ଆଜି ପ୍ରତିଷ୍ଠା ଦିବସରେ ନବୀନ ଦେବେ ନୂଆ ମନ୍ତ୍ର

ଭୁବନେଶ୍ୱର () ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ସୃଷ୍ଟି ହୋଇଥିବା ବିଜୁ ଜନତା ଦଳ (ବିଜେଡି)ର ଆସନ୍ତାକାଲି ୨୩ତମ ପ୍ରତିଷ୍ଠା ଦିବସ ପାଳନ କରାଯିବ । ପ୍ରତିଷ୍ଠା ଦିବସ କେବଳ ରାଜ୍ୟ ସ୍ତରରେ ନୁହେଁ, ସବୁ ବ୍ଲକରେ ପାଳନ କରାଯିବ । ଏଥିପାଇଁ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସବୁ ବିଧାୟକ, ନେତା, ସାଂସଦଙ୍କୁ ଚିଠି ଲେଖିଛନ୍ତି । ପ୍ରତିଷ୍ଠା ଦିବସରେ କେବଳ ଦଳୀୟ ସ୍ୱାର୍ଥ ପାଇଁ ନୁହେଁ, ଜାତୀୟ ସ୍ୱାର୍ଥ ପାଇଁ ବିଜେଡି କାମ କରିବ, ଏଭଳି ବାର୍ତ୍ତା ଦେବାକୁ ଯାଉଛନ୍ତି ନବୀନ ।

୧୯୯୭ ମସିହାରେ ଗଠିତ ବିଜୁ ଜନତା ଦଳ ଗତ ୨୨ ବର୍ଷ ମଧ୍ୟରେ ନିର୍ବାଚନୀ ରାଜନୀତିରେ କେବେ ବି ଫେଲ ମାରିନି । ଦଳ ଗଠନ ହେବା ପରେ ୧୧ ବର୍ଷ ବିଜେପି ସହ ମେଣ୍ଟରେ ରହିଥିଲା । ବିଜେଡି-ବିଜେପି ମେଣ୍ଟ ୨୦୦୦ ଓ ୨୦୦୪ରେ ଦୁଇଟି ନିର୍ବାଚନ ଜିତି ରାଜ୍ୟରେ ସରକାର ଗଠନ କରିଥିଲା । ୨୦୦୯ରେ ମେଣ୍ଟରୁ ଓହରିବା ପରେ ରାଜନୈତିକ ପଣ୍ଡିତମାନେ ଦଳର ସ୍ଥାୟୀତ୍ୱକୁ ନେଇ ଅନେକ ଅଙ୍କ କଷିଥିଲେ । ହେଲେ ସବୁ ଅଙ୍କ ଫେଲ ହୋଇଗଲା । ବିଜେପି ସହ ସମ୍ପର୍କ ଛିନ୍ନ କରିବା ପରେ ଦଳ ଅଧିକ ଭଲ ପ୍ରଦର୍ଶନ କରିବା ସହ ୨୦୦୯ରେ ୧୦୩, ୨୦୧୪ରେ ୧୧୭ ଓ ୨୦୧୯ରେ ୧୧୨ଟି ଆସନ ଦଖଲ କରି ସରକାର ଗଠନ କରିଛି ।

କେବଳ ବିଧାନସଭା କି ଲୋକସଭା ନିର୍ବାଚନ ନୁହେଁ, ୩ଟି ପୌର ନିର୍ବାଚନ ଓ ୩ଟି ପଂଚାୟତ ନିର୍ବାଚନରେ ବିଜେଡି ନିଜକୁ ରାଜ୍ୟର ଏକ ନମ୍ବର ଦଳ ଭାବେ ପ୍ରତିଷ୍ଠିତ କରିଛି । କେବଳ ନିର୍ବାଚନୀ ରାଜନୀତି ନୁହେଁ, ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା, ସ୍ୱଚ୍ଛ ଶାସନ ଏବଂ ଲୋକଙ୍କୁ ପ୍ରଶାସନର ଅଂଶିଦାର କରି ଦଳ ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତିକ ସାଜିଛି । ହେଲେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବ ପର୍ଯ୍ୟନ୍ତ ଦଳର ଆଭିମୁଖ୍ୟ ପଂଚମ ପାଳିର ସରକାର ଗଠନ ପରେ ପରିବର୍ତ୍ତନ ହୋଇଛି । ନବୀନ ଏବେ କେବଳ ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇନାହାଁନ୍ତି । ଜାତୀୟ ସ୍ୱାର୍ଥ ତାଙ୍କ ପାଇଁ ମହତ୍ୱପୂର୍ଣ୍ଣ ହୋଇଛି । ଏଥିପାଇଁ ବିଭିନ୍ନ ସମୟରେ ସେ ସମାଲୋଚନାର ଶିକାର ହେଉଥିଲେ ବି ନିଜର ଧର୍ମନିରପେକ୍ଷତାକୁ ବଜାୟ ରଖିବା ସହ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ନୀତି ଆପଣେଇ ଜାତୀୟ ସ୍ତରରେ ଜଣେ ଶକ୍ତିଶାଳୀ ବିକଳ୍ପ ଭାବେ ଉଭା ହୋଇଛନ୍ତି ନବୀନ ।

ପ୍ରତିଷ୍ଠା ଦିବସରେ ମହାନଦୀ, ପୋଲାଭରମ, କୋଇଲା ରୟାଲ୍ଟି ପ୍ରସଙ୍ଗରେ ଦଳର କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରିବେ ତୃଣମୂଳ ସ୍ତରର ନେତାମାନେ । ଏଥିସହିତ ରାଜ୍ୟର ବିଭିନ୍ନ ଲୋକାଭିମୁଖୀ ଯୋଜନା ବାବଦରେ ମଧ୍ୟ ସଚେତନ କରାଯିବ । ସେହିଭଳି ଏଥର ନବୀନଙ୍କୁ ଦଳର ସକ୍ରିୟ ସଦସ୍ୟଙ୍କ ସୁରକ୍ଷା ଚିନ୍ତା ଘାରିଛି । ତେଣୁ ଦଳର ଯେଉଁମାନେ ସକ୍ରିୟ ସଦସ୍ୟ ଅଛନ୍ତି ସେମାନଙ୍କୁ ବିମାଭୁକ୍ତ କରିବାକୁ ପ୍ରସ୍ତୁତି ଚାଲିଛି । ଏହି କାର୍ଯ୍ୟକ୍ରମକୁ ନେଇ ଚୂଡାନ୍ତ ଖସଡା ପ୍ରସ୍ତୁତ ହୋଇନି । ହେଲେ ଏନେଇ ଆସନ୍ତାକାଲି ନବୀନ କିଛି ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି ।

Share

Leave a Reply

Your email address will not be published. Required fields are marked *

twenty − nine =