ୟମାନେ ଯୋଗ ଦେଇଥିଲେ । ରିଜିଓନାଲ କଲେଜ ଛକରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏକ ମେକାନିକାଲ ସ୍ବିପିଂ ପ୍ରକଳ୍ପ ଓ 50ଟି ସ୍ମାର୍ଟ ଇ-ଟଏଲେଟ ପ୍ରକଳ୍ପକୁ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ।

Share

Leave a Reply

Your email address will not be published. Required fields are marked *

three × five =