ମହିଳା ସଂରକ୍ଷଣ ପ୍ରସଙ୍ଗରେ ନବୀନଙ୍କ ମାଷ୍ଟରଷ୍ଟ୍ରୋକ, ହତବାକ ମୋଦି

ଭୁବନେଶ୍ବର () : ବିଜେଡିର ମହିଳା ସଂରକ୍ଷଣ କାର୍ଡ ଏବେ ଜାତୀୟ ରାଜନୀତିକୁ ନୂଆମୋଡ ଦେବାକୁ ଯାଉଥିବାବେଳେ କେନ୍ଦ୍ରରେ ନବୀନ ପଟ୍ଟନାୟକଙ୍କ ଦବଦବା ମଧ୍ୟ ବଢିବାରେ ଲାଗିଛି । ମହିଳା ସଂରକ୍ଷଣ ନେଇ ନବୀନ ଯେଭଳି ୨୨ଟି ରାଜନୈତିକ ଦଳକୁ ଭେଟି ସମର୍ଥନ ଲୋଡିବା ଓ ମୁଖ୍ୟମନ୍ତ୍ରୀଙ୍କମାନଙ୍କୁ ପତ୍ର ଲେଖିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ତାହାକୁ ନେଇ ଓଡିଶା ଏବେ ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବିଶ୍ବକପ ହକି ସହିତ ବିଜେଡିର ମହିଳା ସଂରକ୍ଷଣ ଗୋଟିଚାଳନା ରାଜ୍ୟରେ ବିରୋଧିଙ୍କୁ ହତ୍‍ବାକ୍‍ କରିଦେଇଥିବା ବେଳେ କେନ୍ଦ୍ରରେ ମଧ୍ୟ ପୁଣିଥରେ ନବୀନଙ୍କ ନେତୃତ୍ବ ସଂକ୍ରାନ୍ତରେ ଚର୍ଚ୍ଚା ସୃଷ୍ଟିକରିଛି ।

ଆଗାମୀ ନିର୍ବାଚନକୁ ନେଇ ରାଜନୈତିକ ଦଳମାନେ ନିଜ ନିଜ ସ୍ତରରେ ରଣନୀତି ପ୍ରସ୍ତୁତ କରିଥିବାବେଳେ ନବୀନ ଉଠାଇଛନ୍ତି ମହିଳା ସଂରକ୍ଷଣ ପ୍ରସଙ୍ଗ । ଏ ନେଇ ପ୍ରଥମେ ରାଜ୍ୟ ବିଧାନସଭାରେ ସଙ୍କଳ୍ପ ପାରିତ କରିବାପରେ ଜାତୀୟ ସ୍ତରରେ ଏହାକୁ ରଖିଛନ୍ତି । ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ସଂସଦ ଓ ବିଧାନସଭାରେ ମହିଳାମାନଙ୍କ ପାଇଁ ୩୩% ଆସନ ସଂରକ୍ଷଣ ଦାବି କରିଛନ୍ତି । ଏହାପରେ ଜାତୀୟ ଓ ରାଜ୍ୟ ସ୍ତରର ନେତୃବୃନ୍ଦଙ୍କୁ ଭେଟି ସେମାନଙ୍କ ସମର୍ଥନ ଲୋଡିବାପାଇଁ ବିଜେଡିର ସାଂସଦ, ମନ୍ତ୍ରୀ, ବିଧାୟକ ଓ ଅନ୍ୟମାନଙ୍କୁ ଦାୟିତ୍ବ ଦିଆଯାଇଛି। ଏଭଳି ଏକ ଜାତୀୟ ପ୍ରସଙ୍ଗରେ ବିଜେଡି କେନ୍ଦ୍ର ସରାକର ବିଶେଷକରି ବିଜେପି କୋର୍ଟକୁ ବଲ୍‍ ଫିଙ୍ଗିବାପରେ ରାଜ୍ୟ ବିଜେପି ନେତାମାନେ ହତ୍‍ବାକ ହୋଇଯାଇଛନ୍ତି । କଂଗ୍ରେସ ବି ମାପିଚୁପି ତାହାର ବୟାନ ଜାରି କରୁଛି ।

ସବୁଠାରୁ ବଡ କଥା ହେଲା ରାଷ୍ଟ୍ରପତି ନିର୍ବାଚନ, ଉପରାଷ୍ଟ୍ରପତି ନିର୍ବାଚନ ଆଦି ପ୍ରସଙ୍ଗରେ କେନ୍ଦ୍ରରେ ନବୀନଙ୍କ ଗୁରୁତ୍ବ ବୃଦ୍ଧି ପାଇଥିବାବେଳେ କେନ୍ଦ୍ର ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ସମୟରେ ନବୀନଙ୍କ ସଫଳ ଗୋଟିଚାଳନା ଜାତୀୟ ସ୍ତରରେ ତାଙ୍କର ପରିପକ୍ବତାକୁ ପ୍ରମାଣିତ କରିଥିଲା । ସେହିଭଳି କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ନବୀନ ଯେଭଳି ମାପିଚୁପି ଆକ୍ରମଣ କରୁଛନ୍ତି ସେଥିପାଇଁ ବିଜେପି ବିରୋଧି ଜାତୀୟ ରାଜନୈତିକ ଦଳମାନେ ଧିରେ ଧିରେ ନବୀନଙ୍କ ପ୍ରତି ଢଳିବାରେ ଲାଗିଛନ୍ତି ।

ଗୋଟିଏପଟେ ରାଜ୍ୟରେ ଆୟୋଜିତ ବିଶ୍ବକପ୍‍ ହକି ଅବସରରେ ଚଳଚିତ୍ର ଜଗତର ରଥୀ ମହାରଥୀ ମାନେ ଓଡିଶା ଆସିବା ସହିତ ସମଗ୍ର ବିଶ୍ବରେ ଓଡିଶାର ତାହାର ପରିଚୟ ସୃଷ୍ଟି କରିପାରିଛି । ବିଜେପିର କଡା ବିରୋଧ ସତ୍ବେ ହକି ଜରିଆରେ ନବୀନ ତାଙ୍କ ଭାବମୂର୍ତ୍ତିକୁ ଉଜ୍ବଳ କରିଛନ୍ତି । ଜାତୀୟ ନେତାମାନେ ବି ବିଶ୍ବକପ୍‍ ହକିପାଇଁ ନବୀନଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି । ଏଭଳି ସ୍ଥିତିରେ ନବୀନଙ୍କ ମହିଳା ସଂରକ୍ଷଣ ଗୋଟି ଚାଳନା ଜାତୀୟ ସ୍ତରରେ ପୁଣିଥରେ ତାଙ୍କର ରାଜନୈତିକ ରଣନୀତିକୁ ପ୍ରମାଣିତ କରିବା ସହିତ ନେୃତ୍ବକୁ ନେଇ ଅନ୍ୟ ବରିଷ୍ଠ ନେତାମାନେ ପ୍ରଶଂସା କରିବାରେ ଲାଗିଛନ୍ତି । ଏପରିକି ତୃତୀୟ ମେଣ୍ଟ ଗଠନ ପାଇଁ ଅଣ୍ଟା ଭିଡିଥିବା ନେତାମାନେ ଧିରେ ଧିରେ ନବୀନଙ୍କ ଆଡକୁ ଢଳୁଥିବା ଲକ୍ଷ୍ୟ କରାଯାଉଛି । ନବୀନଙ୍କର ଏଭଳି ସଫଳ ରଣନୀତି ଏବେ କେବଳ ବିଜେଡିର ସ୍ଥିତି ମଝବୁତ୍‍ କରିନାହିଁ ଜାତୀୟ ସ୍ତରର ଦଳକୁ ନୂଆ ପରିଚୟ ଦେବା ସହିତ ରାଜ୍ୟ ସ୍ତରରେ ବିରୋଧିମାନଙ୍କୁ ଦୁର୍ବଳ କରିବାରେ ଲାଗିଛି ।

ଯଦିଓ ଦେଶର ମୋଟ ଜନସଂଖ୍ୟାର ଅର୍ଦ୍ଧାଧିକ ହେଉଛନ୍ତି ମହିଳା, ଲୋକସଭା କିମ୍ବା ରାଜ୍ୟସଭାରେ ସେମାନଙ୍କ ପ୍ରତିନିଧିତ୍ବ 11ରୁ 12 ପ୍ରତିଶତ । 542ଜଣିଆ ଲୋକସଭାରେ ମହିଳା ସଦସ୍ୟ ମାତ୍ର 11.6 ପ୍ରତିଶତ ଥିବା ବେଳେ 245 ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ସେମାନଙ୍କ ପ୍ରତିନିଧିତ୍ବ ମାତ୍ର 11 ପ୍ରତିଶତ ।

Share

Leave a Reply

Your email address will not be published. Required fields are marked *

20 + six =