ମୋଦି-ଶାହାଙ୍କ ସମାନ୍ତରାଳ ରଣନୀତି : ମିଶନ 123

ଭୁବନେଶ୍ୱର () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହା ଆସନ୍ତା ସାଧାରଣ ନିର୍ବାଚନ ପାଇଁ ମିଶନ 123ର ରଣନୀତି କରିଛନ୍ତି । ଏଥିପାଇଁ ଉଭୟ ମୋଦି ଓ ଶାହା ସମାନ୍ତରାଳ ଭାବେ ଦୁଇଟି ରଣନୀତି କରିଛନ୍ତି । ଏହି କ୍ରମରେ ଆଜି ମୋଦି ଓଡିଶା ଆସୁଛନ୍ତି ଓ ଆସନ୍ତା 18 ତାରିଖରେ ଶାହା ବି ଆସୁଛନ୍ତି ।

ନୂଆବର୍ଷରୁ ଏହି ରଣନୀତିର ମୂଳଦୁଆ ପଡିଛି । ଜାନୁଆରୀ 1 ତାରିଖରୁ ମୋଦି ପଞ୍ଜାବରୁ ତାଙ୍କର ଅଭିଯାନ ଆରମ୍ଭ କରିଛନ୍ତି । ଟାର୍ଗେଟ ଫେବୃଆରୀ 25 ତାରିଖ ସୁଦ୍ଧା 50 ଦିନରେ 100ଟି ସ୍ଥାନରେ କରିବେ ସାଧାରଣ ସଭା । ଏହି 100ଟି ସାଧାରଣ ସଭା ଜରିଆରେ 123ଟି ଲୋକସଭା କ୍ଷେତ୍ରରେ କରିବେ ପ୍ରଚାର । ଏହି 123ଟି ଲୋକସଭା କ୍ଷେତ୍ରରକୁ ଗତ 2014 ସାଧାରଣ ନିର୍ବାଚନର ଫଳାଫଳ ଆଧାରରେ ଚୟନ କରିଛନ୍ତି ମୋଦି ।

ଏହି 123ଟି ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପି ହାରିଥିଲା ବା ଭୋଟ ହାର କମ୍ ରହିଥିଲା । ତେଣୁ ପରବର୍ତ୍ତୀ ସାଧାରଣ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହେବା ପୂର୍ବରୁ ପ୍ରଚାର ଶେଷ ହେବ । ପଞ୍ଜାବରୁ ଆରମ୍ଭ ହୋଇଥିବା ଅଭିଯାନରେ ମୋଦି ଏଭିତରେ ମଣିପୁର ଓ ଆସାମରେ ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ଆଜି ଝାରଖଣ୍ଡ ଓ ଓଡ଼ିଶାରେ ଆଉ ଦୁଇଟି ସାଧାରଣ ସଭା ହେବ । ଓଡ଼ିଶାରେ ନିର୍ବାଚନ ପୂର୍ବରୁ ମୋଦି ଆହୁରି 4ଥର ଆସିବାର କାର୍ଯ୍ୟକ୍ରମ ରହିଛି ।

ସେହିଭଳି ଶାହା ମଧ୍ୟ ସମାନ୍ତରାଳ ଭାବେ ବୁଥ ସଜାଡ଼ିବା କାର୍ଯ୍ୟ କରୁଛନ୍ତି । ଏହିସବୁ ସଂସଦୀୟ କ୍ଷେତ୍ରରେ ଶାହା ବୁଥସ୍ତରୀୟ ସମ୍ମିଳନୀ କରିବେ । ମୋଦି ଯେଉଁଠି ସାଧାରଣ ସଭା କରୁଛନ୍ତି ଶାହା ସେଠାରେ ବୁଥସ୍ତରୀୟ ସମ୍ମିଳନୀ କରୁଛନ୍ତି । ଉଦ୍ଦେଶ୍ୟ ବୁଥକୁ ଶକ୍ତିଶାଳୀ କରିବା । 100ଟି ସାଧାରଣ ସଭା ଜରିଆରେ 123ଟି ଲୋକସଭା କ୍ଷେତ୍ର ଉପରେ ନଜର ରଖିଛନ୍ତି ମୋଦି-ଶାହା ଯୋଡି ।

Share

Leave a Reply

Your email address will not be published. Required fields are marked *

5 − 1 =