ଫାର୍ମା ଜଗତରେ ନିରନ୍ତର ବିକାଶ ଆଣିବା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ବିଶେଷଜ୍ଞଙ୍କ ମତ

ଫାର୍ମା ଛାତ୍ରଛାତ୍ରୀମାନେ ଏହି କ୍ଷେତ୍ରରେ ଘଟୁଥିବା ସମସ୍ତ ବିକାଶ ପ୍ରକ୍ରିୟା ବିଷୟରେ ସକ୍ରିୟ ଭାବେ ଅବଗତ ରହିବା ଆବଶ୍ୟକ ବୋଲି ଜଣେ ବିଶେଷଜ୍ଞ ମତ ଦେଇଛନ୍ତି ।
ନିୟମିତ ଭାବେ ଜ୍ଞାନ ବୃଦ୍ଧି କର ଏବଂ ବିକାଶ ପ୍ରକ୍ରିୟା ବିଷୟରେ ଅବଗତ ରହିଲେ ଭବିଷ୍ୟତରେ ଆଗକୁ ଯିବ ବୋଲି କହିଛନ୍ତି କୋଲକାତା ସ୍ଥିତ ୱିପ୍ରୋ ଡିଜିଟାଲ୍ ଅପରେସନ୍ସ ଆଣ୍ଡ ପ୍ଲାଟଫର୍ମସର ସିନିୟର ମ୍ୟାନେଜର ଡାକ୍ତର ସୁଶାନ୍ତ ସେନାପତି । ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ ଓ ସେଂଟର ଫର ବାୟୋଟେକ୍ନୋଲୋଜିର ବାର୍ଷିକ ଉତ୍ସବ “ଆମିଟି -୨୦୨୩”ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ଡାକ୍ତର ସେନାପତି ।
ଡାକ୍ତର ସେନାପତି, ଯିଏ କି ପେସାରେ ଜଣେ ଡାକ୍ତର, ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ସେମାନେ କେବେହେଲେ ଗୋଟିଏ କମ୍ପାନୀରେ କାମ କରୁଛନ୍ତି ବୋଲି ନ ଭାବି ବରଂ ସମାଜ ତଥା ନିଜ ପରିବାରର ସଦସ୍ୟଙ୍କ ପାଇଁ କାମ କରୁଛନ୍ତି ବୋଲି ଭାବି କାର୍ଯ୍ୟ ଜାରୀ ରଖନ୍ତୁ ।
ବିଶିଷ୍ଟ ସାହିତ୍ୟିକା ତଥା ଗାୟିକା ଶ୍ରୀମତି ଛନ୍ଦା ମିଶ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏସ୍‌ପିଏସ୍ ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବାବେଳେ ପ୍ରଫେସର ଲକ୍ଷ୍ମୀଧର ମହାରଣା ଏହାକୁ ପରିଚାଳନା କରିଥିଲେ ।
ଶ୍ରୀମତି ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ନିଜ ମଧ୍ୟରେ ଥିବା ଉତମ ଗୁଣଗୁଡ଼ିକୁ ପ୍ରସ୍ଫୁଟିତ କରିବା ସହ କ୍ରୋଧ ଓ ଆଳସ୍ୟ ପରିହାର କରିବା ଆବଶ୍ୟକ ବୋଲି କହିଥିଲେ ।
ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରକାଶିତ ପତ୍ରିକା “ଆରୋଣ”କୁ ଉନ୍ମୋଚନ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

eighteen − six =