ସବୁ ଦଳ ସହ ଭଲ ସମ୍ପର୍କ, ହେଲେ ସମସ୍ତଙ୍କ ଠାରୁ ଅଲଗା ନବୀନ …

ଭୁବନେଶ୍ବର () ସରଳ ବ୍ୟକ୍ତିତ୍ୱ କିନ୍ତୁ ବିଚକ୍ଷଣ ଦୂରଦୃଷ୍ଟି । ଓଡିଶା ରାଜନୀତିର ଧୁରୀଣ ନବୀନ ପଟ୍ଟନାୟକ ରାଜ୍ୟରେ ନିଜର ପତିଆରା ସାବ୍ୟସ୍ତ କରିବା ସହ ଜାତୀୟ ରାଜନୀତିରେ ବି ନିଜର କରିସ୍ମା ଦେଖାଇଛନ୍ତି । କେବଳ ନିର୍ବାଚନ ରାଜନୀତି ନୁହେଁ, ରାଜ୍ୟର ସ୍ୱାର୍ଥ ସିଦ୍ଧି ହିଁ ଏକମାତ୍ର ନୀତି । ରାଜନୀତିରେ ପାଦ ଦେବା ଦିନରୁ ହିଁ ଫ୍ରଣ୍ଟଫୁଟର ଏହି ଖେଳାଳି ପୁଣି ଥରେ ପ୍ରମାଣିତ କରିଛନ୍ତି ଯେ, ଦିଲ୍ଲୀ ରାଜନୀତିରେ ଓଡିଆ ଅଛୁଆଁ ନୁହେଁ । ଆବଶ୍ୟକ ପଡିଲେ ଆଞ୍ଚଳିକ ରାଜନୀତିରୁ ଜାତୀୟ ରାଜନୀତିକୁ ଦିଆଯାଇପାରିବ ନୁଆ ଦର୍ଶନ । ଏଥିପାଇଁ ନବୀନ ତାଙ୍କ ସମସାମୟିକ ନେତାଙ୍କ ମଧ୍ୟରେ ଏକମାତ୍ର ନେତା ଯିଏ କି କେନ୍ଦ୍ର ଓ ଆଞ୍ଚଳିକ ସ୍ତର ନେତାଙ୍କ ସହ ସୁସମ୍ପର୍କ ରଖିଛନ୍ତି ।

ସମ୍ବିଧାନର ମୁଖବନ୍ଧରେ ଅହିଂସାକୁ ସ୍ଥାନିତ କରିବା ହେଉ କି ହକିକୁ ଜାତୀୟ ଖେଳର ମାନ୍ୟତା ଦାବି । ଧାରା ୩୭୦ର ଉଚେ୍ଛଦ ହେଉ କି ସିଏଏକୁ ସମର୍ଥନ କିମ୍ବା ଏନଆରସିକୁ ବିରୋଧ । କେନ୍ଦ୍ରକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଏବଂ ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମାନ ଦୂରତା ନୀତି ଆପଣେଇ ନବୀନ ପଟ୍ଟନାୟକ ଜାତୀୟ ରାଜନୀତିରେ ସବୁ ବେଳେ ଚର୍ଚ୍ଚାର ଶୀର୍ଷରେ । କେତେବେଳେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ତ ପୁଣି କେତେବେଳେ ଶ୍ରେଷ୍ଠ ପ୍ରଶାସକର ଉପାଧି । ଏସବୁ ଭିତରେ ନବୀନ ଏବେ ବି ସରଳ, ସ୍ୱଳ୍ପଭାଷୀ ଓ ଜୀବନ ଶୈଳୀ ତାଙ୍କର ନିରାଡମ୍ବର, ଅହଂକାର ତାଙ୍କୁ ଛୁଇଁ ପାରିନି । ବିରୋଧୀ ବ୍ୟୁହ ଚିନ୍ତା କରିବା ଆଗରୁ ନବୀନ କରିଥାନ୍ତି ସମରସଜ୍ଜା । ବିରୋଧୀଙ୍କ ସବୁ ଚାଲ ଓ ଅସ୍ତ୍ର ଯେତେବେଳେ ଫେଲ ମାରେ ସେତେବେଳେ ନବୀନ ଆରମ୍ଭ କରନ୍ତି ନିଜର ସୈନ୍ୟ ଚାଳନା । କେହି କିଛି ବିଝିବା ଆଗରୁ ଗଡ ଦଖଲ ହୋଇସାରିଥାଏ । ନବୀନଙ୍କ ଏହି ବିଚକ୍ଷଣ ଦୂରଦୃଷ୍ଟି ପାଇଁ ହିଁ ଦିଲ୍ଲୀରେ ଯିଏ ବି ସରକାର ଗଠନ କରୁ, ଓଡିଶାକୁ ଅଣଦେଖା କରିପାରନ୍ତି ନାହିଁ ।

ବିଜେପି ସହ ମେଣ୍ଟ ଗଠନରୁ ଜାତୀୟ ରାଜନୀତିରେ ନିଜର ସ୍ଥିତି ଜାହିର କରିଥିବା ନବୀନ ରାଷ୍ଟ୍ରପତି ନିର୍ବାଚନ ଠାରୁ ରାଜ୍ୟସଭା ନିର୍ବାଚନ ଯାଏଁ ସବୁଠି ଖେଳିଛନ୍ତି ଅପ୍ରତ୍ୟାଶିତ ଗେମ । ସବୁ କ୍ଷେତ୍ରରେ ରାଜ୍ୟର ବିକାଶ ସହ ସବୁ ବର୍ଗର ଲୋକଙ୍କ ସ୍ୱାର୍ଥ ସାଧନା ପାଇଁ ଅହରହ ଉଦ୍ୟମ ଚଳାଇଛନ୍ତି । ପଂଚମ ପାଳିରେ ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ ଛାଡିବା ଏବଂ ପରବର୍ତ୍ତି ସମୟରେ ଚାରୋଟି ଯାକ ଆସନ ଏକାକି ଦଖଲ କରିବାର କଳା କେବଳ ନବୀନଙ୍କୁ ହିଁ ଜଣା । ସେହିଭଳି ନବୀନଙ୍କ ଡାଇନିଂ ଟେବୁଲ ରଣନୀତି ବି ନିଆରା । ପରସ୍ପର ବିରୋଧୀ ରାଜନୈତିକ ଆଭିମୁଖ୍ୟ ରଖୁଥିବା ନେତାଙ୍କୁ ଗୋଟିଏ ଟେବୁଲରେ ଏକାଠି ଲଞ୍ଚ କି ଡିନର କରାଇବାର କ୍ଷମତା ବି ରଖନ୍ତି ସେ । ଅନେକ ସମୟରେ କେନ୍ଦ୍ର ରାଜ୍ୟ ସମ୍ପର୍କକୁ ନେଇ ବିରୋଧୀ ନାନା ପ୍ରଶ୍ନ ଉଠାଉଛନ୍ତି । ହେଲେ ଗଣତନ୍ତ୍ରରେ କେନ୍ଦ୍ର ଓ ରାଜ୍ୟ ପରସ୍ପର ପରସ୍ପର ଅନୁପୂରକ । କେବଳ ରାଜନୀତି ପାଇଁ ବିରୋଧ କରିବା ପରିବର୍ତ୍ତେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଗଠନମୂଳକ ସହଯୋଗ ଆବଶ୍ୟକତା ରହିଛି ।

ଜାତୀୟ ସଂହତି ରକ୍ଷା କ୍ଷେତ୍ରରେ ଓ ଧର୍ମ ନିରପେକ୍ଷତା ବଜାୟ ରଖିବାରେ ବିଭିନ୍ନ ସମୟରେ ସମସ୍ତଙ୍କୁ ଚକିତ କରିଦେବା ଭଳି ନବୀନଙ୍କ ନିଷ୍ପତ୍ତି ତାଙ୍କ ପ୍ରତିପକ୍ଷଙ୍କୁ ବାକଶୂନ୍ୟ କରିଦେଇଛି । ଆଉ ଏଥିସହ ବାପା ବିଜୁ ପଟ୍ଟନାୟକଙ୍କ ଭଳି ସେ ମଧ୍ୟ ଜାତୀୟସ୍ତରର ଏକ ଦୁର୍ଦ୍ଦଷ ନେତା ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

12 + three =