ଅପରାଜିତାଙ୍କୁ ନେଇ ଅଡୁଆରେ ବିଜେପି, ଧରାପଡୁଛି ଦୋମୁହାଁ ନୀତି

ଭୁବନେଶ୍ୱର () ସାଧାରଣ ନିର୍ବାଚନ ଆଉ ମାତ୍ର ମାସ କେଇଟା ଥିବା ବେଳେ ବିଜେପି ରାଜନୀତି ନୂଆ ମୋଡ ନେଉଛି । ସ୍ବେଚ୍ଛାକୃତ ଅବସର ନେଇଥିବା ଆଇଏଏସ ଅଫିସର ଅପରାଜିତା ଷଢଙ୍ଗୀ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ଜୋର ଧରିଛି । ଯଦିଓ ସେ ଏ ପର୍ଯ୍ୟନ୍ତ ବିଜେପିରେ ଯୋଗଦେଇ ନାହାଁନ୍ତି, ସ୍ବେଚ୍ଛାକୃତ ଅବସର ପରେ ତାଙ୍କ ଟ୍ୱିଟ, ସେୟା ସଂକେତ ଦଉଛି ।

ଦିଲ୍ଲୀର ପାୱାର କରିଡରରେ ଏକଥା କାହାକୁ ଅଛପା ନୁହଁ ଯେ, 1994 ବ୍ୟାଚର ଏହି ଆଇଏଏସ ଅଫିସରଙ୍କ ବିଜେପି ଶୀର୍ଷ ନେତୃତ୍ୱ ବିଶେଷ କରି ଅରୁଣ ଜେଟଲି ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବେଶ ଭଲ ସଂପର୍କ ରହିଛି । ପାୱାର କରିଡର ସୂଚନା ଅନୁଯାୟୀ ଅପରାଜିତା ବିଜେପି ଶୀର୍ଷ ନେତୃତ୍ୱ ସହ ଆଲୋଚନା ପରେ ହିଁ କେନ୍ଦ୍ରୀୟ ପ୍ରଶାସନିକ ପଦ ଛାଡ଼ି ରାଜନୀତି ମୁହାଁ ହୋଇଛନ୍ତି । ସୂତ୍ର ଅନୁଯାୟୀ ସେ ଏବେଠୁ ଭୁବନେଶ୍ୱରରେ ନିଜର ଏକ କାର୍ଯ୍ୟାଳୟ ଖୋଲି ଲୋକ ସମ୍ପର୍କ ସୃଷ୍ଟି କରୁଛନ୍ତି ।

ଅପରାଜିତଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ରାଜ୍ୟ ବିଜେବି କାର୍ଯ୍ୟାଳୟକୁ ମଧ୍ୟ ଆନ୍ଦୋଳିତ କରିଛି । ରାଜ୍ୟ ବିଜେପି ନେତାଙ୍କ ଅନୌପଚାରିକ ତଥ୍ୟ ଅନୁଯାୟୀ ଦିଲ୍ଲୀରେ ଅପରାଜିତାଙ୍କ ଲବି ଭାରି ମଜବୁତ । ଯେଉଁଥିପାଇଁ ସେ ବିଜେପିରେ ଯୋଗଦେବା ପୂର୍ବରୁ ତାଙ୍କୁ ରାଜ୍ୟ ବିଜେପିର ଭବିଷ୍ୟତ ସମ୍ଭାବନା ଭାବେ ପ୍ରୋଜେକ୍ଟ କରାଯାଉଛି ।

ଏଭଳି ସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଯିଏକି ଏପର୍ଯ୍ୟନ୍ତ କେନ୍ଦ୍ର ନେତାଙ୍କ ଗେଲ୍ହା ପୁଅ ଥିଲେ, ସେ ଧୀରେ ଧୀରେ କଣ ଠେସା ହେବେ । ସେ ମଧ୍ୟ ନିଜକୁ ରାଜ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିଜକୁ ପ୍ରୋଜେକ୍ଟ କରୁଥିଲେ । କିନ୍ତୁ କ୍ରମାଗତ ଭାବେ ଗତ କିଛି ନିର୍ବାଚନରେ ରାଜ୍ୟ ବିଜେପିର ବିଫଳତା ପରେ ସେ ମୋଦି ଓ ଶାହାଙ୍କ ବିଶ୍ୱାସନୀୟତା ହରାଇଥିଲେ । ତେବେ ସେପୁଣି ଥରେ କେନ୍ଦ୍ର ନେତୃତ୍ୱ ନିକଟରେ ନିଜ ସ୍ଥିତି ସମ୍ଭାଳିବାରେ ସକ୍ଷମ ହୋଇଛି ବୋଲି ରାଜ୍ୟ ବିଜେପି ନେତାମାନେ କହୁଛନ୍ତି । କିନ୍ତୁ ଏକଥା ସତ ଯେ, ଓଡ଼ିଶାରେ ବିଜେପି ଶୀର୍ଷ ନେତୃତ୍ୱ କିଛି ଏକ ଭିନ୍ନ ରାଜନୈତିକ ସମିକରଣ ସନ୍ଧାନରେ ଅଛନ୍ତି । ଯଦି କେନ୍ଦ୍ରୀୟ ନେତାମାନେ ଅପରାଜିତାଙ୍କୁ ଦୃଷ୍ଟିରେ ରଖି ଏଭଳି କିଛି ଯୋଜନାରେ ଥିବେ ତେବେ ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ଅଡୁଆରେ ପଡିପାରନ୍ତି ବୋଲି ତାଙ୍କର କିଛି ଅନୁଗତ ଓ କିଛି ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି ।

ଅପରାଜିତାଙ୍କୁ ପ୍ରାର୍ଥୀ କରିବାକୁ ବିଜେପି ଚିନ୍ତା କରୁଥିବା ବେଳେ, ଏହା ଏହି ଜାତୀୟ ଦଳର ଦୋମୁହାଁ ନୀତିକୁ ପଦାରେ ପକାଇବ । ଗୋଟେପଟେ ରାଜ୍ୟ ବିଜେପି ନେତାମାନେ ସବୁ ପ୍ରସଙ୍ଗରେ ଅଣଓଡ଼ିଆ ଅଫିସର କଥାକୁ ନେଇ ସରକାରଙ୍କୁ ଆକ୍ରମଣ କରୁଛି । ଅନ୍ୟପଟେ ଅପରାଜିତାଙ୍କ ଭଳି ଜଣେ ଅଣଓଡ଼ିଆ ଅଫିସରଙ୍କୁ ପ୍ରୋଜେକ୍ଟ କରିବାକୁ ଯାଉଛି । ଏପର୍ଯ୍ୟନ୍ତ ଅଣଓଡ଼ିଆ ଅଫିସରଙ୍କୁ ନେଇ ରାଜନୀତି କରୁଥିବା ବିଜେପି ହଟାତ କାହିଁକି ଜଣେ ଅଣଓଡ଼ିଆ ଅଫିସରଙ୍କୁ ଭରସା କରି ନିର୍ବାଚନ ଲଢ଼ିବାକୁ ଯୋଜନା କରୁଛି, ସେନେଇ କିଛି ସମୀକ୍ଷକ ସନ୍ଦେହ ପ୍ରକାଶ କରିଛନ୍ତି ।

ପୂର୍ବରୁ ମଧ୍ୟ ଜଣେ ଅବସରପ୍ରାପ୍ତ ଆଇପିଏସ କିରଣ ବେଦୀଙ୍କୁ ଦିଲ୍ଲୀରେ ପରୀକ୍ଷା କରି ଫେଲ ମରିଛି ବିଜେପି । ତେଣୁ ଆଗାମୀ ଦିନରେ ଆପରାଜିତା ମଧ୍ୟ ରାଜନୀତିରେ କେତେ ସଫଳ ହେବେ ତାହା ଏକ ପ୍ରଶ୍ନବାଚୀ । କାରଣ ରାଜନୀତିକୁ ଆସିବ ପୂର୍ବରୁ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରିଛନ୍ତି । ସେସମୟରେ ସେ ରାଜ୍ୟ ଯୋଜନାକୁ ପ୍ରଶଂସା କରିଥିଲେ। ଏବେ ଏହାକୁ ବିରୋଧ କଲେ ବା ସମାଲୋଚନା କଲେ ଦାମଙ୍କ ଭଳି ପ୍ରଶ୍ନବାଣର ଶିକାର ହେଇପାରନ୍ତି ।

Share

Leave a Reply

Your email address will not be published. Required fields are marked *

4 + twenty =