ସଂଖ୍ୟାର ମାୟାଜାଲରେ ଭୋଟର

ଭୁବନେଶ୍ବର () ନେତା ଓ ଦଳ ଏବେ ଲୋକଙ୍କ ନିକଟତର ହେବା ପରିବର୍ତ୍ତେ ସର୍ଭେ ରିପୋର୍ଟ ଉପରେ ଅଧିକ ଆଶାୟୀ । ଗୋଟେ ସମୟ ଥିଲା ଏମିତି କିଛି ସର୍ଭେ ରିପୋର୍ଟ ଉପରେ ଭୋଟର ଖୁବ ଭରସା କରୁଥିଲେ । ଧିରେ ଧିରେ ଦେଖିବାକୁ ମିଳୁଛି, ଏହି ସର୍ଭେ କେବଳ ସଂଖ୍ୟାର ଖେଳ ଅର୍ଥାତ ଦଳ, ନେତା ଓ ଭୋଟରଙ୍କୁ କିଛି ମିଷାଣ ଫେଡାଣ ଓ ପ୍ରତିଶତର ଇନ୍ଦ୍ରଜାଲରେ ଛନ୍ଦିବାକୁ ଏକ ମାୟାଜାଲ ସଦୃଶ । ଏମିତି ହୋଇନଥିଲେ ଗତ ଏକ ଦଶନ୍ଧି ଧରି ଅଧିକାଂଶ ସର୍ଭେ ରିପୋର୍ଟ ଫେଲ ମାରୁନଥାନ୍ତା ।

ଜାତୀୟ ରାଜନୀତିର ସଂଖ୍ୟାକୁ ସୃଷ୍ଟି ହୋଇଥିବା ମାୟାଜାଲରେ ଅଧିକ ଘାଣ୍ଟି ଚକଟି ହେବା ପରିବର୍ତ୍ତେ ଓଡିଶା ରାଜନୀତିକୁ ନେଇ ପ୍ରକାଶ ପାଇଥିବା କିଛି ସର୍ଭେକୁ ନେଇ ତର୍ଜମା କଲେ ଏହି ଦ୍ବନ୍ଦ୍ବାତ୍ମକ ଗଣିତର ଖେଳକୁ ବୁଝିହେବ । ସଦ୍ୟତମ ସି-ଭୋଟର ସର୍ଭେକୁ ନେଇ ଗତ 48 ଘଣ୍ଟା ଧରି ରାଜ୍ୟ ରାଜନୀତିରେ ବହୁ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । କିଏ କହୁଛି ଦେଶର ମୁଡ ବଦଳୁଛି ତ କିଏ କହୁଛି ଭୋଟ କେନ୍ଦ୍ରିଭୂତ ହେଉଛି । ସି-ଭୋଟର ନିଜର ସଦ୍ୟତମ ରିପୋର୍ଟରେ କହିଛି ଯେ, ଆଜିକା ତାରିଖରେ ଯଦି ନିର୍ବାଚନ ହୁଏ ତେବେ ବିଜେଡି ମାତ୍ର 6ଟି ଲୋକସଭା, ବିଜେପି 12ଟି ଏବଂ କଂଗ୍ରେସ 3ଟି ଲୋକସଭା ଆସନ ଜିତିବ ।

ସେହି ସି-ଭୋଟର ଗତ ସେପ୍ଟେମ୍ବର ମାସରେ ପ୍ରକାଶ କରିଥିବା ରିପୋର୍ଟରେ ଆକଳନ କରିଥିଲା ଯେ, ବିଜେଡି-6, ବିଜେପି-13 ଓ କଂଗ୍ରେସ-2ଟି ଆସନ ପାଇବ । ଅର୍ଥାତ ଗୋଟିଏ ମାସରେ ବିଜେଡିର ବିଜୟ ସମ୍ଭାବନା ସ୍ଥିର ଥିବା ବେଳେ ବିଜେପି ହାତରୁ ଗୋଟିଏ ଆସନ ଖସୁଛି । ଇଏତ ଗଲା ସି-ଭୋଟର ଦୁଇ ମାସର ସର୍ଭେ ରିପୋର୍ଟରେ ଆସୁଥିବା ଦ୍ବନ୍ଦ୍ବାତ୍ମକ ଚିତ୍ର । ଗତ 2014 ସାଧାରଣ ନିର୍ବାଚନ ସମୟରେ ମଧ୍ୟ ସେଇ ସି-ଭୋଟର ସର୍ଭେ କହିଥିଲା ଯେ, ବିଜେଡି-9, ବିଜେପି-10 ଓ କଗ୍ରେସ-2ଟି ଆସନ ଜିତିବ । କିନ୍ତୁ ଫଳାଫଳରେ ବିଜେଡି ପାଇଲା 20 ଓ ବିଜେପି ଗୋଟିଏରେ ସନ୍ତୁଷ୍ଟ ହେଲା । କଂଗ୍ରେସ ଖାତା ଖୋଲିପାରିଲାନି । ସବୁଠାରୁ ବଡ ପ୍ରଶ୍ନ ହେଉଛି ରାଜ୍ୟର 3 କୋଟି 20 ଲକ୍ଷ ଭୋଟରଙ୍କ ମତ ମାତ୍ର 598 (0.0018%) ସାମ୍ପୁଲରୁ ଆକଳନ କରାଯାଇଛି ।

ସେହିଭଳି 2014 ନିର୍ବାଚନ ଫଳାଫଳକୁ ତର୍ଜମା କଲେ ଦେଖାଯାଉଛି ଯେ, ପ୍ରଚଣ୍ଡ ମୋଦି ହାୱା ସତ୍ତ୍ବେ ଓଡିଶାରେ ବିଜେପି ସର୍ଭେ ଆକଳନ ଅନୁୟାୟୀ ଆସନ ଜିତିପାରିନଥିଲା । ସେହିଭଳି ଗତ ନିର୍ବାଚନରେ କଂଗ୍ରେସ ଗୋଟିଏ ହେଲେ ଲୋକସଭା ଆସନ ଦଖଲ କରିପାରିନ ସତ, କିନ୍ତୁ ବିଜେପି ଠାରୁ ଅଧିକ ଭୋଟ ପାଇଛି । ନିର୍ବାଚନ କମିଶନଙ୍କ ରିପୋର୍ଟ ଅନୁୟାୟୀ 2014ରେ ବିଜେଡିକୁ ମିଳିଥିଲା 44.77 ପ୍ରତିଶତ ଅର୍ଥାତ 94ଲକ୍ଷ 89ହଜାର 946 ଖଣ୍ଡ ଭୋଟ । ବିଜେପିକୁ ମିଳିଥିଲା 21.88 ପ୍ରତିଶତ ଅର୍ଥାତ 46ଲକ୍ଷ 38ହଜାର 565 ଖଣ୍ଡ ଭୋଟ । ସେପଟେ କଂଗ୍ରେସ କିନ୍ତୁ ପାଇଥିଲା 26.38 ପ୍ରତିଶତ ଅର୍ଥାତ 55 ଲକ୍ଷ 91ହଜାର 380 ଖଣ୍ଡ ଭୋଟ । ଏହିଦୃଷ୍ଟିରୁ ରାଜ୍ୟର ମୋଟ ଭୋଟରଙ୍କ ମାତ୍ର 0.0018 ପ୍ରତିଶତ ଭୋଟରଙ୍କ ମତ ନେଇ ପୂରା ରାଜ୍ୟର ମୁଡ ମାପିବା ସମ୍ଭବ କି ।

କେବଳ ଏତିକି ନୁହେଁ, ଗତ ନିର୍ବାଚନରେ ସର୍ବଭାରତୀୟ ସ୍ତରରେ ପ୍ରବଳ ମୋଦି ହାୱା ସତ୍ତ୍ବେ 21ଟି ଲୋକସଭା ଆସନ ମଧ୍ୟରୁ 11ଟି ଆସନରେ କଂଗ୍ରେସ ବିଜେପିକୁ ପଛରେ ପକାଇ ଦୁଇ ନମ୍ବର ସ୍ଥାନରେ ଥିଲା । ବିଜେପି 9ଟି ଆସନରେ ଦୁଇ ନମ୍ବର ସ୍ଥାନରେ ରହିଥିଲା ।

Share

Leave a Reply

Your email address will not be published. Required fields are marked *

twelve + nine =