କାମ ଦେଉନି ଉଜ୍ଜଳା ଯୋଜନା, ଆଗକୁ ବାଣ୍ଟିବେ ଇଣ୍ଡକ୍ସନ ଚୁଲା

ଭୁବନେଶ୍ବର (): ବର୍ତ୍ତମାନ ଦେଶରେ ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ହୁ ହୁ ହୋଇ ବଢ଼ିଚାଲିଛି । ଏଭଳି ସ୍ଥିତିରେ ଗରିବ ମତଦାତାମାନଙ୍କୁ ପ୍ରଲୋଭିତ କରି ଭୋଟ ହାତେଇବା ପାଇଁ ଉଜ୍ଜଳା ଯୋଜନାରେ ରନ୍ଧନ ଗ୍ୟାସ ସିଲିଣ୍ଡର ବଣ୍ଟନ କାର୍ଯ୍ୟକ୍ରମ ଲାଭ ଦେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଭବ କରିସାରିଲେଣି । ତେଣୁ ଏହାର ବିକଳ୍ପ ଭାବେ ଗରିବ ପରିବାରକୁ ଶସ୍ତାରେ ଓ ସହଜ କିସ୍ତିରେ ଇଣ୍ଡକ୍ସନ ଚୁଲା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ବିଚାର କରୁଥିବା ଜଣାପଡିଛି । ଏଥିପାଇଁ ଶକ୍ତି ମନ୍ତ୍ରାଳୟକୁ ସରକାରଙ୍କ ତରଫରୁ ପ୍ରସ୍ତାବ ଦିଆଯାଇଛି । ଖୁବଶୀଘ୍ର ଏହି ଇଣ୍ଡକ୍ସନ ଚୁଲା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ।

ଆଗାମୀ ଦିନରେ ଦେଶର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ରହୁଥିବା ଗରିବ ପରିବାରକୁ ଏହି ଇଣ୍ଡକ୍ସନ ଚୁଲା ଉଜ୍ଜଳା ରନ୍ଧନ ଗ୍ୟାସ ସିଲିଣ୍ଡର ପରିବର୍ତ୍ତେ ଦିଆଯିବ । ଯେଉଁ ପରିବାରକୁ ଏହି ଇଣ୍ଡକ୍ସନ ଚୁଲା ଦିଆଯିବ ସେମାନେ ବାର୍ଷିକ ୧୫ଶହ ଟଙ୍କା ସଞ୍ଚୟ କରିପାରିବେ ବୋଲି ମୋଦି ସରକାର ଆକଳନ କରିଛନ୍ତି । ଏହି ଯୋଜନାରେ ସିଙ୍ଗଲ ଚୁଲା ବାବଦକୁ ୮ଶହ ଟଙ୍କା ଓ ଡ଼ବଲ ଚୁଲା ବାବଦକୁ ୧୫ଶହ ଟଙ୍କା କିସ୍ତି ଆକାରରେ ହିତାଧିକାରୀଙ୍କୁ ଦେବାକୁ ପଡ଼ିବ । ଏହି କିସ୍ତି ଟଙ୍କା ପ୍ରତିମାସରେ ବିଜୁଳି ବିଲ୍‍ ପୈଠ କରିବାବେଳେ ଦେବାକୁ ପଡ଼ିବ । ଏଥିପାଇଁ ଏନର୍ଜି ଏଫିସେନ୍ସି ସର୍ଭିସେସ ଲିମିଟେଡ଼ ଦ୍ବାରା ଶକ୍ତି ମନ୍ତ୍ରାଳୟକୁ ପ୍ରସ୍ତାବ ଦିଆଯାଇଛି ।

ଏହି ଇଣ୍ଡକ୍ସନ ଚୁଲାକୁ ଯେଉଁ ହିତାଧିକାରୀ ପରିବାର ବ୍ୟବହାର କରିବେ ସେମାନଙ୍କର ମାସକୁ ପ୍ରାୟ ୧୦୦ ୟୁନିଟ ବିଜୁଳି ବିଲ ଆସିବ । ଯାହାକି ରନ୍ଧନ ଗ୍ୟାସ ସିଲିଣ୍ଡର ଖର୍ଚ୍ଚଠାରୁ କମ୍‍ ରହିବ । କାରଣ ବର୍ତ୍ତମାନ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୯୨୦ଟଙ୍କା ଦେବାକୁ ପଡୁଛି । ତେଣୁ ଏଥିପାଇଁ ମୋଦି ସରକାର ଖୁବ୍‍ ଶୀଘ୍ର ଦେଶର ସମସ୍ତ ଅଞ୍ଚଳରେ ସୌଭାଗ୍ୟ ଯୋଜନାରେ ପ୍ରତି ଘରକୁ ୨୪ଘଣ୍ଟିଆ ବିଜୁଳି ସଂଯୋଗ ଦେବାକୁ ଯୋଜନା କରିସାରିଛନ୍ତି ।

ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀରୁ ଆରମ୍ଭ ହୋଇଥିବା ସୌଭାଗ୍ୟ ଯୋଜନାରେ ୨୦୧୧ ଜନଗଣନା ଅନୁସାରେ ଗରିବ ସୀମାରେଖା ତଳେ ଥିବା ପରିବାରମାନଙ୍କୁ ମାଗଣାରେ ବିଜୁଳି ସଂଯୋଗ ପ୍ରଦାନ କରାଯିବ । ଏହି ହିତାଧିକାରୀମାନେ କେବଳ ୫୦୦ଟଙ୍କା ଦେଇ ଏହି ସୁବିଧା ପାଇପାରିବେ ବୋଲି ସ୍ଥିର ହୋଇଛି ।

Share

Leave a Reply

Your email address will not be published. Required fields are marked *

16 − one =