ପୂର୍ବତଟ ରେଳବାଇକୁ ଶ୍ରୀହୀନ କରିବାକୁ ଷଡ଼ଯନ୍ତ୍ର

ଭୁବନେଶ୍ବର (): ଗତକାଲି କେନ୍ଦ୍ର ରେଳମନ୍ତ୍ରୀ ପୂର୍ବତଟ ରେଳପଥର ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଭାବେ ପରିଚିତ ୱାଲ୍ଟିୟର ଡ଼ିଭିଜନକୁ କାଢିନେବା ପାଇଁ ଯେଉଁ ଘୋଷଣା କରିଛନ୍ତି ଏହାକୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଆଜି କଂଗ୍ରେସ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଏବଂ ଦଳର ମୁଖପାତ୍ର ଅମିୟ ପାଣ୍ଡବ ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍ ଓରାମ ତୁରନ୍ତ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଆହ୍ବାନ ଦେଇଛନ୍ତି ।

ଏହି ସମ୍ବାଦିକ ସମ୍ମିଳନୀରେ ଉଭୟ ନେତା କହିଛନ୍ତି ଯେ, ଦୀର୍ଘଦିନର ଦାବି ଓ ଲଢେଇ ଫଳରେ ପ୍ରତିଷ୍ଠିତ ହୋଇଥିବା ପୂର୍ବତଟ ରେଳପଥକୁ ଶ୍ରୀହୀନ କରିଦେବା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଛି । ମୋଦି ସରକାର କ୍ଷମତାକୁ ଆସୁ ଆସୁ ଏ ଦିଗରେ ଯେଭଳି ତତ୍ପରତା ପ୍ରକାଶ କରିଛନ୍ତି, ସେଥିରୁ ସନ୍ଦେହର ଗନ୍ଧ ବାହାରୁଛି । ସୂଚନାଯୋଗ୍ୟ ଯେ, ୱାଲ୍ଟିୟର ଡ଼ିଭିଜନ ଅଧୀନରେ ଆସୁଥିବା ଭାଇଜାକ ଇସ୍ପାତ କାରଖାନା ଓ ବିଶାଖାପାଟଣା ବନ୍ଦର ଯୋଗୁ ପୂର୍ବତଟ ରେଳପଥ ବାର୍ଷିକ ପ୍ରାୟ ୮କୋଟି ଟଙ୍କାର ରାଜସ୍ବ ଅର୍ଜନ କରୁଥିଲା ଯାହାକି ଏବେ ସମ୍ପୂର୍ଣ୍ଣ ସମାପ୍ତ ହୋଇଯିବ । ଏହାର ପ୍ରଭାବ ରେଳବାଇ ବଜେଟ୍ରେ ଅନୁଦାନ ଉପରେ ମଧ୍ୟ ପଡ଼ିବାର ଅଶାଙ୍କା ଉପୁଜିଛି । ନୂତନ ରେଳ ଡ଼ିଭିଜନ ଭାବେ ରାୟଗଡ଼ାକୁ ଘୋଷଣା କରାଯିବା ସ୍ବାଗତଯୋଗ୍ୟ ହେଲେ ମଧ୍ୟ ଏଠାରୁ ବାର୍ଷିକ ସର୍ବାଧିକ ମାତ୍ର ୧୫୦-୨୦୦ କୋଟି ଟଙ୍କାର ରାଜସ୍ବ ଆସିପାରିବ । ତେଣୁ ପୂର୍ବତଟ ରେଳପଥ ବାର୍ଷିକ ପ୍ରାୟ ୬୦୦କୋଟି ଟଙ୍କାର ରାଜସ୍ବ ହରାଇବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଏଣୁ ଏହା ବଦଳରେ ରାଉରକେଲା ଷ୍ଟିଲ୍ ପ୍ଲାଂଟକୁ ପୂର୍ବତଟ ରେଳପଥ ଅନ୍ତର୍ଭୁକ୍ତ କରାଯାଉ । ଦକ୍ଷିଣପୂର୍ବ ରେଳପଥ ଅଧୀନରେ ବୋକାରୋ ଓ ରାଉରକେଲା ପରି ଦୁଇଟି ଇସ୍ପାତ କାରଖାନା ଆସୁଥିବାରୁ ରାଉରକେଲାକୁ ନୂଆ ଡ଼ିଭିଜନ ଭାବେ ଘୋଷଣା କରି ଏହାକୁ ପୂର୍ବତଟ ରେଳପଥ ଅନ୍ତର୍ଭୁକ୍ତ କରାଯାଉ ।

ସେହିପରି ବିଶାଖାପାଟଣା ବନ୍ଦର ବଦଳରେ ଦକ୍ଷିଣ-ପୂର୍ବ କେନ୍ଦ୍ରୀୟ ରେଳପଥର ବିଳାସପୁର ଡ଼ିଭିଜନରେ ଆସୁଥିବା ଇବ୍-ବ୍ରଜରାଜନଗର ଅଂଚଳକୁ ମଧ୍ୟ ପୂର୍ବତଟ ରେଳପଥରେ ଅନ୍ତର୍ଭୁକ୍ତ କରାଯାଇ ବ୍ୟାପକ ଖଣି ଅଂଚଳକୁ ଗୋଟିଏ ଡ଼ିଭିଜନ ଭାବେ ରାଉରକେଲା କିମ୍ବା ସମ୍ବଲପୁର ଅଧୀନରେ ରଖାଯାଉ । କେବଳ ସେତିକି ନୁହେଁ ବାଲେଶ୍ବରକୁ ମଧ୍ୟ ଏକ ନୂଆ ରେଳ ଡ଼ିଭିଜନ ଭାବେ ଘୋଷଣା କରି ବାଲେଶ୍ବର-ମୟୁରଭଞ୍ଜ ଏବଂ ଭଦ୍ରକକୁ ଦକ୍ଷିଣ ପୂର୍ବ ରେଳପଥ ଅଧୀନରୁ କାଢିଆଣି ପୂର୍ବତଟ ରେଳପଥରେ ସାମିଲ୍ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । କେନ୍ଦ୍ର ସରକାରଙ୍କର ଏହି ନିଷ୍ପତି ସିଧାସଳଖ ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡ ଉପରେ ମାଡ଼ ସଦୃଶ ହୋଇଥିବାରୁ ଓଡ଼ିଶାର ନ୍ୟାଯ୍ୟ ଦାବିକୁ ପୂରଣ କରାନଗଲେ ବ୍ୟାପକ ଗଣଆନ୍ଦୋଳନ ଗଢି ତେଳାଯିବ ବୋଲି ପଂଚାନନ କହିଛନ୍ତି । ଏଥିସହିତ ଘୋଷିତ ହୋଇଥିବା ରେଳ ୱାଗନ କାରଖାନା, ରେଳବାଇ ମେଡ଼ିକାଲ କଲେଜ ଏବଂ ଅନ୍ତର୍ଜାତୀୟ ରେଳ ଷ୍ଟେସନ ନିର୍ମାଣ ସମ୍ପର୍କିତ ଅଗ୍ରଗତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ ଉତର ରଖନ୍ତୁ ବୋଲି ସେ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 4 =